ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ୯୧ତମ ଓଡିଶା ଦିବସ -୨୦୨୬ ମହାସମାରୋହ ପାଳିତ।
ରାଇରଙ୍ଗପୁର:ବାମନଘାଟୀ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଖଣ୍ଡ ପ୍ରଶାସନ ତରଫରୁ ୯୧ତମ ଓଡିଶା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି.ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରତ୍ୟୁଷ ଘ.୦୪-୩୦ ମିନିଟ ସମୟରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ କାର୍ଯ୍ୟାଳୟ ତରଫରୁ ରାଇରଙ୍ଗପୁର ସହରାଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧ ସଂଗୀତ ବାଦନ କରାଯାଇଥିଲା. ପ୍ରାତଃ ୦୭ -୩୦ ମିନିଟ ସମୟରେ ବାମନଘାଟୀ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରାଙ୍କ ଅଧ୍ୟକ୍ଷତା ରେ ଅନ୍ୟାନ୍ୟ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଛାତ୍ର ଛାତ୍ରୀଙ୍କ ଗହଣରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ବରପୁତ୍ର ଓ ମହାମନୀଷୀ ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ସମୂହ ମାଲ୍ୟାର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ଏହାପରେ ପୂର୍ବାହ୍ନ ୦୯ ଘଟିକା ସମୟରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା.ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ବାସନ୍ତୀ ଲାକ୍ରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଚରଣ ହେମ୍ବ୍ରମ, ଡେପୁଟି କଲେକଟର ଶ୍ରୀ ମାନସ ରଞ୍ଜନ ବେହେରା, ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠି, ଅନିତାରାଣୀ ମହାନ୍ତ ଓ ଅପର୍ଣ୍ଣା ଅପରାଜିତା ଯୋଗ ଦେଇଥିଲେ.ଏତଦ ବ୍ୟତୀତ ବାମନଘାଟୀ ଉପଖଣ୍ଡ ଅତର୍ଗତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ବରିଷ୍ଠ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ଓ ଗଣମାଧ୍ୟମର ପ୍ରତିନିଧି ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ.ପ୍ରାରମ୍ଭ ରେ ବରପୁତ୍ର ମାନଙ୍କ ଫୋଟଚିତ୍ରରେ ଅତିଥି ବୃନ୍ଦ ଓ ଉପସ୍ଥିତ ଅନ୍ୟାନ୍ୟମାନେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଭା କାର୍ଯ୍ୟ ଆରମ୍ଭରେ ମାତୃଭୂମିକୁ ସମ୍ମାନ ପ୍ରଦର୍ଶନ ଉଦେଶ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଂଗୀତ ବାଦନ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା.

ଏହି ଅବସରରେ ମୁଖ୍ୟ ଅତିଥି ଓଡିଶା ଦିବସ ପାଳନ ର ତାତ୍ପର୍ଯ୍ୟ ପ୍ରତିପାଦନ କରି ଯେଉଁ ଯୁଗଜନ୍ମା ମହାମନୀଷୀ ମାନଙ୍କ ଅଦ୍ୟମ ପ୍ରଚେଷ୍ଟା ରେ ଏହା ସମ୍ଭବ ହୋଇ ପାରିଥିଲା ସେମାନଙ୍କ ନୀତି ଓ ଆଦର୍ଶ ର ସ୍ମୃତି ଚାରଣ କରିଥିଲେ ଏବଂ ସେମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ସଂଗେ ସଂଗେ ଏହାକୁ ପାଥେୟ କରି ଓଡିଶା ର ସର୍ବାଙ୍ଗୀନ ଉନ୍ନତିକଳ୍ପେ ନିଜ ନିଜ ସ୍ତରରେ କାର୍ଯ୍ୟ କରି ଓଡିଶା ରାଜ୍ୟକୁ ଏକନମ୍ବର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ କରିବା ପାଇଁ ଆଜିର ଦିନରେ ସଂକଳ୍ପ ନେବା ପାଇଁ ଆହ୍ୱାନ ଜଣାଇ ଥିଲେ

.ଅନ୍ୟାନ୍ୟ ମଂଚାସୀନ ଅତିଥିମାନେ ମଧ୍ୟ ଦିବସ ପାଳନ ପଛର ଇତିହାସ ସମ୍ଭନ୍ଧ ରେ ଆଲୋକପାତ କରିବା ସହିତ ଓଡ଼ିଆ ଜାତିର ଯେଉଁ ଯୁଗଜନ୍ମା ମହାମନୀଷୀ ତଥା ମାତୃଭୂମି ପ୍ରେମୀ ମାନଙ୍କ ନିସ୍ଵାର୍ଥପର ତ୍ୟାଗ, ଆତ୍ମବଳିଦାନ ଓ ଲହୁ ଲୁହର ପ୍ରତିଦାନ ରେ ଓଡିଶା ଏକ ଭାଷା ଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇ ଭାରତ ମାନଚିତ୍ର ରେ ସ୍ଥାନ ଅଧିକାର କରିବା ସହିତ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ସେହି ମହାମନୀଷୀ ମାନଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ସେମାନେ ଆମର ଚିରସ୍ମରଣୀୟ ଓ ଚିର ନମସ୍ୟ ବୋଲି ବକ୍ତବ୍ୟ ରେ ପ୍ରତିପାଦନ କରିଥିଲେ. ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଵୟୋ ଜ୍ୟୋଷ୍ଠ ନାଗରିକ ଶ୍ରୀ ରସାନନ୍ଦ ଲେଙ୍କା, ଦୁଷ୍ମନ୍ତ କୁମାର ବସା, ବରିଷ୍ଠ ସାମ୍ବାଦିକ ସୌରଭ ପଟ୍ଟନାୟକ,ବରିଷ୍ଠ ଶିକ୍ଷାବିତ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ହିମାଂଶୁ ଶେଖର ପଟ୍ଟନାୟକ,ଅଧ୍ୟାପକ ବିଜୟ କୁମାର ରାମ, ଅବସର ପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ତିମିର ରଞ୍ଜନ ପଣ୍ଡା ପ୍ରମୁଖ ଓଡିଶା ଦିବସର ଅନୁଚିନ୍ତା ଉପରେ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥିବୃନ୍ଦ ଟ୍ରଫି ଓ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ .ବାମନଘାଟି ଉପଖଣ୍ଡ ପ୍ରଶାସନ ତତ୍ୱାବଧାନ ତଥା ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ରଞ୍ଜନ କୁମାର ନନ୍ଦ ମଞ୍ଚ ପରିଚାଳନା କରିଥିଲେ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲୀପ କୁମାର ମହାନ୍ତି ଏବଂ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.l
