ରାହସ୍ୟମୟୀ ତାରିଣୀ ଉନ୍ମୋଚିତ
କେନ୍ଦୁଝର: କେନ୍ଦୁଝରର ପ୍ରବୀଣ ଐତିହାସିକ ନିରଞ୍ଜନ ବାରିକଙ୍କ ବହୁ ଗବେଷଣାଲବ୍ଧ ପୁସ୍ତକ ରହସ୍ୟମୟୀ ତାରିଣୀ କେନ୍ଦୁଝରର ଭୂତପୂର୍ବ ଜିଲ୍ଲାପାଳ ଡ. ଅରୁଣ ପଣ୍ଡାଙ୍କ ଦ୍ଵାରା ସ୍ଥାନୀୟ ସର୍କିଟ ହାଉସର ସଭା କକ୍ଷରେ ଉନ୍ମୋଚିତ ହୋଇଯାଇଛି। କେନ୍ଦୁଝର ସାକ୍ଷରତା ସମିତିର ଏକ ବନ୍ଧୁମିଳନ ଅବକାଶରେ ଡକ୍ଟର ପଣ୍ଡା ଅତିଥି ଭାବେ ଯୋଗ ଦେବା ସହିତ ତତ୍କାଳୀନ ସାକ୍ଷରତା ଅଭିଯାନରେ ସାମିଲ ହୋଇଥିବା ଅନେକ କର୍ମୀ ଏହି ବନ୍ଧୁମିଳନ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରୁ ଗବେଷକ ନିରଞ୍ଜନ ବାରିକଙ୍କ ଦୀର୍ଘଦିନର ଗବେଷଣାଲବ୍ଧ ପୁସ୍ତକ ରହସ୍ୟମୟୀ ତାରିଣୀ ପୁସ୍ତକକୁ ଉନ୍ମୋଚନ କରି ଡକ୍ଟର ପଣ୍ଡା ସୁଦୀର୍ଘ ତେତିଶ ବର୍ଷ ତଳର ସ୍ମୃତିଚାରଣ କରିଥିଲେ। କେନ୍ଦୁଝରରୁ ନିରକ୍ଷରତା ହଟାଇ ଦେବାକୁ ସେ କାଳର ସଂଗ୍ରାମ ସ୍ଵାଧୀନତା ପ୍ରାପ୍ତି ପରବର୍ତ୍ତୀ କଳାର ଶ୍ରେଷ୍ଠ ସଂଗ୍ରାମ ଥାଲା। ଏଥିରେ ଯେଉଁ ସଂଗ୍ରାମୀ ମାନେ ସାମିଲ ହୋଇଥିଲେ ସେମାନଙ୍କ ନିଷ୍ଠାପର ତ୍ୟାଗ ଅବିସ୍ମରଣୀୟ। ସେହି ଅଭିଯାନରେ ସାମିଲ ହୋଇ ନିରଞ୍ଜନ ବାବୁ ପାଠ୍ୟପୁସ୍ତକ ରଚନା କରି ସାରା ଜିଲ୍ଲାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କେନ୍ଦୁଝର ମାଟିରେ ସେ ଏବେବି ଜଣେ ତପସ୍ୱୀ ଭାବେ ସାଧନରତ। ପୂର୍ବରୁ କେନ୍ଦୁଝର ଇତିହାସ ଏବଂ ରହସ୍ୟମୟ ଜଗନ୍ନାଥ ଓ କେନ୍ଦୁଝର ପୁସ୍ତକ ରଚନା କରି ନିଜ ତ୍ୟାଗ ଓ ଏକନିଷ୍ଠ ସାଧନାର ପରିଚୟ ଦେଇଥିଲେ। ଏବେ କେନ୍ଦୁଝରର ରାଷ୍ଟ୍ରଦେବୀ ତାରିଣୀଙ୍କ ରହସ୍ୟ ଅନୁସନ୍ଧାନ କରି ଏ ପୁସ୍ତକ ରଚନା କରିଛନ୍ତି । ସୁଦୀର୍ଘ ୪୨ ବର୍ଷ ଅଧ୍ୟୟନ କରି ସେ ଏହି ପୁସ୍ତକଟିକୁ ଲେଖିଛନ୍ତି। ବହୁ ଅଜ୍ଞାତ ବିଷୟ ଏଥିରୁ ଜାଣିବାକୁ ହେବ। ପୁସ୍ତକଟି ତାଙ୍କର ଅନ୍ୟାନ୍ୟ ପୁସ୍ତକ ଭଳି ବେଶ୍ ଆଦୃତ ହେବ ନିଶ୍ଚୟ। ଏହି ବନ୍ଧୁ ମିଳନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆବାହକ ମଲ୍ଲୀ ମହାପାତ୍ର, ଆଡଭୋକେଟ ବିରଜା ମିଶ୍ର, ବିପ୍ଳବ ମିଶ୍ର, ଡ. ଚିତ୍ତ ମିଶ୍ର, ସମାଜସେବୀ ଧରିତ୍ରୀ ରାଉତ, ସେବତୀ ସିଂହ, କବି ଭରତ ପାତ୍ର ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତି ଥିଲେ।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
