ମଣ୍ଡେଇ ମହୋତ୍ସବ -୨୦୨୪ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ ଗଣମାଧ୍ୟମକୁ ସଂକ୍ଷିପ୍ତ ସୂଚନା ପ୍ରଦାନ
ନବରଙ୍ଗପୁର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ତା :୦୪/୧୨/୨୦୨୪ ରିଖ -ଜିଲ୍ଲା ସ୍ତରୀୟ ମଣ୍ଡେଇ ମହୋତ୍ସବ -୨୦୨୪ ଉପଲକ୍ଷେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡ଼ା ଶୁଭଙ୍କର ମହାପାତ୍ର ଓ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲା ସ୍ତରୀୟ ମଣ୍ଡେଇ ମହୋତ୍ସବ -୨୦୨୪ ଓ ପଲ୍ଲୀଶ୍ରୀ ମେଳା ଆସନ୍ତା ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମୁଖ୍ୟ ମଣ୍ଡେଇ ଉତ୍ସବ ୬,୭ ଓ ୮ ତାରିଖ ଏହି ୩ ଦିନ ଧରି ଚାଲିବ। ଉଦ୍ଘାଟନୀ ଉତ୍ସବ ଦିନ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଅପରାହ୍ନ ୨.୩୦ ମି ରେ ମଶାଲ ଓ ସାଂସ୍କୃତିକ ଶୋଭା ଯାତ୍ରା ବାହାରି ମଣ୍ଡେଇ ପଡିଆ ମଞ୍ଚ ନିକଟରେ ପହଂଚିବ।

ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏବଂ ବରେଣ୍ୟ ଅତିଥି ରୂପେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କ୍ୟାବିନେଟ୍ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେବେ। ସନ୍ଧ୍ୟା ୬ଟାରେ ମୁଖ୍ୟ ଅତିଥି ପଲ୍ଲୀଶ୍ରୀ ମେଳା ଉଦ୍ଘାଟନ ପରେ ମୁଖ୍ୟ ଅତିଥି ଓ ଆତିଥିମାନଙ୍କ ଗ୍ରହଣ ରେ ସାଂସ୍କୃତିକ ସଭା କାର୍ଯ୍ୟ ଆରମ୍ଭ ହେବ। ଦ୍ଵିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା, ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବରେଣ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେବେ । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ବରେଣ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସଂମ୍ମାନୀତ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେବେ ।

ମୁଖ୍ୟ ୩ ଦିନ ଲୋକ ମୋହତ୍ସଵ ମଣ୍ଡେଇର ସଂମ୍ମାନୀୟ ଅତିଥି ଭାବେ ନବରଙ୍ଗପୁର ଏମପି ବଳଭଦ୍ର ମାଝୀ, ରାଜ୍ୟ ସଭା ଏମପି ମୁଜିବୁଲ୍ଲା ଖାନ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ଝରିଗାଁ ବିଧାୟକ ନରସିଂ ଭତରା, ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପ୍ରମୁଖ ଯୋଗ ଦେବେ । ମୋଟ ୩୬୦ ଷ୍ଟଲ ପ୍ରସ୍ତୁତ ହୋଇଛି । ସେଥିମଧ୍ୟରୁ ବିଭାଗୀୟ ଷ୍ଟଲ ୯୦, ପଲ୍ଲୀଶ୍ରୀ ମେଳା ପାଇଁ ୧୧୬, ବ୍ୟବସାୟିକ ଷ୍ଟଲ ୧୩୫ ଓ ଅନ୍ୟାନ୍ୟ ୧୯ଟି ଷ୍ଟଲ ବ୍ୟବସ୍ଥା କରାଯାଇଛି । ପୋଲିସ ଓ ପ୍ରଶାସନିକ କଣ୍ଟ୍ରୋଲ ରୁମ ସ୍ଥାପନ ସହ ପାନୀୟଜଳ ଯୋଗାଣ ପାଇଁ ୬ଟି ପାଣି ଟ୍ୟାଙ୍କର, ୮ ଟି ୧୦୦୦ ଲିଟର ସିନଟେକ୍ସ ମଣ୍ଡେଇ ପଡିଆର ବିଭିନ୍ନ ସ୍ଥାନରେ ରଖାଯିବ। ମହିଳାଙ୍କ ପାଇଁ ୮ଟି ଓ ପୁରୁଷଙ୍କ ପାଇଁ ୧୧ଟି ଶୌଚାଳୟ ବ୍ୟବସ୍ଥା କରାଯାଇଛି । ତେବେ ୬ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା ରହିବ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୬ ଓ ୭ ତାରିଖ ଦିନ ୧୦ ପ୍ଲାଟୁନ ପୋଲିସ ଫୋର୍ସ ରହିବ । ଟ୍ରାଫିକ ନିୟନ୍ତ୍ରଣ ସହ ବାଇପାସ୍ ରୋଡ଼, ସହରରେ ପେଟ୍ରୋଲିଂ କଡାକଡି କରାଯିବ । ସାଧା ପୋଷାକରେ ମଧ୍ୟ ପୋଲିସ ରହିବେ। ଉଦ୍ଯାପନୀ ଦିବସରେ ମୁଖ୍ୟ ମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ଯାଞ୍ଚ କଡାକଡି ରହିବା ସହିତ ୨୦ ପ୍ଲାଟୁନ ପୋଲିସ ଫୋର୍ସ ରହିବେ । ଅତିରିକ୍ତ ଏସପି, ଡିଏସପି ୪ ଜଣଙ୍କ ସମେତ ଇନ୍ସପେକ୍ଟର, ଏସଆଇ, ଏ ଏସ ଆଇ , ହାବିଲଦାର, କନେଷ୍ଟେବଲ, ଗୃହରକ୍ଷୀ ପ୍ରମୁଖ ବିଭିନ୍ନ ଦାୟିତ୍ୱରେ ରହିବେ। ମଣ୍ଡେଇ ମୁଖ୍ୟ ୩ ଦିନ ଅପରାହ୍ନ ୪ଟାରୁ ରାତ୍ର ୧୨ଟା ଯାଏ ଜାତୀୟ ରାଜପଥ ଓ ଏକତରଫା ରାସ୍ତା ଦେଇ ଭାରିଯାନ ବାହନ ଯିବ ନାହିଁ । ସହର ବାହାରେ ପାର୍କିଂଗ କରି ରହିବେ । ୪ ଚକିଆ ଯାନବାହନ ନିୟନ୍ତ୍ରଣରେ ଛଡ଼ାଯିବ ବୋଲି ଏସପି ମିହିର ପଣ୍ଡା କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଓ ନବୀନ ଚନ୍ଦ୍ର ନାୟକ, ସି ଡି ଓ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ ମିଶ୍ର, ଡିଆଇପିଆରଓ ମନୋଜ କୁମାର ବେହେରାଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
