ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାର ପର୍ଦ୍ଦାଫାସ କେବେ !
ନୟାଗଡ: ନୟାଗଡ ବ୍ଲକ ଅନ୍ତର୍ଗତ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ଇଟାମାଟିର ଜଣେ ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ଖଣ୍ଡା ସେହି ବିଦ୍ୟାଳୟରେ ମାତ୍ର ତିନି ମାସ ପୂର୍ବରୁ ସୁନ୍ଦରଗଡରୁ ଆସି ଶିକ୍ଷୟିତ୍ରୀ ଭାବେ ଯୋଗଦେଇଥିବା ଜନୈକା ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏ ବିଷୟରେ ଶିକ୍ଷୟିତ୍ରୀ ଜଣକ ପ୍ରଥମେ ପ୍ରଧାନ ଶିକ୍ଷକ ଓ ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ପରିସ୍ଥିତି କୁ ନିୟନ୍ତ୍ରଣ କରିବାପାଇଁ ଜିଲ୍ଲା ଶିକ୍ଷାଧିକାରୀ ଉକ୍ତ ଶିକ୍ଷୟିତ୍ରୀଙ୍କୁ ନିକଟସ୍ଥ ନାରାୟଣୀ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନ୍ରେ ପଠାଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତରେ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଇଟାମାଟି ଅଞ୍ଚଳ ସହ ସମଗ୍ର ଜିଲ୍ଲା ଏବଂ ବୁଦ୍ଧିଜୀବୀ ମହଲରେ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଚାପା ଗୁଞ୍ଜରଣ ସୃଷ୍ଟି ହେଉଛି। ଶୁଣିବାକୁ ମିଳୁଛି ଶିକ୍ଷକ ସୁରେନ୍ଦ୍ର ଖଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ହାତବାରିସି କରି ଦୀର୍ଘ ଦିନ ହେଲାଣି ନିଜର ମନମାନୀ କରିଆସୁଥିବା ବେଳେ ତାଙ୍କ କଥାରେ ଉଠବସ ନହେଲେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ତଥା ଶିକ୍ଷୟିତ୍ରୀମାନଙ୍କୁ ଧମକ ଚମକ ସହ ହଇରାଣ କରିଆସୁଛନ୍ତି। ପୂର୍ବରୁ ବିଦ୍ୟାଳୟ ପରିସରରେ ରହୁଥିବା ଜନୈକା କ୍ରିଡା ଶିକ୍ଷୟିତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇ ବିଦ୍ୟାଳୟ ପରିସରରୁ ବିତାଡ଼ିତ କରିଥିବା ଶୁଣିବାକୁ ମିଳିଥିଲା । ଶିକ୍ଷକ ଜଣକ ସ୍ଥାନୀୟ ବାସିନ୍ଦା ହେବା ସହ ବିଦ୍ୟାଳୟରେ ୨୦୦୬ ମସିହାରୁ ରହିଆସୁଥିବାରୁ ଅନେକ ଶିକ୍ଷକ , ଶିକ୍ଷୟିତ୍ରୀ ଡର ଯୋଗୁଁ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ଦୁର୍ବ୍ୟବହାରର ଶିକାର ହୋଇଥିବା ସଂପୃକ୍ତ ଶିକ୍ଷୟିତ୍ରୀ ଏହି ଶିକ୍ଷକଙ୍କ ଅଧିନସ୍ଥ ହେବା ସ୍ଵିକାର ନକରିବାରୁ ସଂପୃକ୍ତ ଶିକ୍ଷକ ତାଙ୍କୁ ବିଭିନ୍ନ ହଇରାଣ ଏବଂ ମାନସିକ ନିର୍ଯାତନା ଦେଇଆସୁଥିବା ଶିକ୍ଷୟିତ୍ରୀ କହୁଥିବା ଜାଣିବାକୁ ମିଳିଛି । ସବୁ ଜାଣି ମଧ୍ୟ ପ୍ରଧାନ ଶିକ୍ଷକ ନିରବ ରହିବା ସହ ପ୍ରକାରାନ୍ତରେ ଅଭିଯୋଗ ଆସିଥିବା ଶିକ୍ଷକଙ୍କୁ ସମର୍ଥନ କରୁଥିବା ସହକର୍ମୀଙ୍କ ଠାରୁ ପ୍ରକାଶ। ଘଟଣା ଦିନ ଶିକ୍ଷକ ଶ୍ରୀ ଖଣ୍ଡା କୈ।ଣସି କାରଣ ନଥାଇ ପିଡିତା ଶିକ୍ଷୟିତ୍ରୀଙ୍କୁ ଗାଳିଗୁଳଜ ଓ ଧମକ ଚମକ ଦେଇଥିବା କଥା ଶିକ୍ଷୟିତ୍ରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ନିଜ ଝିଅ ବୟସର ଏହି ଶିକ୍ଷୟିତ୍ରୀଙ୍କ ପ୍ରତି ପ୍ରଧାନ ଶିକ୍ଷକ ଏବଂ ଏହି ବରିଷ୍ଠ ଶିକ୍ଷକଙ୍କ ଏ ପ୍ରକାର ଦୁର୍ବ୍ୟବହାର ଏବଂ ମାନସିକ ନିର୍ଯାତନାକୁ ସବୁ ମହଲରୁ ନିନ୍ଦା କରାଯିବା ସହ ଘଟଣାର ସତ୍ୟାସତ୍ୟର ପର୍ଦ୍ଦାଫାଶ କରିବା ପାଇଁ ଜନସାଧାରଣ ଚାହିଁ ବସିଛନ୍ତି । ଅଭିଯୋଗ କରିଥିବା ଶିକ୍ଷୟିତ୍ରୀଙ୍କୁ ଅନ୍ୟ ବିଦ୍ୟାଳୟକୁ ପଠାଯାଇଥିବା ବେଳେ ଯେଉଁ ଶିକ୍ଷକଙ୍କ ନାମରେ ଅଭିଯୋଗ ହୋଇଛି ତାଙ୍କୁ କିପରି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ଇଟାମାଟିରେ ରଖାଯାଇଛି ? ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ସର୍ବ ପ୍ରଥମେ ଅଭିଯୋଗ ଆସିଥିବା ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ସତ୍ୟାସତ୍ୟର ଅନୁସନ୍ଧାନ କରିବା ସହିତ ବିହୀତ କାର୍ଯ୍ୟାୁଷ୍ଠାନ ପାଇଁ ଜନସାଧାରଣରେ ଦାବି ହେଉଅଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
