ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ବରପୁତ୍ର ସ୍ମୃତି ଚାରଣ ଓ କବିତା ପାଠ ଉତ୍ସବ

ମାଲକାନଗିରି ଜିଲ୍ଲା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅଧିକାରୀ ସନ୍ତ୍ରାଶ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଦର ଡିଆରଡିଏ ସଭା କକ୍ଷରେ ଆଜି ଓଡିଆ ପକ୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଅଧିକ୍ଷକ ତପନ ନାରାୟଣ ରଥ, ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ,କବି ରତ୍ନାକର ଦାଶ, ଅଧ୍ୟାପକ ଡକ୍ଟର ରଞ୍ଜନ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଆ ପକ୍ଷ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ପାଖାପାଖି ୪୦ରୁ ଉର୍ଦ୍ଧ୍ବ କବି ସାହିତ୍ୟିକ ଉପସ୍ଥିତ ଥିଲେ। ପ୍ରଥମେ ଓଡ଼ିଶାରେ ଭାଷା ସାହିତ୍ୟ ସଂସ୍କୃତିକୁ ନିଜ ଲେଖନୀ ମୁନରେ ବଳିଷ୍ଠ କରିବା ପାଇଁ ଲଢେଇ କରି ଆସିଥିବା ବିଭିନ୍ନ ବରପୁତ୍ର ଏବଂ ପୂଜ୍ୟପୂଜାଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହା ସହିତ ମଞ୍ଚାସୀନ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଓଡ଼ିଶା କିପରି ଏକ ଭାଷା ଭିତ୍ତିକ ରାଜ୍ୟ ଭାବେ ପରିଚୟ ପାଇଲା ସେ ସମ୍ପର୍କରେ ଜଣାଇବା ସହ ଅବିଭକ୍ତ କୋରାପୁଟ ଏବଂ ଲଢୁଆ ମାଟି ମାଲକାନଗିରି ଜିଲ୍ଲାର ସ୍ବାଧିନତା ସଂଗ୍ରାମୀ ତମ୍ମା ଦୋରା ଏବଂ ଲକ୍ଷ୍ମଣ ନାୟକଙ୍କୁ ମନେ ପକାଇ ତାଙ୍କର ବଳିଦାନ ସମ୍ପର୍କରେ ଅବଗତ କରାଇଥିଲେ। ସେହିପରି ମୁଖ୍ୟବକ୍ତା ଶ୍ରୀ ରଥ କବି ଏବଂ ଲେଖକଙ୍କୁ ଦ୍ବିତୀୟ ଇଶ୍ଵର ଭାବେ ସମ୍ବୋଧିତ କରି ଉଚ୍ଚକୋଟୀର ଅଭିଭାଷଣ ଦେଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ।ପରେ ଉପସ୍ଥିତ କବି କବୟୀତ୍ରୀ ମାନେ ନିଜ ନିଜର ସ୍ବରଚିତ କବିତା ପାଠ କରିବା ପରେ ସମସ୍ତ କବି କବୟୀତ୍ରୀ ମାନଙ୍କୁ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ କବି ନିରଞ୍ଜନ ମଲ୍ଲ କେବଳ ଓଡ଼ିଆ ଭାଷାକୁ ଭଲ ପାଇଲେ ଚଳିବ ନାହିଁ।ଆମେ ଓଡିଆ ଭାଷାକୁ ଗୁରୁତ୍ୱ ଦେବାକୁ ହବ। ଓଡ଼ିଶା ରାଜ୍ୟରେ ଦୁଇଟି ଭାଷାର ପ୍ରଚଳନ ପାଇଁ ଅନୁମତି ରହିଥିବା ବେଳେ ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥାର ନାମଫଳକରେ ଓଡ଼ିଆ ଭାଷାକୁ ଅଗ୍ରାଧିକାର ଦିଆଯାଉ ବୋଲି ଦାବି କରିଥିଲେ।ଏଥି ସହ ସ୍ବାଧୀନତା ସଂଗ୍ରାମୀ ତଥା ଲଢୁଆ ମାଟି ମାଲକାନଗିରି ଜିଲ୍ଲାର ସନ୍ତାନ ତମ୍ମା ଦୋରାଙ୍କର ଏକ ପ୍ରତିମୂର୍ତ୍ତି ସଦର ମହକୁମା ଠାରେ ସ୍ଥାପନ କରାଯିବା ନେଇ କବି , ଲେଖକମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ।ଆଜିର ସଭା କାର୍ଯ୍ୟରେ ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ରତ୍ନାକର ଦାଶ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ଡକ୍ଟର ରଞ୍ଜନ ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ