February 3, 2026
Home » ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ଶାନ୍ତି କମିଟି ବୈଠକ ଅନୁଷ୍ଠିତ

0
WhatsApp Image 2025-12-10 at 12.13.55 AM

ପୂର୍ବଭଳି ଭାଇଚାରା ବଜାୟ ରଖିବାକୁ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ଏଫ.ଏଲ.ସି ହଲଠାରେ ୦୯.୧୨.୨୫ ତାରିଖ ସଂଧ୍ୟାରେ ଏମ.ଭି/୨୬ ଓ ରେଖାଲଗୁଡ଼ା ଗ୍ରାମ ମଧ୍ୟରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ପଶ୍ଚିମାଞ୍ଚଳ ଡି.ଆଇ.ଜି ଡକ୍ଟର କନୱର ଵିଶାଲ ସିଂହ, ଜିଲ୍ଳାପାଳ ସୋମେଶ କୁମାର ଉପାଧ୍ୟାୟ, ଏସ.ପି ବିନୋଦ ପାଟିଲ. ଏଚ ଓ ମାଲକାନଗିରି ବିଧାୟକ ନରସିଂହ ମାଡକାମୀଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ଆଲୋଚନା ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସହମତି ହୋଇଛି । ଜିଲ୍ଲାପାଳ ପ୍ରକାଶ କରିଛନ୍ତି ଯେ ଆମର ମାଲକାନଗିରି ଜିଲ୍ଲା ଶାନ୍ତିପ୍ରିୟ ଜିଲ୍ଲା। ଦୀର୍ଘ ବର୍ଷ ଧରି ବିଭିନ୍ନ ସମୁଦାୟ ମଧ୍ୟରେ ଭାଇଚାରା ରହିଛି। ପରସ୍ପର ମଧ୍ୟରେ ଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ର ଇତିହାସ ଆଗାମୀ ଦିନରେ ମଧ୍ୟ ବଜାୟ ରହିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି।
ଅତିଶୀଘ୍ର ଉଭୟ ପକ୍ଷର ୧୦ ଜଣ ଲେଖାଏଁଙ୍କୁ ନେଇ କୋର କମିଟି ଗଠନ କରାଯାଇ ଶାନ୍ତି ପ୍ରତିଷ୍ଠା କରାଯିବ ବୋଲି ସହମତି ପ୍ରକାଶ ପାଇଛି । ଏଥିସହ ପୂର୍ବ ଭଳି ଭାଇଚାରା ବଜାୟ ରହିବ ବୋଲି ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉ କି ଗତ ୧ ତାରିଖ ଦିନ ମାଲକାନଗିରି ଜିଲ୍ଲା ପୋଟେରୁ ନଦୀର ଡୁଡାମେଟଲା ନିକଟରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ଏହାକୁ ନେଇ ରାଖେଲଗୁଡା ଏବଂ ଏମଭି -୨୬ ଗ୍ରାମ ମଧ୍ୟରେ ଦୀର୍ଘ ୩/ ୪ ଦିନ ଧରି ଚାପା ଉତ୍ତେଜନା ଲାଗି ରହିଥିଲା। ମହିଳାଙ୍କ ହତ୍ୟା ବିରୋଧରେ ପ୍ରତିବାଦ ଯୋଗୁଁ ମଙ୍ଗଳବାର ଏମଭି-୨୬ରେ ସ୍କୁଲ ଏବଂ ଦୋକାନ ବନ୍ଦ ରହିଥିଲା।

ଶବଦାହରେ, ନ୍ୟାୟ, ପରିବାରକୁ କ୍ଷତିପୂରଣ ଏବଂ ଅବୈଧ ପ୍ରବାସୀମାନଙ୍କୁ ବହିଷ୍କାର ନେଇ ଆଦିବାସୀ ସମାଜ ପକ୍ଷରୁ ସାତ ଦଫା ଦାବି ଉଲ୍ଲେଖ ଥିବା ଏକ ଲିଖିତ ଦାବିପତ୍ର ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ପ୍ରଦାନ କରାଯାଇଥିଲା।ଗତକାଲି ମୃତକଙ୍କ ପରିବାର ଦ୍ଵାରା ମୁଣ୍ଡ ବିହୀନ ମୃତକଙ୍କ ଶରୀର ସହ ଏକ ପ୍ରତୀକାତ୍ମକ ମୁଣ୍ଡ ମଧ୍ୟ ତିଆରି କରି ତାକୁ ଯୋଡ଼ିବା ପରେ ରାଖେଲଗୁଡା ଗ୍ରାମବାସୀଙ୍କ ସମେତ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଦକ୍ଷିଣାଞ୍ଚଳ ଡିଆଇଜି ଡଃ କନଓ୍ବର ବିଶାଲ ସିଂହ, ଏସପି ବିନୋଦ ପାଟିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ପୂର୍ବତନ ବିଧାୟକ ମାନସ ମାଡକାମି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ବୁରୁଦା, ପୂର୍ବତନ ମାଲକାନଗିରି ବିଧାୟକ ପ୍ରାର୍ଥୀ ମାଲା ମାଢୀ, ପୂର୍ବତନ କୋରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ସୁବାଷ ପଡିୟାମି, ସାବିତ୍ରୀ ପଡିଆମିଙ୍କ ସମେତ ଆଦିବାସୀ ସମାଜର ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ ନେତୃ ମଣ୍ଡଳୀ ଏବଂ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ଚର୍ଚ୍ଚ, ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ଭାବରେ କବର ଦେଇଥିଲେ। ଜିଲ୍ଲା ପ୍ରଶାସନ ଶବଦାହ ପାଇଁ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ୩୦ ହଜାର ଅର୍ଥ ପ୍ରଦାନ କରିଛି ଏବଂ ମୂଖ୍ୟମନ୍ତ୍ରୀ ପାଣ୍ଠି ରୁ ୪ ଲକ୍ଷ ଓ ଅନୁକମ୍ପା ୩ ହଜାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯିବା ସହ ଅଧିକ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛି।ଜିଲ୍ଲା ପ୍ରଶାସନର ଶାନ୍ତି ବୈଠକରେ ଆଲୋଚନା ପରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୋଲିସ ଏବଂ ବିଏସଏଫ ଯବାନ ମୁତୟନ ସହ ଏମଭି -୨୬ ଗ୍ରାମ ସମେତ ଆଖପାଖ ବିଭିନ୍ନ ବଙ୍ଗୀୟ ଗାଁରେ ସିସିଟିଭି କ୍ୟାମେରା ଖଞ୍ଜାଯିବା ସହ କଡା ନଜର ରଖାଯାଇଛି।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *