July 1, 2025
Home » ୨୨ତମ ଜାତୀୟ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ଦୁଇଟି ନାଟକ “ଦି ବୋଟ ବୟ” ଏବଂ “ରଙ୍ଗଭୂମି”

୨୨ତମ ଜାତୀୟ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ଦୁଇଟି ନାଟକ “ଦି ବୋଟ ବୟ” ଏବଂ “ରଙ୍ଗଭୂମି”

0
WhatsApp Image 2025-03-22 at 11.52.22 PM

ବନ୍ଦର ନଗରୀ ପାରାଦ୍ବୀପରେ କ୍ୟାନମାସ ଦ୍ୱାରା ଆୟୋଜିତ କ୍ୟାନଫେଷ୍ଟ – ୨୦୨୫ର ଚତୁର୍ଥ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଛି ଦୁଇଟି ମନମୁଗ୍ଧକର ନାଟକ | ଦକ୍ଷିଣ ଭାରତ ଓ ପଶ୍ଚିମ ଓଡ଼ିଶାର ଦୁଇଟି ନାଟକକୁ ସ୍ଥାନୀୟ ଜୟଦେବ ସଦନଠାରେ ଦର୍ଶକମାନେ ବେଶ ଉପଭୋଗ କରିଥିଲେ |

କେରଳର କୋଚିରୁ ଆସିଥିବା ଲୋକଧର୍ମୀ ନାଟକ ସଂସ୍ଥାର ନିର୍ଦ୍ଦେଶକ ଡକ୍ଟର ଚନ୍ଦ୍ରଦାଶନଙ୍କ ନିର୍ଦ୍ଦେଶିତ ମାଲାୟାଲାମ ଭାଷାର ନାଟକ ” *ଦି ବୋଟ ବୟ ” ସ୍ୱାଧୀନତା ସଂଗ୍ରାମୀ ସହିଦ ବାଜି ରାଉତଙ୍କ ଉପରେ ଆଧାରିତ | ବାଜି ରାଉତ ହେଉଛନ୍ତି ସବୁଠାରୁ କମ ବୟସ୍କ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ସହିଦ । ରାତ୍ର ସମୟରେ ଇଂରେଜମାନେ ଯେତେବେଳେ ତାଙ୍କୁ ନୌକା ମାଧ୍ୟମରେ ବ୍ରାହ୍ମଣୀ ନଦୀ ପାରି କରିଦେବା ପାଇଁ ଆଦେଶ ଦେଇଥିଲେ, ସେତେବେଳେ ୧୨ ବର୍ଷର ବାଜି ରାଉତ ସାହସିକତାର ସହିତ ସେମାନଙ୍କୁ ମନା କରିଦେଇଥିଲେ, ଯାହାଦ୍ୱାରା ଖୁବ କମ ବୟସରୁ ତାଙ୍କୁ ନିଜର ମାତୃଭୂମି ପାଇଁ ଇଂରେଜ ମାନଙ୍କ ବନ୍ଧୁକ ଗୁଳିରେ ନିଜ ଜୀବନ ହରାଇବାକୁ ପଡିଥିଲା |

୧୨ ବର୍ଷର ଏହି କୁନି ସହିଦର ଜୀବନ କାହାଣୀକୁ ଅତି ସୁନ୍ଦର ଭାବେ ଲୋକଧର୍ମୀ ଅନୁଷ୍ଠାନର ଶିଶୁକଳାକାରମାନେ ନିଜର ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କ ନିକଟରେ ପହଞ୍ଚାଇ ପାରିଥିଲେ ଓ ପ୍ରମାଣିତ କରିଥିଲେ କି ସେତେବେଳେ ଯଦି ଏପରି ସ୍ଵାଧୀନଚେତା ବ୍ୟକ୍ତି ବିଶେଷ ନଥାନ୍ତେ ହୁଏତ ଆମ ଦେଶ ସ୍ବାଧୀନତାର ସ୍ଵାଦ ଚାଖି ପରି ନଥାନ୍ତା ।

ଚତୁର୍ଥ ସଂଧ୍ୟାର ଦ୍ୱିତୀୟ ନାଟକ ଭାବେ “ଦି ଲୂ”, ପଦମପୁର, ଓଡିଶାରୁ ଆସିଥିବା ସମ୍ବଲପୁରୀ ନାଟକ ” ରଙ୍ଗଭୂମି ” ମହୋତ୍ସବର ଅନ୍ୟ ଏକ ଆକର୍ଷଣ ଥିଲା| ନିର୍ଦ୍ଦେଶକ ଜଗନ୍ନାଥ ସେଠଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ନାଟକଟି ଅନ୍ଧ ସୂର ଦାସଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ହୋଇଥିଲା| କାହାଣୀଟି ଶକ୍ତିଶାଳୀ ବ୍ୟକ୍ତିବିଶେଷଙ୍କ ସହିତ ସୂର ଦାସଙ୍କ ମୁକାବିଲାକୁ ପ୍ରକାଶ କରେ, ଯେଉଁମାନେ ପ୍ରଗତିକୁ ଆଗେଇ ନେଉଥିବା ଏବଂ ପାରମ୍ପରିକ ମୂଲ୍ୟବୋଧକୁ ଆବଦ୍ଧ କରୁଥିବା ଦ୍ବନ୍ଦପୂର୍ଣ୍ଣ ବ୍ୟକ୍ତିତ୍ୱଙ୍କୁ ପ୍ରତିନିଧିତ୍ବ କରନ୍ତି | ଏହି ନାଟକଟି ନୈତିକ, ସଚ୍ଚୋଟତା, ନ୍ୟାୟ ଏବଂ ମାନବ ଇଛାର ଜଟିଳତାକୁ ଅନୁସନ୍ଧାନ କରେ | ଅନୁଷ୍ଠାନର ସମସ୍ତ କଳାକାରମାନଙ୍କ ଅଭିନୟ ପାରିଦର୍ଶିତାକୁ ଉପସ୍ଥିତ ସମସ୍ତ ଦର୍ଶକ ଭୃୟଶୀ ପ୍ରଶଂସା କରିଥିଲେ|

କ୍ୟାନଫେଷ୍ଟର ଏହି ସଂଧ୍ୟାରେ ସମ୍ମାନିତ ଅତିଥି ଭାବେ ପାରାଦ୍ବୀପ ବନ୍ଦର ପ୍ରାଧିକରଣର ଡେପୁଟି କଂଜରଭେଟର କ୍ୟାପଟେନ ଅଲେଖ ସାହୁଏବଂ ପାରାଦ୍ବୀପ ବନ୍ଦର ଲେଡ଼ିଜ କ୍ଲବର ଉପସଭାପତି ଶ୍ରୀମତୀ ବର୍ଣ୍ଣାଳି ଚେତିଆ ଯୋଗ ଦେଇ କ୍ୟାନମାସର ଉନ୍ନତି କାମନା କରିବା ସହିତ କଳାକାରମାନଙ୍କ ଅଭିନୟକୁ ପ୍ରସଂଶା କରିଥିଲେ | ଆସନ୍ତା କାଲି ପଞ୍ଚମ ସନ୍ଧ୍ୟାରେ ମଧ୍ୟପ୍ରଦେଶରୁ ଆସିଥିବା କଳାକାରମାନେ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମନୋଜ ସୋନିଙ୍କ ହିନ୍ଦୀ ନାଟକ “ସନ – ୨୦୨୫” ଓ କୋରାପୁଟରୁ ଆସିଥିବା କଳାକାରମାନେ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଯୋଗେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶିତ ଦେଶିଆ/ଓଡ଼ିଆ ନାଟକ ” ରେମୋ ” ମଞ୍ଚସ୍ଥ କରିବେ ।

Leave a Reply

Your email address will not be published. Required fields are marked *