December 22, 2024
Home » ସୁବର୍ଣ୍ଣପୁର ଜିଲ୍ଲା ଆପାତକାଳୀନ ଗୋଷ୍ଠୀ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ଆପାତକାଳୀନ ଗୋଷ୍ଠୀ ବୈଠକ ଅନୁଷ୍ଠିତ

0

ଜିଲ୍ଲାରେ ପ୍ରତିଷ୍ଠିତ ବିଭିନ୍ନ କାରଖାନା ତଥା ଜିଲ୍ଲା ମଧ୍ୟରେ ଯାତାୟlତ ବିଭିନ୍ନ ବିସ୍ପୋରକ ସାମଗ୍ରୀ, କେମିକାଲ ବୋଝେଇ ପରିବହନ ଯାନ ବାହନ ଦ୍ୱାରା ଯେକୌଣସି ଆପାତକାଳୀନ ପରିସ୍ଥିତି କୁ ମୁକାବିଲା ନିମନ୍ତେ ଜିଲ୍ଲା ଆପାତକାଳୀନ ଗୋଷ୍ଠୀ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଆସିଷ୍ଟାଣ୍ଟ ଡିରେକ୍ଟର ଫ୍ୟାକଟୋରିଜ ଆଣ୍ଡ ବଏଲର, ବଲାଙ୍ଗୀର ଜୋନ, ଶ୍ରୀ ସ୍ଵାଧୀନ କୁମାର ବେହେରା ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ଅବଗତ କରିଥିଲେ । ଜିଲ୍ଲାରେ ଗଢି ଉଠିଥିବା ଶିଳ୍ପଗୁଡିକରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ନିର୍ଗତ ଜନିତ କିମ୍ବା ସଡ଼କ ପରିବହନ ସମୟରେ ଯଦି କୌଣସି ଆପାତକାଳୀନ ପରିସ୍ଥିତି ସୃଷ୍ଟି ହୁଏ ତାହାର ସୁପରିଚାଳନା କରି ପୂର୍ବ ସ୍ଥିତି ଫେରାଇ ଆଣିବା ପାଇଁ କେଉଁ ବିଭାଗ କି କି କାର୍ଯ୍ୟ କରିବେ ତାହାର ବିସ୍ତାର ଭାବେ ଆଲୋଚନା ହୋଇଥିଲା । ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ କି କି ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଆବଶ୍ୟକ ତାହା ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ଶ୍ରୀ ବେହେରା ଏ ସମସ୍ତ ବିଷୟରେ ପାୱାର ପଏଣ୍ଟ ସହାୟତାରେ ବୈଠକରେ ଉପସ୍ଥାପନ କରିଥିଲେ । ପରେ ପରେ ବାୟୋ ମାସ ଫୁଏଲ, ପାଣିମୁରା, ତରଭା ଶିଳ୍ପ ସଂସ୍ଥାର ଅଧିକାରୀ ପାୱାର ପଏଣ୍ଟ ସହାୟତାରେ ତାଙ୍କର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ । ପରେ ପରେ ଅନ୍ୟ ଶିଳ୍ପ ସଂସ୍ଥାରୁ ଆସିଥିବା ଅଧିକାରୀଗଣ ସେମାନଙ୍କ ଦ୍ୱାରା ନିଆଯାଇଥିବା ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ । ଶିଳ୍ପ ସଂସ୍ଥା ଗୁଡିକୁ ଅଗ୍ନିକାଣ୍ଡରୁ ରକ୍ଷା ଓ ସେଥିରେ କାର୍ଯ୍ୟରତ ଶ୍ରମିକମାନଙ୍କ ସୁରକ୍ଷା ଓ ନିରାପତ୍ତା ନିମିତ୍ତ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ସାମୁହିକ ଅଭ୍ୟାସ (ମକ ଡ୍ରିଲ) ଉପରେ ଗୁରୁତ୍ଵାରୋପ କରିବା ସହ ଜିଲ୍ଲାରେ ଯାତାୟାତ ରାସାୟନିକ ବୋଝେଇ ଯାନ ବାହନ ଉପରେ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ପରିବହନ ବିଭାଗ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଆସନ୍ତା ଜାନୁଆରୀ ମାସରେ ଜିଲ୍ଲା ଆପାତକାଳୀନ ଗୋଷ୍ଠୀର ସଦସ୍ୟମାନଙ୍କୁ ସାମିଲ କରି ରାସାୟନିକ ପଦାର୍ଥ ସଡ଼କ ପରିବହନ ଜନିତ ଆପାତକାଳୀନ ପରିସ୍ଥିତି ଉପରେ ଏକ ଅଫ ସାଇଟ ମକ ଡ୍ରିଲ ଓ ବାୟୋ ମାସ ଫୁଏଲ ଶିଳ୍ପ ସଂସ୍ଥା ପରିସରରେ ଏକ ଅନ ସାଇଟ ମକ ଡ୍ରିଲ ଆୟୋଜନ କରିବା ପାଇଁ ସ୍ଥିର କରାଗଲା । ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାମପ୍ରସାଦ ସାହୁ, ଉପ-ଜିଲ୍ଲାପାଳ ସୋନପୁର ଶ୍ରୀମତୀ ସୌମ୍ୟା ରୂପା ରଥ, ପ୍ରଯୁଜ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀବୃନ୍ଦ ଓ ବିଭିନ୍ନ ଶିଳ୍ପ ସଂସ୍ଥାର ଅଧିକାରୀଗଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *

You may have missed