April 21, 2025
Home » ଆଜି ମହାପ୍ରଭୁଙ୍କ ଚିତାଲାଗି ନିତି ଅନୁଷ୍ଠିତ

ଆଜି ମହାପ୍ରଭୁଙ୍କ ଚିତାଲାଗି ନିତି ଅନୁଷ୍ଠିତ

0

ଶ୍ରୀମନ୍ଦିର ରେ ପାଳିତ ଅନେକ ଯାତ୍ରା , ଉପଯାତ୍ରା ତଥା ଉତ୍ସବାଦି ଓ ତ୍ରୟୋଦଶ ଯାତ୍ରା ବ୍ୟତୀତ ୫୦ରୁ ଉର୍ଦ୍ଧ ଉପଯାତ୍ରା , ଉତ୍ସବାଦି ମଧ୍ୟରେ ଚିତାଲାଗି ଅମାବାସ୍ୟା ଅନ୍ୟତମ ଅଟେ । ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀମନ୍ଦିର ରେ ଚିତା ଲାଗି ଅମାବାସ୍ୟା ନୀତି ପାଳିତ ହୋଇଥାଏ। ଏହି ଦିନ ମହାପ୍ରଭୁଙ୍କ ଚିତା ଲାଗି ହୋଇଥାଏ। ଏହି ଦିନ ପ୍ରଥମ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନ ରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିଥାନ୍ତି। ଏହାପରେ ଶ୍ରୀଜୀଉମାନଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ। ଏହି ଦିନ ସାଗର ବିଜେ କରିଥିବା ଅମାବାସ୍ୟା ଠାକୁର ଶ୍ରୀମନ୍ଦିର କୁ ବାହୁଡା ବିଜେ କରିବା ପରେ ପତି ମହାପାତ୍ର , ବାଡ଼ଗ୍ରାହୀ ଦଇତା ମାନେ ରତ୍ନସିଂହାସ ଅଧିଷ୍ଠିତ ଶ୍ରୀଜୀଉ ଙ୍କର ଚିତାଲାଗି କାର୍ଯ୍ୟ କରିଥାନ୍ତି ।

 

ତିନୋଟି ଚିତା ଶ୍ରୀଜୀଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅ ରେ ପାଟ ଡୋର ସାହାଯ୍ୟରେ ଏହାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ।ଏହି ରତ୍ନଖଚିତ ସ୍ବର୍ଣ୍ଣ ଚିତା କୁ ପୂର୍ବରୁ ଅର୍ଥାତ ସ୍ନାନପୂର୍ଣ୍ଣିମା ଦିନ ରାତ୍ରି ରେ ଶ୍ରୀଜୀଉମାନଙ୍କ ଶ୍ରୀକପାଳ ଦେଶରୁ ଓଲାଗି କରାଯାଇଥାଏ। ଏହି ଚିତାକୁ ଭଣ୍ଡାରରୁ ଅଣାଯାଇ ଶ୍ରୀମନ୍ଦିର ପରିସର ରେ ଦେଉଳକରଣ , ତଢ଼ାଉ କରଣ , ଶ୍ରୀମନ୍ଦିର ପ୍ରଶାସନ ର ପଦାଧିକାରୀ ଉପସ୍ଥିତି ରେ ବଣିଆ ସେବକ ଦ୍ୱାରା ସଫା କରାଯାଇଥାଏ ଓ ପୁନଃ ସଂସ୍ଥାପିତ ହୋଇଥାଏ। ଚିତାଲାଗି ନୀତି ଗୋପନୀୟ ହୋଇଥିବାରୁ ଏହି ସମୟରେ ଭକ୍ତ ଙ୍କୁ ଭିତରକାଠ ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଥାଏ। ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ସ୍ୱର୍ଣ୍ଣ ଚିତା ମଝିରେ ଏକ ବଡ଼ ମର୍କତ ପଥର ରହିଛି । ଏହାର ଚାରି ପାର୍ଶ୍ୱରେ ପାଞ୍ଚୋଟି ବେଢ଼ରେ ଛୋଟ ଛୋଟ ମାଣିକ୍ୟ , ହୀରା , ପାନ୍ନା ଏବଂ ନୀଳ ପଥର ଖଚିତ ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ଵର୍ଣ୍ଣଚିତା ମଝିରେ ହୀରା ରହିଛି । ଚିତାର ସାତୋଟି ବେଢ଼ ରେ ମାଣିକ୍ୟ , ହୀରା , ପାନ୍ନା ଏବଂ ଓପଲ ଖଞ୍ଜା ଯାଇଛି। ଶେଷ ଅର୍ଥାତ ସପ୍ତମ ବେଢ଼ରେ ଶୀର୍ଷରେ ବା ଚିତାର ଶୀର୍ଷରେ ପାନପତ୍ର ଅକୃତିର ଏକ ହୀରା ପଥର ରହିଛି । ଏହାକୁ ବ୍ରହ୍ମଜ୍ୟୋତି ହୀରା କୁହାଯାଏ। ଦେବୀ ସୁଭଦ୍ରା ଙ୍କ ଚିତା ମଝିରେ ଏକ ବଡ଼ ମାଣିକ୍ୟ ପଥର ରହିଛି । ଚିତାର ତିନୋଟି ବେଢ଼ରେ ପାନ୍ନା , ମର୍କତ , ହୀରା ଓ ମାଣିକ୍ୟ ରହିଛି। ଏହି ତିନୋଟି ରତ୍ନଖଚିତ ସୁବର୍ଣ୍ଣ ଚିତାଗୁଡିକୁ ମର୍କତ ଚିତା , ହୀରଚିତା ଏବଂ ପାନ୍ନା ଚିତା କୁହାଯାଇଥାଏ। ଚିତା ଲାଗି ନୀତି ସମ୍ପର୍ଣ୍ଣ ହେଲା ପରେ ମହାସ୍ନାନ ବଢ଼ି ଅନ୍ୟାନ୍ୟ ନୀତି ହୋଇଥାଏ। ଏହି ତୀଥିରେ କେତେକ ନିଯୋଗ ମାନଙ୍କ ପକ୍ଷରୁ ଆଳତି ଭୋଗ ମଧ୍ୟ ହୋଇଥାଏ। ଏଥିରେ ଛେନା ତାଡ଼ିଆ , ଫାଳ ସୋଲା ପ୍ରଭୃତି ଭୋଗ ହୋଇଥାଏ

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed