February 12, 2026
Home » ସାଇବର ସୁରକ୍ଷା ଓ ଏଆଇ(AI)ର ସଦୁପଯୋଗ ଉପରେ ଗୁରୁତ୍ୱ

ସାଇବର ସୁରକ୍ଷା ଓ ଏଆଇ(AI)ର ସଦୁପଯୋଗ ଉପରେ ଗୁରୁତ୍ୱ

0
WhatsApp Image 2026-02-10 at 5.50.20 PM

 

ବର୍ତ୍ତମାନର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀମାନଙ୍କୁ ସାଇବର ଠକେଇରୁ ସୁରକ୍ଷିତ ରଖିବା ତଥା ଟେକ୍ନୋଲୋଜିର ସଦୁପଯୋଗ ନିମନ୍ତେ ଭାରତ ସରକାରଙ୍କ ଏନ.ଆଇ.ସି (NIC) ଆନୁକୂଲ୍ୟରେ ନବରଙ୍ଗପୁର ଜିଲ୍ଲାରେ ‘ସୁରକ୍ଷିତ ଇଣ୍ଟରନେଟ୍ ଦିବସ’ (Safer Internet Day) ପାଳିତ ହୋଇଯାଇଛି। ଜିଲ୍ଲାର ଦୁଇଟି ପ୍ରମୁଖ ଶିକ୍ଷାନୁଷ୍ଠାନ, ଉମରକୋଟ ସ୍ଥିତ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଏବଂ ନବରଙ୍ଗପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଦୁଇ ଦିନିଆ ସଚେତନତା କର୍ମଶାଳାରେ ସମୁଦାୟ ୪୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆଙ୍କ ପୌରହିତ୍ୟରେ ଅନୁଷ୍ଠୀତ ଏହି ଦୁଇ ଦିନିଆ ସଚେତନତା କର୍ମଶାଳାରେ ‘ଏଆଇ’ର ଦାୟିତ୍ବ ପୂର୍ଣ୍ଣ ବ୍ୟବହାର ସମ୍ପର୍କରେ ଗୁରୁତ୍ବରୋପ କରାଯାଇଥିଲା । ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ତଥା ଉପ ନିର୍ଦେଶକ (ଆଇଟି) ତଥା ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ବିଶ୍ୱରଞ୍ଜନ ଭୁକ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସେ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟରନେଟର ନକାରାତ୍ମକ ଦିଗଠାରୁ ଦୂରେଇ ରହି ଏହାର ସକାରାତ୍ମକ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ସହଯୋଗୀ ଭାବରେ ସାରଙ୍ଗ ଶତପଥୀ, ଡିଆରଏମ ହାଡୁବନ୍ଧୁ ରଣା ଏବଂ ବିବେକ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।
ପ୍ରତିବର୍ଷ ଫେବୃୟାରୀ ମାସ ଦ୍ଵିତୀୟ ମଙ୍ଗଳବାର ଦିନ ବିଶ୍ଵବ୍ଯାପୀ ପାଳିତ ହେଉଥିବା ଏହି ଦିବସର ଚଳିତ ବର୍ଷର ମୁଖ୍ୟ ଲକ୍ଷ୍ୟ ଥିଲା କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ (Artificial Intelligence)ର ଦାୟିତ୍ୱପୂର୍ଣ୍ଣ ବ୍ୟବହାର। ଉପ ନିର୍ଦେଶକ (ଆଇଟି) ଶ୍ରୀ ଭୁକ୍ତା ତାଙ୍କ ବକ୍ତବ୍ୟରେ ସାଇବର ଠକେଇର ନୂତନ କୌଶଳ ଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷକରି ଅଜଣା ଲିଙ୍କ୍ ରେ କ୍ଲିକ୍ ନକରିବା, ମୋବାଇଲକୁ ଆସୁଥିବା ଓଟିପି (OTP) କିମ୍ବା ବ୍ୟକ୍ତିଗତ ପାସୱାର୍ଡ ଅନ୍ୟ କାହାରି ସହ ଅଂଶୀଦାର ନକରିବା ଏବଂ ଅନଲାଇନ୍ ଆର୍ଥିକ କାରବାର ସମୟରେ ସର୍ବଦା ସତର୍କତା ଅବଲମ୍ବନ କରିବା ଉପରେ ସଚେତନ କରାଯାଇଥିଲା।
ଏହା ବ୍ୟତୀତ ଏ ଆଇ ବା କୃତ୍ରିମ ବୁଦ୍ଧିମତ୍ତା ଓ ସାମାଜିକ ଗଣମାଧ୍ୟମର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଫେସବୁକ୍, ଇନଷ୍ଟାଗ୍ରାମ କିମ୍ବା ହ୍ଵାଟ୍ସଆପ ଭଳି ପ୍ଲାଟଫର୍ମରେ କୌଣସି ତଥ୍ୟ ବା ଫଟୋ ସେୟାର କରିବା ପୂର୍ବରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା। ଭବିଷ୍ୟତରେ ଏକ ସୁରକ୍ଷିତ ଡିଜିଟାଲ ସମାଜ ଗଠନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ‘ସଚେତନ ଓ ଦାୟିତ୍ୱବାନ ଡିଜିଟାଲ ନାଗରିକ’ ଭାବରେ ଗଢିତୋଳିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ଆୟୋଜକମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନେ କେବଳ ନିଜେ ସୁରକ୍ଷିତ ରହିବା ଶିଖିନଥିଲେ ବରଂ ନିଜ ପରିବାର ଓ ସମାଜକୁ ମଧ୍ୟ ସାଇବର ବିପଦ ସମ୍ପର୍କରେ ସଚେତନ କରାଇବାକୁ ଶପଥ ନେଇଥିଲେ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *