ରେଳଷ୍ଟେସନରୁ ଲକ୍ଷାଧିକ ଟଙ୍କା ସହ ବିଦେଶୀ ମୁଦ୍ରା ଜବତ, ଆସାମୀ ଫେରାର
ସୁବର୍ଣ୍ଣପୁର—- ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଡୁଙ୍ଗୁରିପାଲି ରେଳଷ୍ଟେସନ ଭିତରୁ ଜଣେ ବ୍ୟକ୍ତି ଠାରୁ ବଲାଙ୍ଗିର ରେଳ ସୁରକ୍ଷା ବଳ (ଆର୍ପିଏଫ୍) ୨.୬୯ ଲକ୍ଷ ଟଙ୍କା ସହ ୪ ବିଦେଶର ୧୯ଟି ନୋଟ୍ ଜବତ କରିଛି । ଏଥିରେ ୨ଲକ୍ଷ ୬୮ହଜାର ୭୭୪ ଭାରତୀୟ ଟଙ୍କା ଏବଂ ୟୁଏଇ, ମାଲେସିଆ, ଥାଇଲାଣ୍ଡ ଓ ଚାଇନା ଦେଶର ନୋଟ୍ ରହିଛି ।ଗତ ୨୧ ତାରିଖ ରାତିରେ ବଲାଙ୍ଗିର ଆର୍ପିଏଫ୍ ହାବିଦଲଦାର ହୀରାଲାଲ୍ ସିଂ ଡୁଙ୍ଗୁରିପାଲି ରେଳଷ୍ଟେସନରେ ପାଟ୍ରୋଲିଂ କରୁଥିବା ବେଳେ ରାତି ୨ଟାରେ ପ୍ଲାଟଫର୍ମରେ ବସିଥିବା ଜଣେ ଯୁବକଙ୍କୁ ପଚରାଉଚୁରା କରିଥିଲେ । ଝାନ୍ସି ଯିବାକୁ ପୁରୀ-ଦୁର୍ଗ ଟ୍ରେନ୍କୁ ଅପେକ୍ଷା କରିଥିବା ସେ କହିବା ପରେ ତା’ ବ୍ୟାଗରେ କ’ଣ ଅଛି ବୋଲି ପଚାରିବାରୁ ହଠାତ୍ ଯୁବକଜଣକ ବ୍ୟାଗ୍ ଛାଡ଼ି ସେଠାରୁ ଦୌଡ଼ି ଫେରାର ହୋଇଯାଇଥିଲା । ତେଣୁ ହାବିଲଦାର ଶ୍ରୀ ସିଂ ସନ୍ଦିଗ୍ଧ ବ୍ୟାଗ୍ ଯାଞ୍ଚ କରିବାରୁ ସେଥ୍ରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ଟଙ୍କା ଥିବା ଦେଖି ବଲାଙ୍ଗିର ଆର୍ପିଏଫ୍ ଥାନାଧିକାରୀ ସୁମେର ସିଂ ଏବଂ ସ୍ଥାନୀୟ ଷ୍ଟେସନମାଷ୍ଟର ରାଧେଶ୍ୟାମ ଭୋଇଙ୍କୁ ସୂଚନା ଦେଇଥିଲେ । ବଲାଙ୍ଗିର ଆର୍ପିଏଫ୍ ଥାନା ପୁଲିସ ପହଞ୍ଚି ଉକ୍ତ ସନ୍ଦିଗ୍ଧ ଯୁବକକୁ
ଖୋଜାଖୋଜି କରିଥିଲେ ହେଁ ତା’କୁ ପାଇ ନ ଥିଲେ । ୨୨ ତାରିଖ ସକାଳ ୮ଟାରେ ବ୍ୟାଗରେ ଥିବା ଟଙ୍କା ବାହାର କରି ଗଣିବାରୁ ଭାରତୀୟ ୨ ଲକ୍ଷ ୬୮ହଜାର ୭୭୪ ଟ ଏବଂ ୟୁଏଇର ୧ଟି ଶହେ ଦିର୍ହାମ୍ ନୋଟ୍, ମାଲେସିଆ ର ୧ଟି ୫୦ ରିଙ୍ଗିଟ ନୋଟ୍,ଥାଇଲାଣ୍ଡର ୩ଟି ଶହେ ବାହତ ଓ ୬ଟି ୨୦ ବାହତ ନୋଟ୍ ସହ ଚାଇନାର ୩ଟି ଶହେ ଯୁଆ ନ୍ ନୋଟ୍, ୧ଟି ୧୦ ଯୁଆନ୍ ଓ ୪ଟି ୧ ୟୁଆନ୍ ମୁଦ୍ରା ମିଳିଥିଲା । ଏହାପରେ ଆର୍ପିଏ ଫ୍ ପକ୍ଷରୁ ଏନେଇ ଡୁଙ୍ଗୁରିପାଲି ପୁଲିସକୁ ସୂଚନା ଦିଆଯାଇଥିଲା ।ଗତ ୨୦ ତାରିଖ ରାତିରେ ଡୁଙ୍ଗୁରିପାଲି ବସ୍ଷ୍ଟାଣ୍ଡ ନିକଟ ଶ୍ୟାମ ଡେକୋରେଟରରୁ ४ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ମାଲିକ ଲକ୍ଷ୍ମଣ ମେହେର ତା’ ପରଦିନ ସକାଳେ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହାର ତଦନ୍ତ କରୁଥିବା ବେଳେ ସ୍ଥାନୀୟ ରେଳଷ୍ଟେସନରୁ ଜଣେ ସନ୍ଦିଗ୍ଧ ଯୁବକ ବ୍ୟାଗରୁ ଲକ୍ଷାଧିକ ଟଙ୍କା ମିଳିବା ନେଇ ଆର୍ପିଏଫ୍ ପକ୍ଷରୁ ସୂଚନା ମିଳିଥିବା ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ବେଳେ ଆର୍ପିଏଫ୍ ସହ ଯୋଗାଯୋଗ କରାଯାଇ ତଦନ୍ତ ଜାରି ରହିଥିବା ସେ ସୂଚନା ଦେଇଥିଲେ । ୪ଟି ଦେଶର ନୋଟ୍ ଜବତ ହୋଇଥିବାରୁ ଏହି ଘଟଣାରେ ଏକ ରାକେଟ ସାମିଲଥିବା ସନ୍ଦେହ କରାଯାଉଛି । ତୁରନ୍ତ ଏହି ରହସ୍ୟ ଉନ୍ମୋଚନ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
