August 21, 2026
Home » ଯୁଦ୍ଧ ନୁହଁ, ଶାନ୍ତି ଚାହୁଁ ସ୍ୱାଧୀନତା ସଂଗ୍ରାମୀ ରଘୁନାଥ ପଣ୍ଡାଙ୍କ ତିରୋଧାନ ଦିବସରେ ଯୁଦ୍ଧ ବିଭୀଷିକା ବିରୁଦ୍ଧରେ ଚର୍ଚ୍ଚା

ଯୁଦ୍ଧ ନୁହଁ, ଶାନ୍ତି ଚାହୁଁ ସ୍ୱାଧୀନତା ସଂଗ୍ରାମୀ ରଘୁନାଥ ପଣ୍ଡାଙ୍କ ତିରୋଧାନ ଦିବସରେ ଯୁଦ୍ଧ ବିଭୀଷିକା ବିରୁଦ୍ଧରେ ଚର୍ଚ୍ଚା

0
WhatsApp Image 2024-10-15 at 1.36.44 PM

ବ୍ରହ୍ମପୁର,ତା.୧୪. ୧୦: ବ୍ରିଟିଶ ବିରୁଦ୍ଧରେ ତଥା ମୁସ୍ତାଦାର, ଜମିଦାରୀ ବ୍ୟବସ୍ଥା ବିରୁଦ୍ଧରେ ଲଢେଇ କରିଥିବା ବିଶିଷ୍ଟ ଚାଷୀ ନେତା କବିରାଜ ରଘୁନାଥ ପଣ୍ଡାଙ୍କ ଆଜି ୧୭ତମ ତିରୋଧାନ ଦିବସରେ ସମଗ୍ର ବିଶ୍ୱରେ ଦେଖା ଦେଇଥିବା ଯୁଦ୍ଧର ବିଭୀଷିକା ବିରୁଦ୍ଧରେ ଏକ ଜନ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସଭାରେ ଆଇନଜୀବୀ ଅବନୀ ଗୟା ଅଧ୍ୟକ୍ଷତା କରିଥିବା ବେଳେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ମୁଖ୍ୟ ଅତିଥି ଓ ଗଞ୍ଜାମ ଓକିଲ ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଭଗବାନ ସାହୁ ଓ ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ୱରେ ବର୍ତମାନ ବିଭିନ୍ନ ପ୍ରକାର କାରଣ ଦେଖାଇ ପ୍ରତିଶୋଧ ପରାୟଣ ହୋଇ ଏକ ପ୍ରକାର ଯୁଦ୍ଧର ବାତାବରଣ ସୃଷ୍ଟି କରାଯିବା ସହ ଜନଗଣଙ୍କ ପ୍ରକୃତ ସମସ୍ୟା ସମାଧାନ ଦିଗରେ ଅଣଦେଖା କରାଯାଉଛି l ଜନଗଣଙ୍କ ମୌଳିକ ଆବଶ୍ୟକତା ଓ ମାନବିକ ଅଧିକାରକୁ ଧ୍ବଂସ କରି ଦେଶ ଦେଶ ମଧ୍ୟରେ ଓ ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ମନୋଭାବର ପ୍ରଚାର ପ୍ରସାର କରାଯାଉଛି l ଯୁଦ୍ଧାସ୍ତ୍ର, କ୍ଷେପଣାସ୍ତ୍ର, ବୋମା, ଯୁଦ୍ଧ ବିମାନ ଆଦି ନିର୍ମାଣ କରି ବିଭିନ୍ନ ଦେଶକୁ ଚୋରା ଚାଲାଣ କରୁଥିବା ଓ ବିଭିନ୍ନ ଦେଶକୁ ବିକ୍ରି କରୁଥିବା ବିଭିନ୍ନ ପୁଞ୍ଜିପତି ଓ ଦଲାଲ ମାନଙ୍କ ବ୍ୟବସାୟକୁ ବଞ୍ଚାଇବାକୁ, ସୁରକ୍ଷିତ ଭାବେ ଚାଲୁ ରଖିବାକୁ ଯୁଦ୍ଧ ଆବଶ୍ୟମ୍ଭାବି ହୋଇପଡିଛି ଏବଂ ସେମାନଙ୍କ ଇଛା ପ୍ରକାରେ ରାଷ୍ଟ୍ର ବ୍ୟବସ୍ଥା ପରିଚାଳିତ ହେଉଛି l ପରିଣାମ ସ୍ୱରୂପ ଲକ୍ଷ ଲକ୍ଷ ସାଧାରଣ ଜନତା ଅକାଳରେ ଯୁଦ୍ଧର ମୃତ୍ୟୁ ତାଣ୍ଡବର ଶିକାର ହୋଇପଡୁଛନ୍ତି l ଏହି ଅମାନୁଷିକ ନୃଶଂସ ଷଡଯନ୍ତ୍ର ସମ୍ପର୍କରେ ବିଭିନ୍ନ ଦେଶର ସାଧାରଣ ଜନତା ସଚେତନ ହେବା ନିହାତି ଆବଶ୍ୟକ ବୋଲି ଆଜିର ସଭାରେ ମତ ପ୍ରକାଶ ପାଇଛି l ଅନ୍ୟ ମାନଙ୍କ ମଧ୍ୟରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ଓଡିଶା କୃଷକ ସଭାର ଜିଲ୍ଲା ସମ୍ପାଦକ ଗୋପାଳ ପାଣିଗ୍ରାହୀ, ପୀତବାସ ମହାପାତ୍ର,ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ଆଶା କିରଣ ପଣ୍ଡା,କବି ପ୍ରଫୁଲ୍ଲ କୁମାର ମହାପାତ୍ର,ଆପର ଆଦିତ୍ୟ ରଥ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଏବଂ ଶେଷରେ ସୁରେନ୍ଦ୍ର ମହାପାତ୍ର ଧନ୍ୟବାଦ ଜଣାଇଥିଲେ ଓ ରଘୁନାଥ ପଣ୍ଡା ସ୍ମୃତି କମିଟି ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ରବୀନ୍ଦ୍ର ପଣ୍ଡା, ଅମୁଲ୍ୟ ଚନ୍ଦ୍ର ପଣ୍ଡା,ଚିନ୍ମୟୀ ପଣ୍ଡା ଆଦି ପରିଚାଳନାରେ ସହଯୋଗ କରିଥିଲେ l

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।