March 20, 2026
Home » ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟର ପୁନଃରୁଦ୍ଧାର ପାଇଁ ୨୪୭. ୦୨୪ କୋଟି ଟଙ୍କାର ବୁଝାମଣାପତ୍ର ସ୍ଵାକ୍ଷର

ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟର ପୁନଃରୁଦ୍ଧାର ପାଇଁ ୨୪୭. ୦୨୪ କୋଟି ଟଙ୍କାର ବୁଝାମଣାପତ୍ର ସ୍ଵାକ୍ଷର

0
WhatsApp Image 2026-03-19 at 6.14.05 PM (1)

– ଖାଦ୍ୟ ହିଁ ପରମ୍ପରାକୁ ଉଜ୍ଜୀବିତ କରି ରଖିଥାଏ, ଏହାର ସୁରକ୍ଷା, ଆମ ପରମ୍ପରାର ସୁରକ୍ଷା – ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ
ଭୁବନେଶ୍ୱର: ଜୈବ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶାର ଖାଦ୍ୟ ଶସ୍ୟର ଏକ ଅନନ୍ୟ ପରିଚୟ ରହିଛି ନିଜର ପୁଷ୍ଟିକର ଓ ସ୍ୱାସ୍ଥ୍ୟପ୍ରଦ ଗୁଣବତ୍ତା ଯୋଗୁଁ। ସମୟକ୍ରମେ ଏଥିରୁ କିଛି ଖାଦ୍ୟ ବିସ୍ମୃତ ଓ ବିଲୁପ୍ତ ପ୍ରାୟ ଅବସ୍ଥାରେ ପହଁଚିଛି। ଏହାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଓଡ଼ିଶା ସରକାର ଆଗେଇ ଆସି ଓଡ଼ିଶାରେ ବିସ୍ମୃତ ଖାଦ୍ୟ ଓ ବିଲୁପ୍ତ ପ୍ରାୟ ଶସ୍ୟର ପୁନଃରୁଦ୍ଧାର ପାଇଁ ଏକ ରାଜ୍ୟସ୍ତରୀୟ ଯୋଜନା ଆଣିଛନ୍ତି। ଏହା ଓଡ଼ିଶାର ୧୫ଟି ଜିଲ୍ଲାର ୨୫ଟି ଜୈବ ବିବିଧତାରେ ପରିପୂର୍ଣ୍ଣ ବ୍ଲକ ଯଥା ଗନ୍ଧମାର୍ଦ୍ଧନ, ନିୟମଗିରି, ସୁନାବେଡା, ସାତକୋଶିଆ, ଗୁପ୍ତେଶ୍ୱର, ମାଲ୍ୟଗିରି ଓ ଶିମିଳିପାଳ ଭଳି ପ୍ରମୁଖ ଅଞ୍ଚଳରେ କାର୍ଯ୍ୟକାରୀ ହେବାକୁ ଯାଉଛି। ପାରମ୍ପରିକ ଫସଲ ଓ ଦେଶୀ ବିହନ ପ୍ରଜାତି ଯାହା ପ୍ରଚଳିତ କୃଷିରୁ ଲୋପ ପାଇଯାଉଛି, ତାହାର ସଂରକ୍ଷଣ ଓ ପ୍ରୋତ୍ସାହନ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିସ୍ମୃତ ଖାଦ୍ୟ ଓ ବିଲୁପ୍ତ ପ୍ରାୟ ଖାଦ୍ୟଶସ୍ୟର ପୁନଃରୁଦ୍ଧାର ନିମନ୍ତେ ବୁଝାମଣାପତ୍ର ୱାଟରସେଡ୍ ସପୋର୍ଟ ସର୍ଭିସ୍ ଆଣ୍ଡ୍ ଆକ୍ଟିଭିଟିଜ ନେଟୱର୍କ (ୱାସନ) ସହ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଆଜି ସ୍ଵାକ୍ଷରିତ ହୋଇଛି। ଏହି ଯୋଜନା ଆଗାମୀ ୫ ବର୍ଷ (୨୦୨୫-୨୬ ରୁ ୨୦୨୯-୩୦) ପାଇଁ ରହିଛି ଏବଂ ଏଥିପାଇଁ ମୋଟ ୨୪୭. ୦୨୪ କୋଟି ଟଙ୍କା ରଖାଯାଇଛି।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ଖାଦ୍ୟ ହିଁ ପରମ୍ପରାକୁ ଉଜ୍ଜୀବିତ କରି ରଖିଥାଏ, ଏହାର ସୁରକ୍ଷା, ଆମ ପରମ୍ପରାର ସୁରକ୍ଷା। ଆଜିର ବୁଝାମଣା ପତ୍ର ସ୍ଵାକ୍ଷର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ବୁଝାମଣା ପତ୍ର ସ୍ଵାକ୍ଷରିତ ବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଶାସନ ସଚିବ ଡ଼ଃ ଗଣେଶ୍ଵର ଜେନା ଉପସ୍ଥିତ ଥିଲେ।
ଅବହେଳିତ ଫସଲଗୁଡିକର ତଥ୍ୟାବଳୀ ପ୍ରସ୍ତୁତି ଓ ସଂରକ୍ଷଣ, ପାରମ୍ପରିକ ଓ ଦେଶୀ ପ୍ରଜାତିର ଚାଷର ବିସ୍ତାର, ଅବହେଳିତ ଫସଲର ପୁନର୍ବାର ଚାଷ, ରାଜ୍ୟ ସମ୍ବଳ କେନ୍ଦ୍ର ସ୍ଥାପନା, କମଳା ପୂଜାରୀ ବୃତ୍ତି କାର୍ଯ୍ୟକ୍ରମ, କୃଷକ କ୍ଷେତ୍ର ପାଠଶାଳା, ପାରମ୍ପରିକ ଖାଦ୍ୟର ପୋଷଣ ତଥ୍ୟାବଳୀ, ମୂଲ୍ୟବୃଦ୍ଧି ଏବଂ ବିସ୍ମୃତ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ବ୍ୟବସାୟୀକରଣ ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *