November 12, 2025
Home » ଅକ୍ଟୋବର 30ରେ ଗଜପତି ଉତ୍ସବ-2025 ପ୍ରସ୍ତୁତି ବୈଠକ

ଅକ୍ଟୋବର 30ରେ ଗଜପତି ଉତ୍ସବ-2025 ପ୍ରସ୍ତୁତି ବୈଠକ

0
WhatsApp Image 2025-10-26 at 3.37.16 PM

 

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଚଳିତ ମାସ 30 ତାରିଖ ଦିନ ଗଜପତି ଉତ୍ସବ-2025 ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ଅପରାହ୍ନ 5ଘଣ୍ଟା ସମୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ସଂସ୍କୃତି ପରିଷଦର ସମସ୍ତ ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ ଏବଂ ବେସରକାରୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କୁ ନିମନ୍ତ୍ରଣ କରାଯାଇଛି । ସେହି ଦିନ ଗଜପତି ଜିଲ୍ଲାରେ କେବେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରୀୟ ଉତ୍ସବ ଗୁଡିକ ଅନୁଷ୍ଠିତ ହେବ ତାର ତାରିଖ ନିର୍ଦ୍ଧାରଣ ହେବାର ସମ୍ଭାବନା ରହିଛି । ତେବେ ପୂର୍ବରୁ ଅନୁଷ୍ଠିତ ହୋଇ ଆସୁଥିବା ଅଧିକାଂଶ ଗଜପତି ଉତ୍ସବରେ ପ୍ୟାଣ୍ଡେଲ୍, ମଞ୍ଚ, ଷ୍ଟଲ୍, ସାଜସଜା, ଖାଦ୍ୟ ବ୍ୟବସ୍ଥା ଆଦିରେ ମାତ୍ରାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ସେହି ଅନୁପାତରେ ଖର୍ଚ୍ଚର ଗୁଣବତ୍ତା ପରଖାଯାଉନି । ଫଳରେ ନାନାଦି ଅବ୍ୟବସ୍ଥା ଉପୁଜୁଥିବାର ନଜିର ରହିଛି । କେବେ ମଞ୍ଚରେ ନିଆଁ ଜଳୁଛି, ଗହଳି ସମୟରେ ନିୟନ୍ତ୍ରଣ ନଥିବା ଯୋଗୁଁ ବ୍ୟାରିକେଟ ଭାଙ୍ଗି ଲୋକେ ପଶିଯିବା, ଅପସଂସ୍କୃତି ସଂଗୀତରେ ମାତାଲ ଯୁବକ ମାନେ ଧୁଳି ଉଡାଇ ପାଣି ପାଉଚ ଫୋପାଡି ଉଦଣ୍ଡ ନୃତ୍ୟ ପ୍ରଦର୍ଶନ ହେଉଛି ।

ବାହାରୁ ଆସୁଥିବା କଳାକାର ଦଳ, ନିୟୋଜିତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ବହୁ ଦୃଷ୍ଟାନ୍ତ ରହିଛି । ଗଜପତି ଉତ୍ସବ ନିମନ୍ତେ ହେଉଥିବା କମିଟି ଗୁଡିକର ସଦସ୍ୟମାନଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁଁ ବିଶୃଙ୍ଖଳା ଉପୁଜିବା, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ମାନେ ନିଜର ଆତ୍ମଗାରିମା ଦେଖାଇବା ପାଇଁ ଏକାଧିକ କମିଟିରେ ସଦସ୍ୟ ରହିବା, ଜିଲ୍ଲାରେ ବ୍ୟାପକ ପୋଲିସ ଫୋର୍ସ ରହିଥିବା ସତ୍ତ୍ବେ ଘରୋଇ ସୁରକ୍ଷା କର୍ମଚାରୀଙ୍କ ଉପରେ ନିର୍ଭର କରିବା, ପୂର୍ବରୁ ବିଭନ୍ନ ଟେଣ୍ଡର ନେଇଥିବା କିଛି ବ୍ୟକ୍ତିଙ୍କୁ ଆଜି ସୁଦ୍ଧା ବିଲ୍ ପୈଠ ନକରିବା ଆଦି ସମସ୍ୟା ରହିଛି । ସେହିଭଳି ବିଭିନ୍ନ ନୃତ୍ୟାନୁଷ୍ଠାନର କିଛି କର୍ମକର୍ତ୍ତାମାନେ ଗଜପତି ଉତ୍ସବର କମିଟିରେ ରହି ମଧ୍ୟ ଏଥି ଉପଲକ୍ଷେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ରହି ପାତରଅନ୍ତର କରୁଥିବା ଅଭିଯୋଗ ମଧ୍ୟ ହେଉଛି । ପ୍ରସ୍ତୁତି ବୈଠକର ସୂଚନା ପାଇନପାରି ସ୍ଥାନୀୟ ଲୋକଙ୍କ ଅନୁପସ୍ଥିତିର ସୁଯୋଗ ଉଣ୍ଡି କିଛି ପ୍ରଭାବଶାଳୀ ବ୍ୟକ୍ତିବିଶେଷ ହିଟଲରଗିରି ଦେଖାଇ ନିଜ ଜନ୍ମ ଦିନ ଉତ୍ସବ ଭଳି ଉତ୍ସବକୁ ପାଳନ କରାଉଥିବା ଅଭିଯୋଗ ହୋଇ ଆସୁଛି । ତେଣୁ ଚଳିତ ଉତ୍ସବ ପ୍ରସ୍ତୁତି ବୈଠକରେ ବହୁ ମାତ୍ରାରେ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହି କିପରି ସୂଚାରୁ ରୂପେ ଉତ୍ସବ ପାଳନ କରାଯିବ ସେଥିପାଇଁ ସାହାଯ୍ୟର ହାତ ବଢାଇବାକୁ ଜିଲ୍ଲା ପ୍ରଶାସନ ଆଶା ରଖିଛି । ସେପଟେ ସହରର କୋଣଅନୁକୋଣରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କେବଳ ପ୍ରଚାର ପ୍ରସାର କମିଟିରେ ସଦସ୍ୟ ଭାବେ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *