ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଦକ୍ଷିଣୀ ଶୌଣ୍ଢିକ ମହାସଂଘ ର ଉପ ସଭାପତିଙ୍କ ପରଲୋକ।
ଲୋକପ୍ରିୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଦକ୍ଷିଣୀ ଶୌଣ୍ଢିକ ମହାସଂଘ ର ଉପସଭାପତି ରାଜେନ୍ଦ୍ର ସାହୁ(୬୨)ଙ୍କ ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇ ଯାଇଛି। ଆଜି ସକାଳେ ସେ ଭବାନୀପାଟଣା ରୁ ନିଜ ଭଉଣୀ ଘର କୁସୁମଦର ଗ୍ରାମ କୁ ମଟର ସାଇକେଲରେ ଯାଉଥିବା ସମୟରେ ତାଙ୍କୁ ସାମ୍ନାରୁ ଏକ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭବାନୀପାଟଣା ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ପୋଷ୍ଟ ମର୍ଟମ୍ ପରେ ଶବ ପରିବାର କୁ ହସ୍ତାନ୍ତର କରିଥିଲେ ହେଁ ଦୁର୍ଘଟନା ଘଟାଇ ଥିବା ଗାଡ଼ି କୁ ଏଯାଏଁ ଠାବ କରି ନ ଥିବା ଜଣାଯାଇଛି।ସ୍ଵର୍ଗତ ସାହୁ ଭବାନୀପାଟଣା ର ମାଣିକେଶ୍ଵରୀ ଓ ଟାଉନ ହାଇସ୍କୁଲ ରେ ଶିକ୍ଷକତା କରିବା ପରେ ଲାଞ୍ଜିଗଡ ବ୍ଲକ ର ବିଶ୍ଵନାଥପୁର ଆଦିବାସୀ ମଙ୍ଗଳ ବିଭାଗର ହାଇସ୍କୁଲ ରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ ତୁଲାଇ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ସେ ଦକ୍ଷିଣୀ ଶୌଣ୍ଢିକ ମହାସଂଘ ର ଉପସଭାପତି ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଧାରଣ ସଂପାଦକ ରହିଥିଲେ। ଜନ୍ମ ମାଟି ପରିଆ ଗ୍ରାମରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଏକ ମାତ୍ର ପୁଅ ଶିବା ସନ୍ତୋଷ ସାହୁ ମୁଖାଗ୍ନୀ ଦେଇଥିଲେ।
ସ୍ବର୍ଗତ ସାହୁ ଙ୍କ ଦୁଃଖଦ ମୁତ୍ୟୁ ରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଦକ୍ଷିଣୀ ଶୌଣ୍ଢିକ ମହାସଂଘ ର ସଭାପତି ଥବିର ପ୍ରସାଦ ସାହୁ,ସାଧାରଣ ସଂପାଦକ ଗୋପାଳ ଚନ୍ଦ୍ର ସାହୁ ସମେତ ଦକ୍ଷିଣୀ ଶୌଣ୍ଢିକ ମହାସଂଘର କଳାହାଣ୍ଡି- ଟିଟଲାଗଡ ସବ ଡିଭିଜନ ର ଆଞ୍ଚଳିକ ସଂଘ ର କର୍ମକର୍ତା ମାନେ ଶୋକ ବ୍ୟକ୍ତ କରି ସ୍ଵର୍ଗତ ରାଜେନ୍ଦ୍ର ସାହୁଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
