February 24, 2026
Home » ‘ସ୍ତମ୍ଭସାହିତ୍ୟ’ ଆଲୋଚନାରେ ଭାଗ ନେଲେ ବିଶିଷ୍ଟ ସ୍ତମ୍ଭକାର

‘ସ୍ତମ୍ଭସାହିତ୍ୟ’ ଆଲୋଚନାରେ ଭାଗ ନେଲେ ବିଶିଷ୍ଟ ସ୍ତମ୍ଭକାର

0
WhatsApp Image 2025-12-05 at 8.55.09 AM

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମୀ ଓ ‘ଶବ୍ଦସ୍ପର୍ଶ’ ଅନୁଷ୍ଠାନର ମିଳିତ ଆୟୋଜନକ୍ରମେ ଭୁବନେଶ୍ବରର ଗୀତଗୋବିନ୍ଦ ସଦନଠାରେ ଡିସେମ୍ବର ଚାରି ତାରିଖରେ ଓଡ଼ିଆ ସ୍ତମ୍ଭସାହିତ୍ୟ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଅନେକ ସୁପରିଚିତ ସ୍ତମ୍ଭକାର ଯୋଗଦେଇ ବୌଦ୍ଧିକ ବିଚାର-ବିମର୍ଶରେ ଭାଗନେଇଥିଲେ।ପୂର୍ବାହ୍ଣ ୧୧ଟା ବେଳେ ଆରମ୍ଭ ହୋଇଥିବା ଏହି ଆଲୋଚନାଚକ୍ରର ଉଦ୍‌ଘାଟନୀ ଅଧିବେଶନରେ ଅତିଥି ପରିଚୟ ପ୍ରଦାନ କରିଥିଲେ ‘ଶବ୍ଦସ୍ପର୍ଶ’ ଅନୁଷ୍ଠାନର ସମ୍ପାଦକ ପବିତ୍ର ମୋହନ ମହାରଥା। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଆଲୋଚନା ଆରମ୍ଭ କରିଥିଲେ। ସେ କହିଲେ ଯେ ସ୍ତମ୍ଭକାରମାନେ ହେଉଛନ୍ତି ଗଣତନ୍ତ୍ରର ପଞ୍ଚମ ପ୍ରହରୀ ଏବଂ ଏକ ବସ୍ତୁନିଷ୍ଠ ବିଶ୍ଳେଷଣ ହେଉଛି ସ୍ତମ୍ଭସାହିତ୍ୟର ଆଧାର। ‘ପ୍ରଗତିବାଦୀ’ର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ କହିଲେ ଯେ ସ୍ତମ୍ଭକୁ ସାହିତ୍ୟ ଭାବରେ ସ୍ବୀକୃତି ଦିଆଯାଇପାରିନଥିବା ପରିତାପର ବିଷୟ। ‘ଆହ୍ବାନ’ର ସମ୍ପାଦକ ବିଭୂତି ଭୂଷଣ କର କହିଲେ ଯେ ସ୍ତମ୍ଭକାରମାନେ ଜଣେ ଜଣେ ଗବେଷକ ଓ ମନୋବିଜ୍ଞାନୀ I ବର୍ଷୀୟାନ ସ୍ତମ୍ଭକାର ଭଗବାନ ପ୍ରକାଶ ସ୍ତମ୍ଭସାହିତ୍ୟ ସାଧାରଣ ପାଠକଙ୍କ ପାଖରେ ସହଜରେ ପହଞ୍ଚିପାରିବାର ସାମର୍ଥ୍ୟ ରଖେ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଲେ ଯେ ସ୍ତମ୍ଭକୁ ସାହିତ୍ୟର ମାନ୍ୟତା ଦେଇ ତାହାର ମୂଳ ଉଦ୍ଦେଶ୍ୟକୁ ଆମେ ବିଭ୍ରାନ୍ତ କରିବା ଉଚିତ ନୁହେଁ। ତାଙ୍କର ଏହି ମନ୍ତବ୍ୟକୁ ଆଲୋଚନାରେ ଭାଗନେଇଥିବା କିଛି ସ୍ତମ୍ଭକାର ନିଜର ବକ୍ତବ୍ୟରେ ଖଣ୍ଡନ କରିଥିଲେ, ଯାହା ଆଲୋଚନା ଚକ୍ରକୁ ପ୍ରାଣବନ୍ତ କରିଥିଲା । ସୁବିଦିତ ସାମ୍ବାଦିକ ଶ୍ରୀରାମ ଦାଶ ନିଜର ସ୍ତମ୍ଭରଚନା ଜନିତ ଅନୁଭୂତି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ସ୍ତମ୍ଭକାରମାନେ ହେଉଛନ୍ତି ‘ମାମୁ’ (ମାଗଣା ମୂଲିଆ) ଶ୍ରେଣୀୟ, କାରଣ ସେମାନଙ୍କୁ ସେମାନଙ୍କ ଲେଖାର ପାରିଶ୍ରମିକ ମିଳେନାହିଁ।

ଅଧିବେଶନରେ ସଭାପତିତ୍ବ କରିଥିବା ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଦେବପ୍ରସାଦ ଦାଶ ମତ ଦେଇଥିଲେ ଯେ ସମ୍ବାଦପତ୍ରର ସ୍ତମ୍ଭଗୁଡ଼ିକ ସାହିତ୍ୟର ଏକ ଅଂଶ ଭାବରେ ସ୍ବୀକୃତି ପାଇସାରିଛି। ସ୍ତମ୍ଭକାର ଶ୍ରୁତକୀର୍ତ୍ତି ତ୍ରିପାଠୀଙ୍କ ସ୍ତମ୍ଭ ସଂକଳନ ‘କୀର୍ତ୍ତିକଥା’ ଏହି ଅବସରରେ ଲୋକାର୍ପିତ କରାଯାଇଥିଲା। ଏହି ଅଧିବେଶନଟିକୁ ସଂଯୋଜନା କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପ ସଚିବ ସଞ୍ଜୟ କୁମାର ଛୁଆଳସିଂହ ।ପରବର୍ତ୍ତୀ ଦୁଇଟି ଅଧିବେଶନର ବିଷୟ ଥିଲା ଯଥାକ୍ରମେ ‘ସ୍ତମ୍ଭସାହିତ୍ୟ ସମାଜର ଦର୍ପଣ’ ତଥା ‘ସ୍ତମ୍ଭସାହିତ୍ୟ ସମାଜର ଦିଗଦର୍ଶକ’ I ଦୁଇଟି ଅଧିବେଶନ ଏକତ୍ର ଆୟୋଜନ କରାଯାଇଥିଲା I ଏହି ମିଳିତ ଅଧିବେଶନରେ ସଭାପତିତ୍ବ କରିଥିଲେ ବିଶିଷ୍ଟ ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା । ସ୍ତମ୍ଭ ସାହିତ୍ୟ ଦିଗବାରିଣୀ ଭାବରେ କାର୍ଯ୍ୟ କରିଚାଲିଛି ଏବଂ ତାହାର ବାଟ ଓଗାଳିବା କଷ୍ଟକର ବ୍ୟାପାର ବୋଲି ସେ ଅଭିହିତ କରିଥିଲେ | ଏତେ ସଂଖ୍ୟକ ବିଶିଷ୍ଟ ସ୍ତମ୍ଭକାରଙ୍କୁ ସ୍ବଳ୍ପ ସମୟ ମଧ୍ୟରେ ନିଜର ବକ୍ତବ୍ୟ ରଖିବା ପାଇଁ ତାଙ୍କର ଅନୁରୋଧ ରକ୍ଷାକରି ସମସ୍ତ ନିମନ୍ତ୍ରିତ ବକ୍ତା ବିଷୟଭିତ୍ତିକ ନିଜର ସୁଚିନ୍ତିତ ମତ ରଖିଥିଲେ । ଏହି ଅଧିବେଶନରେ ସ୍ବକୀୟ ବକ୍ତବ୍ୟ ରଖିଥିଲେ ନିରଞ୍ଜନ ପାଢ଼ୀ, ନଟବର ଖୁଣ୍ଟିଆ, ସାଗର ରଞ୍ଜନ ତ୍ରିପାଠୀ, ରୀନା ରାଉତରାୟ, ଚିତ୍ତ ରଞ୍ଜନ ମିଶ୍ର, ଉପେନ୍ଦ୍ର ବିଶ୍ବାଳ, ଛନ୍ଦା ମିଶ୍ର, ସତ୍ୟବ୍ରତ ପଣ୍ଡା, ଚିନ୍ମୟ ହୋତା, ଗୌରାଙ୍ଗ ଚରଣ ପରିଡ଼ା, ଗିରିଜା ଶଙ୍କର ଶର୍ମା, ଅଭୟ ଦ୍ବିବେଦୀ ଓ ଶ୍ରୁତକୀର୍ତ୍ତି ତ୍ରିପାଠୀ I ସମ୍ପାଦକୀୟ ସ୍ତମ୍ଭ ରଚନା ଓଡିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହ ଜନମାନସକୁ ଜାଗ୍ରତ ଓ ମାନବବାଦୀ କରି ଆସିଥିବାର ପ୍ରକାଶ ପାଇଥିଲା I ସଭାଟିରେ ଏତେ ସଂଖ୍ୟକ ସ୍ତମ୍ଭକାରଙ୍କର ଏକ ବିରଳ ସମାଗମ ହୋଇଥିବା ଦୃଷ୍ଟିରୁ ଅଧିବେଶନଗୁଡ଼ିକର ସଂଖ୍ୟା ବଢ଼ାଇ ଭବିଷ୍ୟତରେ ଏହାକୁ ଦୁଇଦିନରେ ସମ୍ପନ୍ନ କରିବା ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା।ଓଡିଶା ସାହିତ୍ୟ ଏକାଡେମୀ ଏବଂ ଶବ୍ଦସ୍ପର୍ଶ’ଙ୍କ ସମ୍ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ଗରିମାମୟ ଆଲୋଚନା ଚକ୍ରରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ I ପ୍ରଥମ ଥର ପାଇଁ ଏଭଳି ଉଦାହରଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଏହା ସମାଜ ପାଇଁ ମାଇଲଖୁଣ୍ଟ ଭାବରେ ପରିଗଣିତ ହେବ ବୋଲି ସମସ୍ତେ ଖୁସିବ୍ୟକ୍ତ କରିଥିଲେ | ଶେଷରେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପ ସଚିବ ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *