ଭାରତୀୟ ମଜଦୁର ସଂଘ ତରଫରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଦିବସ ପାଳିତ
ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୂର୍ ସଂଘ ତରଫରୁ ପ୍ରତିବାଦ ଦିବସ ପାଳିତ ହୋଇଛି । ଚଳିତ ମାସ ପ୍ରଥମ ସପ୍ତାହରେ ପୁରୀ ଠାରେ ଅନୁଷ୍ଠିତ ହୋଇଥିବା ୨୧ତମ ଅଖିଳ ଭାରତୀୟ ଅଧିବେଶନରେ ପାରିତ ଅନୁଯାୟୀ ଶ୍ରମିକ ମାନଙ୍କ ୧୧ଦଫା ସମ୍ବଳିତ ଦାବୀ ଗୁଡିକ କାର୍ଯ୍ୟକାରୀ କରିବା ଉଦ୍ଧେଶ୍ୟରେ ଏହି ପ୍ରତିବାଦ ଦିବସ ପାଳିତ କରାଯାଇଛି । ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ସୁଜିତ ପ୍ରଧାନ, ସମ୍ପାଦିକା ଅଞ୍ଜଳୀ ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ପ୍ରତିବାଦ ଦିବସ ପାଳନ କରିଥିଲେ ।

ଏହାପରେ ସେମାନେ ମୁଖମନ୍ତ୍ରୀ ଉଦ୍ଧେଶ୍ୟରେ ୧୧ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ଓ ଆଶାକର୍ମୀଙ୍କ ୧୦ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀପତ୍ରରେ ଅନ୍ତୋଦୟର ପ୍ରକୃତ ଭାବନା ଅନୁଯାୟୀ ସମସ୍ତ କ୍ଷେତ୍ର ଓ ବର୍ଗର ଶ୍ରମିକଙ୍କ ପାଇଁ ଶ୍ରମ ଆିନ କଡାକଡି ଭାବେ ପାଳନ କରିବା, ଶିଳ୍ପ ସମ୍ପର୍କ କୋଡ୍-୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା,ସ୍ୱାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି କୋଡ୍ ରେ ଥିବା ଶ୍ରମିକ ବିରୋଧି ନିୟମକୁ ତୁରନ୍ତ ସଂଶୋଧନ କରିବା, ସମସ୍ତ ସ୍କିମ୍ ୱାର୍କର ମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା, ଭାରତୀୟ ସମ୍ବିଧାନର ୧୪,୧୫,୧୬ ଓ ୨୧ ଅନୁଯାୟୀ ସ୍କିମ୍ ୱାର୍କର ଏବଂ ଚୁକ୍ତିଭିତ୍ତିକ ଶ୍ରମିକ ମାନଙ୍କୁ ନିୟମିତ କରିବା, ସାଧାରଣ ନିଯୁକ୍ତି ଉପରେ ରହିଥିବା ନିଷେଧାଦେଶକୁ ତୁରନ୍ତ ହଟାଯାଇ ଚାକିରିର ସୁରକ୍ଷା ସହିତ ଗ୍ୟାରେଣ୍ଟି ଯୁକ୍ତ ନିଯୁକ୍ତିକୁ ନିଶ୍ଚିତ କରିବା, ବର୍ତ୍ତମାନର ମଜୁରୀ ସହିତ ସମାନତା ରଖି ବୋନସ୍ ପ୍ରଦାନ ଆିନ-୧୯୬୫ ଅନୁଯାୟୀ ବୋନସ୍ ସୀମା ବୃଦ୍ଧି କରିବା ଉଲ୍ଲେଖ ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମୁନୀନ୍ଦ୍ର ହୋନାଗା ସ୍ମାରକପତ୍ର ଗ୍ରହଣ କରିଥିଲେ ।

ଏହି ସ୍ମାରପତ୍ର ପ୍ରଦାନବେଳେ ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ସୁଜିତ ପ୍ରଧାନ, ସମ୍ପାଦିକା ଅଞ୍ଜଳୀ ନାୟକଙ୍କ ସମେତ ତତ୍ ସଂଲଗ୍ନ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍୍ ୱାର୍କରସ୍ ଆସୋସିଏସଏନର ସଭାପତି କୁନି ଜାନୀ,ସମ୍ପାଦିକା ପୂଷ୍ପାଞ୍ଜଳୀ ପଣ୍ଡା, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଜିଲ୍ଲା ସମ୍ପାଦିକା ସମୀକ୍ଷା ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
