November 21, 2024
Home » ଅର୍ନ୍ତରାଷ୍ଟ୍ରୀୟ ସତ୍ୟ ମହିମା ସାଧୁ ସମ୍ମିଳନୀ ଓ ମହିମା ବ୍ରହ୍ମ ଯଜ୍ଞ ଅନୁଷ୍ଠିତ

ଅର୍ନ୍ତରାଷ୍ଟ୍ରୀୟ ସତ୍ୟ ମହିମା ସାଧୁ ସମ୍ମିଳନୀ ଓ ମହିମା ବ୍ରହ୍ମ ଯଜ୍ଞ ଅନୁଷ୍ଠିତ

0

ସୁବର୍ଣ୍ଣପୁର ସତ୍ୟ ମହିମା ଧର୍ମ ହେଉଛି ସତ୍ୟ ଯୁଗର ଧର୍ମ I ଏହି ଧର୍ମରେ ଦିକ୍ଷୀତ ବାବା ମାତା ଭକ୍ତଜନ ସତ୍ୟ ଯୁଗରେ ହେବେ ମହାମାନବ I ଏହାଥିଲା ସତ୍ୟ ମହିମା ସାଧୁ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ହରିଦ୍ବାର ମଠର ମହନ୍ତ ଶାନ୍ତନୁ ମହାରାଜ ମୁଖ୍ୟ ଅତିଥିଙ୍କର ଭାବବିହ୍ବଳ ବାଣୀ I ସନ୍ଥକବି ମହାଯୋଗୀ ଭୀମଭୋଇଙ୍କ ଦ୍ବାରା ପ୍ରଦର୍ଶିତ ଏକମାତ୍ର ସତ୍ୟ ମହିମା ଧର୍ମ ମାର୍ଗରେ କଳିଯୁଗରେ ସତ୍ୟ, ଶାନ୍ତି ପ୍ରତିଷ୍ଠିତ ହୋଇ ପାରିବ ବୋଲି ସେ ମନ୍ତବ୍ୟ ଦେଇଥିଲେ I କାର୍ତ୍ତିକ ଶୁକ୍ଳ ଦଶମୀ ତିଥିରେ ଭୀମଭୋଇଙ୍କ ସିଦ୍ଧି ଦିବସ ଉପଲକ୍ଷେ ପାଳିତ ଏହି ସତ୍ୟ ମହିମା ସାଧୁ ସମ୍ମିଳନୀ ଓ ମହିମା ବ୍ରହ୍ମ ଯଜ୍ଞରେ ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ପ୍ରାକ୍ତନ ଅଧ୍ୟକ୍ଷା ନିବେଦିତା ବଳିୟାର ସିଂ ନାୟକ, ସମ୍ବଲପୁର ଓ ସୁବର୍ଣ୍ଣପୁର କୌପୁନୀ ସମାଜ ସଭାପତି ବିରଞ୍ଚି ବାବା, ବରଗଡ ଜିଲ୍ଲା ସଭାପତି ସୁରଥ ବାବା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଥିରେ ସତ୍ୟ ମହିମା ଧର୍ମୀ ବରିଷ୍ଠ ସାମ୍ବାଦିକ, ଏଡଭୋକେଟ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିଲେ I ଏହି ସମ୍ମିଳନୀରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ବିଶେଷତଃ ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡା, ବରଗଡ, ବଲାଙ୍ଗିର , ବୌଦ୍ଧ , କଳାହାଣ୍ଡି ଅଂଚଳରୁ ସାଧୁ ସନ୍ଥ , ବାବା ମାତା ଯୋଗ ଦେଇଥିଲେ I ଉପରୋକ୍ତ ସତ୍ୟ ମହିମା ସାଧୁ ସମ୍ମିଳନୀ ଓ ମହିମା ବ୍ରହ୍ମ ଯଜ୍ଞ ଶ୍ରୀ ଶ୍ରୀ ଯୋଗେଶ୍ବର ମନ୍ଦିର, ଯୋଗ ବିହାର ତଥା ମହର୍ଷି ଯମଦଗ୍ନୀଙ୍କ ଆଶ୍ରମ ଓ ଯଜ୍ଞସ୍ଥଳ ଛନ୍ ଛାନ୍ ଡୁଙ୍ଗୁରି, ସୁବର୍ଣ୍ଣପୁରରେ ଗତକାଲି ଅହୋରାତ୍ର ଅନୁଷ୍ଠିତ ହୋଇଥିଲା I ଏହା ସନ୍ଥକବି ଚନ୍ଦ୍ରମଣି ଦାସ ଓ ଭୀମଭୋଇ ସ୍ମୃତି ଟ୍ରଷ୍ଟ, ସ୍ଥାପନା ଚେରିଟେବୁଲ ଟ୍ରଷ୍ଟ, ଶ୍ରୀ ଯୋଗେଶ୍ବର ମନ୍ଦର ଚେରିଟେବୁଲ ଟ୍ରଷ୍ଟ ଏବଂ କୋଶଳ ହେରିଟେଜ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା I ଏହାର ସଫଳ ଆୟୋଜନ ସକାଶେ ଭକ୍ତ ମିଳୁତାଣ୍ଡି , ଦୁର୍ଗା କଲତା, ରାମଗୋପାଲ ବାଘ, ଗୋବିନ୍ଦ ନନ୍ଦ, ସରୋଜ ଭୁୟାଁ, ଭୁବନେଶ୍ବର ମେହେର, ଦିଲ୍ଲୀପ ରଥ, ନାରାୟଣ ସାହୁ, ମାଧବ ପ୍ରଧାନ, ମୀନା ମହାରଣା, ଶ୍ରଦ୍ଧାଞ୍ଜଳୀ ମିଶ୍ର, ସୋମନାଥ ରଥ ପ୍ରମୁଖ ସହଯୋଗ କରିଥିଲେ I ପ୍ରତିବର୍ଷ ଭୀମଭୋଇଙ୍କ ସିଦ୍ଧି ଦିବସ ଏହି ତିଥିରେ ଏଠାରେ ପାଳନ ପାଇଁ ସର୍ବସମ୍ମତ୍ତି ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ଏହି ଉପଲକ୍ଷେ ଏକ ସ୍ଥାୟୀ ଧୂନି ମଣ୍ଡପ ନିର୍ମାଣ ସକାଶେ ସ୍ଥାନ ନିରୂପଣ କରାଯାଇଥିଲା I ଏହି ଉପଲକ୍ଷେ ସ୍ମରଣିକା “ଅଲେଖ ମହିମା” ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା I ଶେଷରେ ସୁରଥ ବାବା ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *

You may have missed