August 26, 2025
Home » ସରକାରୀ କର୍ମଚାରୀଙ୍କ ଅବହେଳା ପାଇଁ ବନ୍ୟା ଜଳରେ ୮୦ ହଜାରରୁ ଊର୍ଦ୍ଧ୍ବ ଲୋକ: ବିଧାୟିକା

ସରକାରୀ କର୍ମଚାରୀଙ୍କ ଅବହେଳା ପାଇଁ ବନ୍ୟା ଜଳରେ ୮୦ ହଜାରରୁ ଊର୍ଦ୍ଧ୍ବ ଲୋକ: ବିଧାୟିକା

0
WhatsApp Image 2025-08-26 at 11.14.53 AM

ଯାଜପୁର:ଭୟଙ୍କର ରୂପ ନେଲା ବୈତରଣୀର ସାଖା କାଣୀ ନଦୀ: ଗାଁରେ ପଶିଲା ବନ୍ୟା ପାଣି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ଓ ଏହାର ଶାଖା କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଛି। କାଣୀ ନଦୀର ଦଶରଥପୁର ବ୍ଲକ୍‌ କସପା ପଞ୍ଚାୟତ ଅହିୟାସ ଦରଘା ନିକଟରେ ୧୫୦ ଫୁଟର ଘାଇ ହୋଇଛି। ଜିଲ୍ଲା ପ୍ରଶାସନ ବନ୍ୟା ପୂର୍ବରୁ ଦଦରା ନଦୀ ବନ୍ଦର ମରାମତି କରାନଯିବା କାରଣରୁ ଆଜି ଦଶରଥପୁର ବ୍ଲକ୍ ର ୮୦ ହଜାରରୁ ଉର୍ଦ୍ଧ୍ବ ଲୋକ ଜଳବନ୍ଦୀ ହୋଇଥିବା ଯାଜପୁର ବିଧାୟିକା ସୁଜାତା ସାହୁ ଗଣମାଧ୍ୟମ ମାଧ୍ୟମରେ ମତଦେଇ ଥିବା ବେଳେ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି।
ବ୍ଲକ୍‌ର କସପା, ମଲ୍ଲିକାପୁର, ତରପଦା, କଟିକଟା, ଜୟନ୍ତରା, ଛଞ୍ଚିଣା, ତରପଦା, ଦୁଦୁରାଅନ୍ତା, ନିଜାମପୁର, ଦତ୍ତପୁର, କୟାଁ, କମାରଡିହି, ଖାନନଗର, ଶୁଶୁଆ, କନିକାପଡ଼ା, ମଙ୍ଗଳପୁର, ଥାଲକୁଡ଼ି, ଜାଫରପୁର, ପାଲଟପୁର, ବିରିପଟା ଆଦି ପଞ୍ଚାୟତର ୧୦୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ବିଶେଷ କରି କସପା, ମଲ୍ଲିକାପୁର, ନିଜାମପୁର, ଦୁଦୁରାଅନ୍ତା, କୟାଁ, କମାରଡିହି, ଖାନନଗର, ଦତ୍ତପୁର, ତରପଦା, ଜୟନ୍ତରା ପଞ୍ଚାୟତରେ ଭୟଙ୍କର ପରିସ୍ଥିତି ଉପୁଜିଛି। ଅହିୟାସ ବଜାର ରାସ୍ତା ଉପରେ ୪ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଅହିୟାସ ହାଟଛକ-ଅହିୟାସ ହାଇସ୍କୁଲ ରାସ୍ତାରେ ୪ ଫୁଟ ଉଚ୍ଚତାରେ ବନ୍ୟାପାଣି ତଳମୁଣ୍ଡ ଅଞ୍ଚଳକୁ ମାଡ଼ି ଚାଲିଛି। ମଲ୍ଲିକାପୁର-ପଲ୍ଲାସାହି, ମଲ୍ଲିକାପୁର-କଣ୍ଟପଡ଼ା, ଅହିୟାସ-ମଲ୍ଲିକାପୁର, କୟାଁଗୋଲା-ଧରମପୁର, କୟାଁଗୋଲା-ଗହିରାପାଳ, ମଙ୍ଗଳପୁର-କନିକାପଡ଼ା, ମଲ୍ଲିକାପୁର-କନିକାପଡ଼ା, ମଲ୍ଲିକାପୁର-ମହାନ୍ତିପାଟଣା, ଅହିୟାସ-କମାଳପୁର ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଦୁଦୁରାଅନ୍ତା ପଞ୍ଚାୟତ କଣ୍ଟପଡ଼ା ମୁକୁଳା ଘାଇର ସ୍ଥିତି ସୁଧୁରି ନଥିବା ବେଳେ ଆଜି କସପା ପଞ୍ଚାୟତ ଦରଘା ନିକଟରେ ବଡ଼ ଘାଇ ହେବା ଯୋଗୁଁ ସ୍ଥିତି ଅଧିକ ସଙ୍ଗିନ ହୋଇପଡ଼ିଛି। ଉଭୟ ଘାଇ ଦେଇ ବନ୍ୟାଜଳ ତଳମୁଣ୍ଡକୁ ମାଡ଼ିବାରେ ଲାଗିଛି।

କାଣୀ ନଦୀର ଦଶରଥପୁର ବ୍ଲକ୍‌ କସପା ପଞ୍ଚାୟତ ଅହିୟାସ ଦରଘା ନିକଟରେ ୧୫୦ ଫୁଟର ଘାଇ ହୋଇଛି। ଫଳରେ ୨୦ଟି ପଞ୍ଚାୟତର ଶହେରୁ ଅଧିକ ଗାଁରେ ପାଣି ମାଡ଼ିଯାଇଛି। ୮୦ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ଲକ୍‌ର ୧୦ରୁ ଅଧିକ ମୁଖ୍ୟ ସଡ଼କ ଉପରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ମଙ୍ଗଳପୁର -ଆରଡ଼ି ଜାତୀୟ ରାଜପଥ, କାଟିଆ- ବୈଷପାନ ରାସ୍ତା, ମଲିକାପୁର- ବୌଳାଙ୍ଗ ରାସ୍ତା, ଅହିୟାସ-ପଞ୍ଚପଡ଼ା ଆଦି ରାସ୍ତା ଉପରେ ୩ରୁ ୪ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଉଦ୍ଧାର କାର୍ଯ୍ୟରେ କଟକ ଓଡ୍ରାଫ, ଦଶରଥପୁର ଓ ଯାଜପୁର ଅଗ୍ନିଶମ ବାହିନୀର ୬ଟି ଭୁଟୁଭୁଟି ଲାଗିଛନ୍ତି। ପ୍ରଶାସନର ସୂଚନା ମୁତାବକ, ବନ୍ୟା ଘେରରେ ରହିଯାଇଥିବା ୬୧୯୧ ଜଣ ବିପନ୍ନଙ୍କୁ ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି। ଆଜି ଅପରାହ୍ଣ ସୁଦ୍ଧା ବନ୍ୟା ପ୍ରଭାବିତଙ୍କୁ ୧୫୦ କୁଇଣ୍ଟାଲ ଚୁଡ଼ା ଓ ୧୫ କୁଇଣ୍ଟାଲ ଗୁଡ଼, ପାନୀୟଜଳ, ଔଷଧ, ଓ଼ଆର୍‌ଏସ୍‌ ପ୍ୟାକେଟ ଆଦି ବଣ୍ଟନ କରାଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କର ଦଶରଥପୁରରେ ପହଞ୍ଚି ବନ୍ୟାସ୍ଥିତି ସମୀକ୍ଷା କରିବା ସହିତ ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁଙ୍କୁ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ଦାୟିତ୍ୱ ଦେଇଛନ୍ତି।
ଦଶରଥପୁର ନିକଟରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।
ଇପିଏ ଯାଜପୁର ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *