ଅସୁସ୍ଥ ୧୦ ଦିନର ଶିଶୁପୁତ୍ରକୁ ୪୦ରୁ ଊର୍ଦ୍ଧ୍ବ ଚେଙ୍କ ଦେବା ଅଭିଯୋଗରେ ଶିଶୁପୁତ୍ରର ଜେଜେମାଙ୍କୁ ଜେଲ ହାଜତକୁ ପଠାଇଲା ନବରଙ୍ଗପୁର ପୋଲିସ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଫୁଣ୍ଡେଲପଡା ଗ୍ରାମର ୧୦ ଦିନର ଶିଶୁପୁତ୍ରର ମୁଣ୍ଡ ଏବଂ ପେଟରେ ଗରମ ଲୁହା କଣ୍ଟାରେ ୪୦ରୁ ଊର୍ଦ୍ଧ୍ବ ଚେଙ୍କ ଦେବା ଅଭିଯୋଗରେ ପୋଲିସ ଶିଶୁର ଜେଜେମା କୁନ୍ତଳା ମଶ୍ରା(କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଧିନସ୍ତ ପର୍ଲା ଗ୍ରାମର )ଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଗୁରୁବାର ଜେଲ ହାଜତକୁ ପଠାଇଛି ।
ମିଳିଥିବା ସୂଚନା ମୁତାବକ ୧୦ ଦିନର ଏକ ଶିଶୁପୁତ୍ର କୌଣସି କାରଣ ବଶତଃ ଅସୁସ୍ଥ ହୋଇ ଜୋରରେ କାନ୍ଦିବା ସହ ଦେହ ବଙ୍କା କରିଦେଉଥିଲା । ଏହାପରେ ଫୁଣ୍ଡେଳପଡା ଗ୍ରାମର ସରୋଜ ନାୟକ ଏବଂ ପୂର୍ଣ୍ଣିମା ନାୟକଙ୍କ ୧୦ଦିନର ଶିଶୁପୁତ୍ରକୁ ଧର୍ମଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିବା ସତ୍ତ୍ୱେ ଭଲ ହୋଇନଥିବାରୁ ପରିଶେଷରେ ଅନ୍ୟ କାହା କଥାର ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଶିଶୁପୁତ୍ରର ମୁଣ୍ଡ ଏବଂ ପେଟରେ ଗରମ ଲୁହା କଣ୍ଟାରେ ୪୦ରୁ ଊର୍ଦ୍ଧ୍ବ ଚେଙ୍କ ଦେବା ଫଳରେ ପ୍ରଥମେ ଶିଶୁ ଦୁଇଦିନ ପର୍ଯ୍ୟନ୍ତ କାନ୍ଦିବା ବନ୍ଦ କରିଥିବା ବେଳେ ପରବର୍ତ୍ତୀ ସମୟରେ ଚେଙ୍କର ଜଳା ପୋଡ଼ାକୁ ସହି ନପାରି କାନ୍ଦିବା ଆରମ୍ଭ କରିଦେଇଥିଲା । ତାପରେ ଶିଶୁପୁତ୍ରକୁ ପରିବାର ଲୋକେ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ତଥା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡା ତୁରନ୍ତ ନିଜେ ହିଁ ଚିକିତ୍ସା ଆରମ୍ଭ କରିଥିଲେ ଏବଂ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଚିକିତ୍ସା ପରେ ଭଲ ଥିବା ଜଣା ପଡିଥିଲା ।
ହେହେ ଉକ୍ତ ଘଟଣାଟି ଗଣମାଧ୍ୟମରେ ପ୍ରଚାର ପ୍ରସାରଣ ହେବା ପରେ ଉକ୍ତ ମାମଲାକୁ ନେଇ ଚନ୍ଦାହାଣ୍ଡି ପୋଲିସ ନିଜ ଆଡ଼ୁ କେସ ନଂ ୩୩/୨୫ରେ ମାମଲା ରୁଜୁ କରିବା ପରେ ଥାନା ଅଧିକାରୀ ପ୍ରଶାନ୍ତ କୋଲର୍ସ ନିଜେ ହିଁ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ପରେ ବିଏନଏସର ଧାରା ୧୧୮(୨)/୩(୫)ଏବଂ ୨୩ ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁସାରେ କୁନ୍ତଳା ମଶ୍ରାଙ୍କୁ ଝରୀଗାଁ ପ୍ରଥମ ଶ୍ରେଣୀ ବିଚରାପତିଙ୍କ ଅଦାଲତକୁ ପଠାଇଥିବା ବେଳେ ଜାମିନ ଆବେଦନ ଖାରଜ ହେତୁ ତାଙ୍କୁ ଜେଲ ହାଜତକୁ ପଠାଇଥିବା ଜଣାପଡିଛି ।
ପ୍ରକାଶ ଥାଉ କି ଯେ ନବରଙ୍ଗପୁର ଜିଲ୍ଲାରେ ପୂର୍ବରୁ ଅନେକ ଏପରି ଘଟଣା ଦେଖାଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ ସଚେତନ ପାଇ ଗଣମାଧ୍ୟମ ଜରିଆରେ ଆନେକ୍ ଥର ଅନୁରୋଧ କରିବା ସତ୍ତ୍ୱେ ଜିଲ୍ଲାରେ ଏପରି ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଚେଙ୍କ ଚିକିତ୍ସା ପୁନରାବୃତ୍ତି ହେଉଥିବା ଦେଖିବାକୁ ମିଳି ଆସୁଚି ଯାହା କି ଅତି ଦୁଃଖଦାୟକ ବୋଲି ବୋଲି ବୁଦ୍ଧିଜୀବୀ ଓ ଜଣ ସାଧାରଣରେ ଚର୍ଚ୍ଚା ହେଉଥିବା ଜଣାପଡିଛି ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ