ଯୁଗ ପୁରୁଷ ପଦ୍ମଶ୍ରୀ ବାବା ବଳିଆ ଙ୍କ ଜନ୍ମୋତ୍ସବ ରେ ଭକ୍ତି ଅର୍ଘ୍ୟ
ଆଜି ସେହି ପବିତ୍ର ଶୁଭଲଗ୍ନ, ଯେଉଁଦିନ ଉତ୍କଳ ଜନନୀଙ୍କ କୋଳ ମଣ୍ଡନ କରିଥିଲେ ଜଣେ ଯୋଗଜନ୍ମା ମହାପୁରୁଷ— ପ୍ରକୃତିବନ୍ଧୁ, ସମାଜ ସଂସ୍କାରକ ତଥା ବିଶ୍ୱପ୍ରେମୀ ସାଧକ ପୂଜ୍ୟ ପାଦ ବାବା ବଳିଆ। ୧୯୫୪ ମସିହା ଚୈତ୍ର ଶୁକ୍ଳ ଷଷ୍ଠୀର ସେହି ବାସନ୍ତୀ ମାହେନ୍ଦ୍ର ବେଳାରେ, ପିତା ସଚ୍ଚିଦାନନ୍ଦ ଓ ମାତା ବସନ୍ତ ଦେବୀଙ୍କ ଗୌରବ ବୃଦ୍ଧି କରି ସେ ଧରାବତରଣ କରିଥିଲେ। ତାଙ୍କ ଜନ୍ମ ଥିଲା ରହସ୍ୟମୟ ଓ ଅଲୌକିକ; ମାତୃଗର୍ଭରୁ ଏକ ଦିବ୍ୟ ଆବରଣ ମଧ୍ୟରେ ଜନ୍ମିତ ଏହି ଶିଶୁଙ୍କ ପ୍ରଥମ କ୍ରନ୍ଦନ ‘କୁଆଁ’ ନୁହେଁ, ବରଂ ଆତ୍ମତତ୍ତ୍ୱର ସ୍ୱର ‘କୋହମ୍’ (ମୁଁ କିଏ) ଥିଲା।
ମହାପୁରୁଷ ଅଚ୍ୟୁତାନନ୍ଦ ଛଅ ଶହ ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଥିଲେ:”ଭକ୍ତ ଶିରୋମଣି ବଳିଆ ମୋହର, ମୋ ଠାରୁ ଶହସ୍ର ଗୁଣେ।”
ସ୍ୱୟଂ ଜଗନ୍ନାଥଙ୍କ ପ୍ରଦତ୍ତ ‘ବଳିଆ’ ନାମରେ ନାମିତ ଏହି ମହାସାଧକଙ୍କ ଜୀବନ ତ୍ୟାଗ ଓ ସେବାର ଏକ ଜ୍ୱଳନ୍ତ ଉଦାହରଣ। ମାତ୍ର ୧୭ ବର୍ଷ ବୟସରେ “ଆଓ ଆଓ”ର ଦିବ୍ୟ ଆହ୍ୱାନରେ ସଂସାର ତ୍ୟାଗ କରି ସେ ସମାଜ କଲ୍ୟାଣରେ ନିଜକୁ ସମର୍ପି ଦେଇଥିଲେ। ସେ କେବଳ ଜଣେ ସନ୍ନ୍ୟାସୀ ନୁହନ୍ତି, ବରଂ ଜଣେ କର୍ମଯୋଗୀ। ତାଙ୍କ ଦୃଷ୍ଟିରେ:ମାତା-ପିତା ହିଁ ପ୍ରତ୍ୟକ୍ଷ ଲକ୍ଷ୍ମୀ-ନାରାୟଣ।ବୃକ୍ଷ ହିଁ ସାକ୍ଷାତ୍ ଶିବ, ଯିଏ ବିଷ ପାନ କରି ଅମୃତ (ଅମ୍ଳଜାନ) ପ୍ରଦାନ କରେ।ସମାଜ ସେବା ହିଁ ଶ୍ରେଷ୍ଠ ଈଶ୍ୱର ଆରାଧନା।ନିଶା ନିବାରଣ, ପରିବେଶ ସୁରକ୍ଷା, ବିଧବା ମାତାଙ୍କୁ ସାମାଜିକ ସମ୍ମାନ ଏବଂ ବିଶ୍ୱ ଶାନ୍ତି ପାଇଁ ଜାତିସଂଘକୁ ଆବେଦନ କରି ସେ ଆଜି ଆଧ୍ୟାତ୍ମିକତାରୁ ସାମାଜିକତାର ଶୀର୍ଷକୁ ସ୍ପର୍ଶ କରିଛନ୍ତି। “ସୃଷ୍ଟିର ସୁରକ୍ଷା କର, ସ୍ରଷ୍ଟା ଆପେ ମିଳିବେ”— ଏହି ମନ୍ତ୍ରରେ ସେ ସମାଜର ଅଳିଆ ସଫା କରୁଥିବା ଜଣେ ଦିବ୍ୟ ‘ଝାଡୁଦାର’।
ପଦ୍ମଶ୍ରୀ ବିଭୂଷିତ ଏହି ମହାନ ତୀର୍ଥଙ୍କ ପାଦପଦ୍ମରେ କୋଟି କୋଟି ପ୍ରଣାମ। ଶୁଦ୍ଧ ମନରେ ତାଙ୍କ ସତ୍ତାକୁ ଅନୁଭବ କଲେ ହିଁ ଜୀବନ ଧନ୍ୟ ହେବ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
