February 26, 2026
Home » ସାହିତ୍ୟ ଜଗତରେ ମହୁରିର ଭୂମିକା ଅନବଦ୍ୟ, ଅନନ୍ୟ : ସୁବର୍ଣ୍ଣପୁରରେ ଅଷ୍ଟାଦଶ ମହୁରି ମହୋତ୍ସବ ଅନୁଷ୍ଠିତ

ସାହିତ୍ୟ ଜଗତରେ ମହୁରିର ଭୂମିକା ଅନବଦ୍ୟ, ଅନନ୍ୟ : ସୁବର୍ଣ୍ଣପୁରରେ ଅଷ୍ଟାଦଶ ମହୁରି ମହୋତ୍ସବ ଅନୁଷ୍ଠିତ

0
WhatsApp Image 2026-01-04 at 4.19.26 PM

ସୁବର୍ଣ୍ଣପୁର:ମଣିଷ ମନର ଆବେଗକୁ ପରିପ୍ରକାଶ କରିବା ପାଇଁ ସାହିତ୍ୟ ହିଁ ଏକମାତ୍ର ଉପଯୁକ୍ତ ମାଧ୍ୟମ। ସାହିତ୍ୟ ସାଧନା ସୁଖ, ଦୁଃଖ, ଅଭାବ ଓ ଅସୁବିଧା ଦେଖେ ନାହିଁ। ସେହିପରି ସାହିତ୍ୟରେ ଶବ୍ଦ, ଛନ୍ଦ, ଅଳଙ୍କାର ଅପେକ୍ଷା ଭାବ ହିଁ ମୁଖ୍ୟ ଉପଜୀବ୍ୟ ହୋଇଥାଏ। ଜୀବନକୁ ଛୁଇଁ ଛୁଇଁ ଯାଉଥିବା ପ୍ରସଙ୍ଗ ସବୁକୁ ନିଜର ପ୍ରତିଟି ପୃଷ୍ଠାରେ ତୋଳି ଧରି ମହୁରି ଆଜି ସାହିତ୍ୟ ଜଗତରେ ଏକ ଭିନ୍ନ ପରିଚୟ ତିଆରି କରିଛି। କବି, ଲେଖକ, ସାହିତ୍ୟିକ ସମସ୍ତଙ୍କୁ ନିଜର କରି ପାରୁଥିବା ମହୁରି ପତ୍ରିକା ସତରେ ସାହିତ୍ୟ ଜଗତରେ ଅନବଦ୍ୟ ଓ ଅନନ୍ୟ ବୋଲି ଆଜି ସୁବର୍ଣ୍ଣପୁରସ୍ଥିତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ଅଷ୍ଟାଦଶ ମହୁରି ମହୋତ୍ସବ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି କବିତା ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ ମହୁରି ସାହିତ୍ୟ ପତ୍ରିକା ପକ୍ଷରୁ ଏହାର ଅଷ୍ଟାଦଶ ବାର୍ଷିକ ଉତ୍ସବ ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ମହୁରିର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଲେଖକ ପ୍ରଫେସର ନାରାୟଣ ପଣ୍ଡା ଯୋଗ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ଗାଳ୍ପିକ ତଥା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, କବି ଡ. ପ୍ରୀତିଧାରା ସାମଲ ମଞ୍ଚାସୀନ ଥିଲେ। ମହୁରିର ସମ୍ପାଦକ ତଥା ଗାଳ୍ପିକ ସୁକାନ୍ତ ସାହୁ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ସୁଶୀଲ କୁମାର ସଭା ପରିଚାଳନା କରିଥିଲେ। ଏହି ଅବସରରେ ଡ. ପ୍ରୀତିଧାରା ସାମଲଙ୍କୁ ମହୁରି ସମ୍ମାନ-୨୦୨୪ ଓ ଡ. ନୃପରାଜ ସାହୁଙ୍କୁ ମହୁରି ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା। ଦ୍ଵିତୀୟ ଅଧିବେଶନରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ କବିତା ପାଠୋତ୍ସବ। ମହାନଦୀ ସାହିତ୍ୟ ସଂସଦର ସଭାପତି ଡ. ସୌରଭ ରଞ୍ଜନ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଜ୍ୟୋତିରଞ୍ଜନ ବହିଦାର, ଉଲୁଣ୍ଡା ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବାଶିଷ ପାଣ୍ଡିଆ, ଶିକ୍ଷାବିତ ଓ ଗବେଷକ ଡ. ଅନିରୁଦ୍ଧ କୁରକୁରିଆ, ଅଧ୍ୟାପିକା ଡ. ଇତିଶ୍ରୀ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ। କବି ଲକ୍ଷ୍ମୀ ନାରାୟଣ ସାହୁ, ରଞ୍ଜିତା ପଣ୍ଡା କବିତା ପାଠ ଉତ୍ସବର ସଂଯୋଜନା କରିଥିଲେ। ଏହି ଅବସରରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ୩୦ରୁ ଉର୍ଦ୍ଧ୍ଵ କବି ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟାରୂପା ରଥ,ଜିଲ୍ଲା ପଞ୍ଚାୟତ ତଥା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ସହକାରୀ ଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ସହିତ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ। ଏଥିରେ ବହୁସଂଖ୍ୟକ କବି ଓ ଲେଖକ ତଥା ସାହିତ୍ୟପ୍ରେମୀ ସାମିଲ ହୋଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *