January 3, 2026
Home » ଆଜି ପୌଷ ପୂର୍ଣ୍ଣିମା ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି

ଆଜି ପୌଷ ପୂର୍ଣ୍ଣିମା ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି

0
WhatsApp Image 2026-01-03 at 1.25.36 PM

ଆଜି ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥି। ପୁଷପୂର୍ଣ୍ଣିମା ନାମରେ ଏହା ପରିଚିତ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀ ମନ୍ଦିରରେ ଏହି ପୁଷ୍ୟାଭିଷେକ ନୀତିଟି ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଅନ୍ୟତମ । ଆଜିର ଦିନରେ ଶ୍ରୀ ମନ୍ଦିର ରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି। ଆଜି ରତ୍ନସିଂହାସନରେ ଶ୍ରୀଜୀଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ବିଭୂଷିତ ହୋଇଥାନ୍ତି। ମହାପ୍ରଭୁ ଙ୍କ ସୁନାବେଶ ଦର୍ଶନ ପାଇଁ ଭକ୍ତ ଙ୍କ ବେଶ୍ ଭିଡ ଦେଖିବାକୁ ମିଳିଛି।

ପବିତ୍ର ପୌଷ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସୁନାବେଶ ତାହା ସହ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ପୂରାଣ ଅନୁଯାୟୀ ଆଜିର ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ। ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିବର୍ଷ ଏହିଦିନ ଦେବ ମନ୍ଦିର ମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ହେଉଅଛି । ଏହିଦିନ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ ।
ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଅଭିଷେକୋତ୍ସବ ରାଜାଙ୍କ ଅଭିଷେକ ରୂପେ ପାଳିତ ହୁଏ । ଏହି ଅଭିଷେକୋତ୍ସବ ଦର୍ଶନରେ ଦର୍ଶନାର୍ଥୀ ପାପମୁକ୍ତ ହୋଇ ବୈକୁଣ୍ଠପୁରୀ ପ୍ରାପ୍ତହୁଏ ବୋଲି ବିଶ୍ୱାସ କରାଯାଏ ।

ଶ୍ରୀଜଗନ୍ନାଥ ଚେତନାରେ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ସେ ଦେବା ଧିଦେବ। ତେଣୁ ପୌଷପୂର୍ଣ୍ଣିମାରେ, ଶ୍ରୀମନ୍ଦିରର ରତ୍ନସିଂହାସନରେ ତାଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଉପଲକ୍ଷେ ଶ୍ରୀଜଗନ୍ନାଥଙ୍କର ଏକ ସ୍ୱତନ୍ତ୍ର ପୁଷ୍ପବେଶ ଅନୁଷ୍ଠିତ ହୁଏ । ସେଥିରେ ଶ୍ରୀଜଗନ୍ନାଥ, ବାଉଁଶ ପାତିଆ, କୁନ୍ଦ ଓ ରଜନୀଗନ୍ଧା ଫୁଲରେ ତିଆରି ପୁଷ୍ପଧନୁ ଓ ପୁଷ୍ପତୀର ସହିତ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଖଡ୍‌ଗ, ଢାଲ ଏବଂ ହଳ ଓ ମୂଷଳ ଧାରଣ କରିଥାନ୍ତି । ଏହା ତାଙ୍କର ଏକ ଐଶ୍ୱର୍ଯ୍ୟ ବେଶ । ପୁଷ୍ୟାଭିଷେକ ଉତ୍ସବ ପୌଷପୂର୍ଣ୍ଣିମା ଦିନ ପାଳନ କରାଯାଉଥିଲେ ମଧ୍ୟ ଏହି ଉତ୍ସବ ଆନୁଷଙ୍ଗିକ ଅଙ୍କୁରାରୋପଣ କର୍ମ ପୌଷ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଦେଉଳ ପୁରୋହିତଙ୍କ ଦ୍ୱାରା ସମାହିତ ହୋଇଥାଏ।
ପୌଷପୂର୍ଣ୍ଣିମା ପୂର୍ବଦିନ ଚନ୍ଦନଲାଗି ନୀତି ପରେ ଅଧିବାସ କର୍ମ କରାଯାଏ। ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ। ଏକ ହାଣ୍ଡି ଘିଅ ଓ ରୋଷକୂପରୁ ନୂଆହାଣ୍ଡିରେ ଅଣାଯାଇଥିବା ପାଣି ପରଖମାନଙ୍କରେ ରଖାଯାଇଥାଏ। ଘିଅକୁ ଏକୋଇଶ ଗରାରେ ଓ ପାଣିକୁ ସତାଅଶୀ ଗରାରେ ବିଭକ୍ତ କରାଯାଇ ଚାରି ପନ୍ତି ହୋଇ ଚାନ୍ଦୁଆତଳେ ରଖାଯାଏ। ଏହି ଗରାମାନଙ୍କୁ ଦେଉଳ ପୁରୋହିତ ଚେମେଡ଼ି ପତନି ଘୋଡ଼ାଇ ଫୁଲ ଚନ୍ଦନ ଦେଇ ଅଧିବାସ କରନ୍ତି। ପରେ ଭୋଗମଣ୍ଡପ ଦ୍ୱାର ବନ୍ଦହୋଇ ତଡ଼ଉକରଣ ମୁଦ ଦିଅନ୍ତି। ପରେ ପରେ ବଡ଼ସିଂହାର ଭୋଗ ପୂଜା ସରିବା ପରେ ପାଣି ପଡ଼ି ଧୋପଖାଳ ହୋଇ ଭଦ୍ରାସନ ଉପରେ ପାହାଡ଼ା ପଡ଼ି ଅଧିବାସ ଦର୍ପଣ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ମନ୍ତ୍ରପୁତ ପୁଷ୍ପ ଓ ଚନ୍ଦନାଦି ଦ୍ୱାରା ଅଧିବାସ ହୁଏ। ଏକାଦଶୀ ଦିନ ଦେଉଳ ପୁରୋହିତ ସ୍ନାନବେଦୀ ପାଖରେ ଅଙ୍କୁରାରୋପଣ ପୂଜା କରିଥିବେ।

ଶ୍ରୀମନ୍ଦିର ଭିତରବେଢାରେ ଥିବା ପ୍ରତିହାରୀ ନିଯୋଗ କାର୍ଯ୍ୟାଳୟ ଗୃହ ସମ୍ମୁଖରେ କୋଠସୁଆଁସିଆଙ୍କ ଦ୍ୱାରା ଏକ ଯଜ୍ଞଶାଳା ନିର୍ମିତ ହୋଇଥାଏ। ପୂର୍ଣ୍ଣିମା ଦିନ ସକାଳଧୂପ ପୂଜା ବସିଥିବା ବେଳେ ଏଠାରେ ହୋମ କରାଯାଏ। ଭିତରେ ସକାଳଧୂପ ଶେଷ ପରେ ପାଣିପଡ଼ିବା ପରେ କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ମୈଲମ ହୋଇ ତଡ଼ପ ଉତ୍ତରୀ ଲାଗି କରାଯାଏ। ପରେ ମହାସ୍ନାନ ପୂଜା ଠା’ ହୁଏ। ଗତଦିନରେ ଅଧିବାସ ହୋଇଥିବା ଭୋଗମଣ୍ଡପ ଘରର ମୁଦ ଖୋଲାଯାଇ ରୋଷଘରୁ ନିଆଁ ଅଣାଯାଏ ଓ ସେଥିରେ ଘିଅକୁ ତରଳାଯାଇ କୁମ୍ଭମାନଙ୍କରେ ଥିବା ପାଣିରେ ମିଶାଯାଏ। ଟେରାବନ୍ଧା ପରେ ଭୋଗମଣ୍ଡପ ଘରଠାରୁ ଜଳଛେକ ଗରାବଡୁମାନେ ବାଘମୁହାଁ ବାନ୍ଧି ଘଣ୍ଟ ଛତା କାହାଳୀ ସହ ତଳିଛ ପ୍ରଧାନୀ ପଟୁଆରରେ ଆସି ଚାରିଥରେ ଚାରିଟି ପନ୍ତିରେ ରଖନ୍ତି ଏହା ପରେ ଶୀତଳ ଭୋଗ ଛେକ ଆସେ। ତା’ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରନ୍ତି। ପୂଜାପଣ୍ଡା ଓ ଦେଉଳ ପୁରୋହିତ ପାତ୍ରି, ଅଧିବାସ ଦର୍ପଣ ପାଖରେ ଧରିଥାନ୍ତି। ଗରାବଡୁମାନେ ଘିଅ ଓ ଜଳ ଉକ୍ତ ପାତ୍ରିରେ ଦେଇ ଦର୍ପଣ ଉପରେ ଲାଗି କରାନ୍ତି (କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ)। ପାଣି ପଡ଼ିବା ପରେ ପୁଷ୍ପାଳକମାନେ ମଇଲମ କରି ନୂଆ ଲୁଗା ଲାଗି କରିବା ପରେ ପଣ୍ଡା, ପତି, ମୁଦିରସ୍ତ ସର୍ବାଙ୍ଗ ଲାଗି କରାନ୍ତି। ଏହା ପରେ ଲକ୍ଷ୍ମୀ ଆଜ୍ଞାମାଳ ପାଇ ପାଲିଙ୍କିରେ ଯାଇ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ଖଟ ଉପରେ ବିଜେ ହୁଅନ୍ତି। ସେଠାରେ ତାଙ୍କର ମାଜଣା, ଚନ୍ଦନଲାଗି ବେଶ ହୁଏ ।ଏହା ପରେ ଭିତରେ ମହାପ୍ରଭୁଙ୍କର ଅଭିଷେକ ବେଶ, ସ୍ୱର୍ଣ୍ଣ ଅଳଙ୍କାର ଲାଗି, ମାଳଫୁଲ କର୍ପୂର ଲାଗି ପରେ ରୋଷଘରୁ ଘଣ୍ଟ ,ଛତା, କାହାଳୀ, ପଟୁଆରରେ ପୁଷ୍ୟାଭିଷେକ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ। ଏହା ପରେ ଲକ୍ଷ୍ମୀ ବାହୁଡ଼ାବିଜେ ହୋଇ ଭିତର ସିଂହାସନକୁ ବିଜେ କରନ୍ତି। ମୁଦିରସ୍ତ ପ୍ରସାଦ ଲାଗି କରନ୍ତି ଓ ଦଣ୍ଡଛତ୍ର ସଂସ୍କାର କରି ଭିତରଚ୍ଛ ମହାପାତ୍ର ସିଂହାସନ ଉପରକୁ ଉଠିଲେ ତାଙ୍କୁ ଦିଅନ୍ତି। ଭିତରଚ୍ଛ ସିଂହାସନ ଉପରେ ଲକ୍ଷ୍ମଣଙ୍କ ସ୍ୱରୂପ ଠିଆହୋଇ ଦଣ୍ଡଛତ୍ର ଧରନ୍ତି। ପାଳିଆ ଭଣ୍ଡାରମେକାପ ହନୁମାନ ସ୍ୱରୂପ ଦଣ୍ଡଛତ୍ର ମୂଳକୁ ଧରନ୍ତି। ପୂଜାପଣ୍ଡା ଆସି ଷୋଡ଼ଶ ଉପଚାରରେ ପୂଜା କରନ୍ତି। ଭୋଗସରି ପାଣି ପଡ଼ିଲେ ପଣ୍ଡା, ପତି, ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି। ମୁଦିରସ୍ତ ଫୁଲ ଶର ଆୟୁଧ ଲାଗି କରନ୍ତି। ପରେ ସେ ସିଂହାସନ ଉପରେ ଚାମର ଆଲଟ କରନ୍ତି। ତା’ପରେ ସିଂହାସନ ତଳେ ମଧ୍ୟ ଆଲଟ ଲାଗି ଓ ଘଷା ବିଡ଼ିଆ ଦହି ମଣୋହି କରନ୍ତି। ଅଖଣ୍ଡ ମେକାପ ବଇଠା ହାତରେ ଧରି ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଠିଆ ହୋଇଥାନ୍ତି। ରାଜନୀତି ଓ ବନ୍ଦାପନା ସରିବା ପରେ ମୁଦିରସ୍ତ ସିଂହାସନ ଉପରକୁ ଫୁଲ ଧନୁଶର ଓ ଗଦି ପ୍ରସାଦ ମଇଲମ କରନ୍ତି। ଭିତରଚ୍ଛ ଦଣ୍ଡଛତ୍ର ମଇଲମ କରି ତଳକୁ ଦିଅନ୍ତି। ଏ ଉତ୍ତାରୁ ଦକ୍ଷିଣଘର ଭୋଗ ଶେଷ ପରେ ରଘୁନାଥ ଠାକୁର ରତ୍ନସିଂହାସନକୁ ବିଜେ କରନ୍ତି। ସେ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବାପରେ ଲକ୍ଷ୍ମୀମନ୍ଦିରକୁ ବାହାର ଅଭିଷେକ ପାଇଁ ବିଜେ କରନ୍ତି। ସେଠାରେ କାଠ ଭଦ୍ରାସନରେ ଵିଜେ ହେବା ପରେ ମହାସ୍ନାନ ହୁଏ। ଭୋଗ ବନ୍ଦାପନା ହୋଇ ଦକ୍ଷିଣ ଘରକୁ ବାହୁଡା ବିଜେ କରନ୍ତି।ସ୍କନ୍ଦପୁରାଣ’ ଅନୁସାରେ, ଶ୍ରୀଜଗନ୍ନାଥଙ୍କର ଏହି ଉତ୍ସବ ଅବଲୋକନ କଲେ ମନର ସମସ୍ତ ଅଭୀଷ୍ଟ ପୂରଣ ହୁଏ ଏବଂ ଅନ୍ତିମ କାଳରେ ବିଷ୍ଣୁପଦ ଲାଭ ହୋଇଥାଏ

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *