ଭକ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ନିଶ୍ଚିତ କରିବା ପୁରୀ ପୋଲିସର ପ୍ରାଥମିକ ଦାୟିତ୍ୱ
ପୁରୀ ରିଜର୍ଭ ପୋଲିସ ଲାଇନ୍ରେ ସାପ୍ତାହିକ ପ୍ୟାରେଡ ଶାନ୍ତି, ଶୃଙ୍ଖଳା ଓ ଗୌରବମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ୟାରେଡର ସମୀକ୍ଷାଏସ୍ପି ପ୍ରତୀକ ସିଂ, ନିଜେ କରିଥିଲେ।ପରେଡ୍ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଚିନ ପଟେଲ, ସୌମ୍ୟ ରଞ୍ଜନ ମଲ୍ଲିକ, ତାରା ଜସ୍ମିନ ଗୁରିଆ, ଡିଏସପି ତପନ ଦାସ, ଆରଆଇ ଚିତ୍ତରଞ୍ଜନ ମହାନ୍ତି, ବାସୁଦେବ ପଣ୍ଡା ସହିତ ସମସ୍ତ ସିଟି ସବ୍ଡିଭିଜନର ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ଥାନା ଓ ୟୁନିଟ୍ରୁ ଆସିଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ। ସାପ୍ତାହିକ ପ୍ୟାରେଡ ସମୟରେ ଏସ୍ପି ଶ୍ରୀ ସିଂ ଡ୍ରିଲ୍, ଶାରୀରିକ ଫିଟନେସ୍, ୟୁନିଫର୍ମର ଶୃଙ୍ଖଳା, ଅସ୍ତ୍ର ଶସ୍ତ୍ରର ରକ୍ଷା ରଖ ଓ ସାମଗ୍ରିକ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପୋଲିସକୁ ସଦା ସଜାଗ, ସୁସଜ୍ଜିତ ଓ କାର୍ଯ୍ୟଦକ୍ଷ ରଖିବା ଏହି ପରେଡ୍ର ମୂଳ ଉଦ୍ଦେଶ୍ୟ ଥିଲା। ପ୍ୟାରେଡ ପରେ ଏସ୍ପି ଶ୍ରୀ ସିଂ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ପୋଲିସ ସଦସ୍ୟମାନେ ସାଧାରଣ ଲୋକଙ୍କ ସହ ସଦା ଭଦ୍ର ଓ ଶିଷ୍ଟ ଆଚରଣ କରିବେ ଏବଂ ନିଜ ଡିଉଟି ୧୦୦% ନିଷ୍ଠା ସହିତ ପାଳନ କରିବେ। ସେ ଲୋକମୁଖୀ ପୋଲିସିଂ ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ଜନସାଧାରଣଙ୍କ ବିଶ୍ୱାସ ଓ ସହଯୋଗ ହେଉଛି ପୋଲିସର ସବୁଠାରୁ ବଡ଼ ଶକ୍ତି।
ସେ ଆହୁରି କରିଥିଲେ ଯେ, ପୁରୀ ଜିଲ୍ଲା ଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର ହେବାରୁ ଏଠାରେ ଆଇନ ଶୃଙ୍ଖଳା, ଯାତାୟାତ ପରିଚାଳନା ଓ ଭକ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ନିଶ୍ଚିତ କରିବା ପୋଲିସର ପ୍ରାଥମିକ ଦାୟିତ୍ୱ। ଏହିପରି ପରିସ୍ଥିତିରେ ସମସ୍ତ କର୍ମଚାରୀଙ୍କୁ ସଚେତନ, ଶୃଙ୍ଖଳିତ ଓ ଦାୟିତ୍ୱବାନ୍ ଭାବେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସାପ୍ତାହିକ ପ୍ୟାରେଡ ଅବସରରେ ଭଲ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ପ୍ରଶଂସା କରାଯାଇଥିଲା ଓ ଶିସ୍ଟାଚାର, ସମୟନିଷ୍ଠା ଏବଂ ପେଶାଗତ ଆଚରଣକୁ ଆହୁରି ସୁଦୃଢ଼ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ପୁରୀ ପୋଲିସ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ସାପ୍ତାହିକ ପ୍ୟାରେଡ, ସମୀକ୍ଷା ଓ ପ୍ରେରଣାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ବଳର କ୍ଷମତା ବୃଦ୍ଧି କରାଯାଇ ସାଧାରଣ ଲୋକଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରାଯିବ।
