ସମଲେଇପଦରରେ ବହୁ କନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଅବସରରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ବରଗଡ଼: ଓଡ଼ିଶାର ବୀର ନାରୀ, ସ୍ଵାଧୀନତା ସଂଗ୍ରାମୀ ଓ “ବହ୍ନି କନ୍ୟା” ଭାବେ ପରିଚିତ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ରାଜ୍ୟସ୍ତରୀୟ ସମାରୋହ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତାଙ୍କର ଜନ୍ମସ୍ଥାନ ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମଲେଇପଦର ଗାଁରେ ତିନି ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଯାହାର ଉଦ୍ଦେଶ୍ୟ ହେଲା ଦେଶପ୍ରେମ, ତ୍ୟାଗ ଓ ସେବାର ଆଦର୍ଶକୁ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଚାର କରିବା। ଶତବାର୍ଷିକୀ କାର୍ଯ୍ୟକ୍ରମର ଆରମ୍ଭ୧୭.୦୧.୨୦୨୬ ଶନିବାର ଦିନ ସମଲେଇପଦର ଠାରେ ଏକ ବୃହତ୍ ସମୁହ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ସଫେଇ କାର୍ଯ୍ୟକ୍ରମ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ନିଜେ ଉପସ୍ଥିତ ରହି ସ୍ବଚ୍ଛତାର ଗୁରୁତ୍ବ ବିଷୟରେ ଲୋକମାନଙ୍କୁ ସଚେତନ କରିଥିଲେ। ତାଙ୍କ ସହ ସ୍ଥାନୀୟଜନପ୍ରତିନିଧ, ବିଭିନ୍ନ ବିଭାଗର ଅଧୁକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରୀ, ବିଜେପି ଦଳର ସମସ୍ତ ମଣ୍ଡଳ ସଭାପତି ତଥା ସଦସ୍ୟ, ସଦସ୍ୟା ଓ ସ୍ଥାନୀୟ ବାସିନ୍ଦାମାନେ ସକ୍ରିୟ ଭାବେ ଯୋଗଦେଇଥିଲେ। ଏହି ସଫେଇ ଅଭିଯାନ ମାଧ୍ୟମରେ ପାର୍ବତୀ ଗିରିଙ୍କ ସେବା ଓ ଶୃଙ୍ଖଳା ପ୍ରତି ଆଦର୍ଶକୁ ସ୍ମରଣ କରାଯାଇଥିଲା।

ଶତବାର୍ଷିକୀ ସମାରୋହର ଦ୍ବିତୀୟ ଦିନ ୧୮.୦୧.୨୦୨୬ ରବିବାର ଦିନ ବିଜେପୁର ସ୍ଥିତ ଏସ.ଏଚ.ଜି ଭବନରେ ଏକ ବୃହତ୍ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବ। ଏହି ରକ୍ତଦାନ ଶିବିର ମାଧ୍ଯମରେ ସମାଜ ସେବାର ମହାନ ଆଦର୍ଶକୁ ଆଗକୁ ବଢ଼ାଇବା ସହ ଆବଶ୍ୟକତାରେ ଥିବା ରୋଗୀମାନଙ୍କୁ ଜୀବନ ରକ୍ଷାରେ ସାହାଯ୍ୟ ମିଳିବ ବୋଲି ଆୟୋଜକମାନେ କହିଛନ୍ତି। ସ୍ଥାନୀୟ ଯୁବକ, ସାମାଜିକ ସଂଗଠନ ଓ ସ୍ବେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମରେ ବଡ଼ ସଂଖ୍ୟାରେ ଯୋଗଦେବାକୁ ଆହ୍ବାନ କରାଯାଇଛି। ଶତବାର୍ଷିକୀ ସମାରୋହର ମୁଖ୍ୟ ଆକର୍ଷଣ ୧୯.୦୧.୨୦୨୬ ଦିନ ପାର୍ବତୀ ଗିରିଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହେବାକୁ ଯାଉଥିବା ମହାସମାରୋହ। ଏହି ରାଜ୍ୟସ୍ତରୀୟ ଉତ୍ସବରେ ବରଗଡ଼ ଲୋକସଭା କ୍ଷେତ୍ରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ, ଉଚ୍ଚ ଶିକ୍ଷା ରାଜ୍ୟ କ୍ରୀଡ଼ା ଓ ସଂସ୍କୃତି ବିଭାଗ, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟରଂଶୀ ସୁରଜ ସହ ବରଗଡ଼ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପାର୍ବତୀ ଗିରିଙ୍କ ସ୍ବାଧୀନତା ସଂଗ୍ରାମରେ ଅବଦାନ, ତ୍ୟାଗ ଓ ଦେଶପ୍ରେମକୁ ସ୍ମରଣ କରାଯିବ। ସମଗ୍ର ତିନି ଦିନିଆ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପାର୍ବତୀ ଗିରିଙ୍କ ଜୀବନ ଆଦର୍ଶକୁ ନୂତନ ପିଢ଼ୀ ସମ୍ମୁଖରେ ଉପସ୍ଥାପନ କରିବାର ଏକ ସଫଳ ପ୍ରୟାସ ହେବ ବୋଲି ଆଶା ପ୍ରକାଶ ପାଇଛି।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନିଧି ବଣ୍ଡୁକିଙ୍କ ରିପୋର୍ଟ(ଇପିଏ ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି)
