December 22, 2025
Home » ଅଷ୍ଟମ ଦିନରେ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ଙ୍କ ଆନ୍ଦୋଳନ l

ଅଷ୍ଟମ ଦିନରେ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ଙ୍କ ଆନ୍ଦୋଳନ l

0
WhatsApp Image 2025-03-18 at 11.56.57 AM

ସୁବର୍ଣ୍ଣପୁର —ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀକରଣ ଦାବିରେ ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଆଜି ଅଷ୍ଟମ ଦିନରେ ପହଞ୍ଚିଥିଲା ବେଳେ ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ନାନା ସମସ୍ୟା ପରିଲକ୍ଷିତ ହୋଇଛି। ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଏନଏଚଏମ ଠିକା କର୍ମଚାରୀ ମାନେ ଦୀର୍ଘ ଦିନ ଧରି ଭୁବନେଶ୍ୱରରେ ଧାରଣା ଦେଉଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରୁ ୮୦ ରୁ ଅଧିକ ଠିକା କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏନଏଚଏମ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ୨୭ରୁ ଅଧିକ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ପରିଚାଳନା କ୍ଷେତ୍ରରେ ଏବେ ନାନା ସମସ୍ୟା ଦେଖା ଦେଇଛି। ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଜନ୍ମରୁ ୧୮ ବର୍ଷ ଶିଶୁ ମାନେ ଉନ୍ନତମାନର ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ଯାଇପାରୁ ନାହାନ୍ତି। ରେଫେରାଲ ମେନେଜମେଣ୍ଟ, ଟିକାକରଣ ବାଧାପ୍ରାପ୍ତ ହୋଇଛି। ଅମ୍ଲାନ କାର୍ଯ୍ୟକ୍ରମ ଅନ୍ତର୍ଗତ ରକ୍ତହୀନତାର ଚିହ୍ନଟିକରଣ ହୋଇପାରୁନାହିଁ। 50 ରୁ ଉର୍ଦ୍ଧ୍ୱ ହିମୋଗ୍ଲୋବିନ ମିଟର ଅଚଳ ହୋଇ ଜିଲ୍ଲାରେ ପଡ଼ିରହିଛି।
ମେନେଜମେଣ୍ଟ କର୍ମଚାରୀମାନେ ଧାରଣା ରେ ଥିବାରୁ ଅଚଳ ମେସିନ ଗୁଡିକର ମରାମତି କାର୍ଯ୍ୟ ହୋଇପାରୁନାହିଁ। ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀମାନେ (STS ) ଧାରଣାରେ ଥିବାରୁ ଜିଲ୍ଲାରେ ଥିବା ୨୬୨ ଜଣ ଯକ୍ଷ୍ମା ରୋଗୀଙ୍କୁ ପ୍ରତ୍ୟେକ ମାସ ଦିଆଯାଉଥିବା ଏକହଜାର ଲେଖାଏଁ ପୋଷଣ ରାଶି ପ୍ରଦାନ କରାଯାଇପାରୁନାହିଁ।
ଜିଲ୍ଲାରେ ଏହି ସମୟ ମଧ୍ୟରେ ୧୧୨ ରୁ ଅଧିକ ପ୍ରସବ ହୋଇଥିବା ବେଳେ ପ୍ରସୂତି ମହିଳା ମାନଙ୍କୁ ଜନନୀ ଶିଶୁ ସୁରକ୍ଷା ଅଧୀନ ୧୪୦୦ ଟଙ୍କା ଓ ଗସ୍ତ ଖର୍ଚ୍ଚ ୫୦୦ ଟଙ୍କା ପ୍ରଦାନ କରାଯାଇ ପାରୁନାହିଁ। ଜିଲ୍ଲାରେ ୧୬ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଧିମେଇ ଯାଇଛି। ଆଉଟ ସୋର୍ସିଙ୍ଗରେ ନିୟୋଜିତ ଥିବା ସଫେଇ କର୍ମଚାରୀ, ସୁରକ୍ଷାକର୍ମୀ, ଆଟେଣ୍ଡାଣ୍ଟ ମାନଙ୍କର ମାସିକ ପାରିଶ୍ରମିକ ବନ୍ଦ ରହିଛି ଯାହା ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍ୱାସ୍ଥ୍ୟ ବିଭାଗର ୨୭ରୁ ଅଧିକ ପୋର୍ଟାଲରେ ଡାଟା ଏଣ୍ଟ୍ରି ହୋଇପାରୁନାହିଁ। ଜିଲ୍ଳା ରେ ଥିବା ହେପାଟାଇଟିସ ରୋଗୀଙ୍କୁ ଔଷଧ ସହ ଚିକିତ୍ସାରେ ବାଧା ପ୍ରାପ୍ତ ଦେଖା ଦେଲାଣି l କର୍ମଚାରୀ ମାନଙ୍କ ଆପତ୍ତି ଅନୁସାରେ ୨୦୦୫ ମସିହାରୁ ଏହି ଠିକା କର୍ମଚାରୀମାନେ ଅଳ୍ପ ବେତନରେ କାର୍ଯ୍ୟ କରିଆସୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସେମାନଙ୍କୁ ନିୟମିତ କରାଯାଇନାହିଁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି l ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *