ରାଷ୍ଟ୍ରପତି ଙ୍କ ପୁରୀ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ : ଫେବୃୟାରୀ ମାସ ୩ ତାରିଖରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ର ପ୍ରସ୍ତାବିତ ପୁରୀ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଗତକାଲି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଫେବୃୟାରୀ ୩ ତାରିଖ ଅପରାହ୍ନ ରେ ମହାମହୀମ ରାଷ୍ଟ୍ରପତି ପୁରୀ ରେ ପହଞ୍ଚିବେ।ତା ପରଦିନ ଅର୍ଥାତ ୪ ତାରିଖ ପ୍ରତ୍ୟୁଷରୁ ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ମହାପ୍ରଭୁଙ୍କ ଦର୍ଶନ ର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ସମସ୍ତ ବିଭାଗ ନିଜ ଦାୟିତ୍ୱ କୁ ଅତ୍ୟନ୍ତ ନିଷ୍ଠାର ସହ ସମ୍ପର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କୌଣସି ଠାରେ ଯେପରି କିଛି ତୃଟି ନ ରୁହେ ସେଥି ପ୍ରତି ଯତ୍ନବାନ ହେବା ସହ ପାରସ୍ପରିକ ସହଯୋଗ ମଧ୍ୟରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।ଏସ ପି ପ୍ରତୀକ ସିଂ ଟ୍ରାଫିକ ବ୍ୟବସ୍ଥା, ଶୃଙ୍ଖଳା ରକ୍ଷା, ପାର୍କିଂ ବ୍ୟବସ୍ଥା, ବ୍ୟାରିକେଡ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋକପାତ କରିବା ସହ ପୂର୍ବ ସମୟର ରାଷ୍ଟ୍ରପତି ଙ୍କ ଗସ୍ତର ଅଭିଜ୍ଞତା ଆଧାର ରେ ଚଳିତ ଗସ୍ତ କୁ ଆହୁରି ଭଲ ଭାବରେ ପରିଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ। ବିସ୍ତୃତ ଆଲୋଚନା ପରେ ତାଳବଣିଆ ହେଲିପ୍ୟାଡରେ ରାଷ୍ଟ୍ରପତି ଙ୍କୁ ସ୍ୱାଗତ, ରାଷ୍ଟ୍ରପତି ଓ ଅନ୍ୟାନ୍ୟ ଅଧିକାରୀ , କର୍ମଚାରୀ ମାନଙ୍କ ରହଣି ବ୍ୟବସ୍ଥା, ଗମନାଗମନ ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା, ସୁରକ୍ଷା,ବ୍ୟାରିକେଡ ଓ ଟ୍ରାଫିକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ରାସ୍ତା ମରାମତି, ପାନୀୟ ଜଳ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ଓ ଟେଲିଫୋନ ଯୋଗାଯୋଗ ବ୍ୟବସ୍ଥା, ଶୌଚାଳୟ ଓ ପରିମଳ ବ୍ୟବସ୍ଥା, ଶ୍ବେତଗଙ୍ଗାରେ ପିଣ୍ଡଦାନ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଶ୍ରୀଜୀଉ ଙ୍କ ଦର୍ଶନ ବ୍ୟବସ୍ଥା ଓ ୪ ତାରିଖରେ ଫେରିବା ବ୍ୟବସ୍ଥା କୁ ସୁନିୟନ୍ତ୍ରିତ କରିବାକୁ ଆଲୋଚନା କରାଯାଇଥିଲା। ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ ହୋଇ ଥିବାରୁ ପ୍ରୋଟୋକଲ ଅନୁସାରେ ସମସ୍ତ ବ୍ୟବସ୍ଥା ଶୃଙ୍ଖଳା ର ସହ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଆଇପିଏସ ପ୍ରୋବେସନର ଏ କେ ବିଜୟ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଶ୍ରୀମନ୍ଦିର ନୀତି ଉପ ପ୍ରଶାସକ ରଞ୍ଜନ କୁମାର ବେହେରା , ଉପଜିଲ୍ଲାପାଳ ରାଜ କିଶୋର ଜେନା, ପୁରୀ ପୌରନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା , ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
