ଆଦିବାସୀ ଗାଁ ରେ ଶୀତବସ୍ତ୍ର ବାଣ୍ଟିଲା ଜନମଙ୍ଗଳ ପରିଷଦ
ବାଙ୍କୀ : ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଜଙ୍ଗଲ ମଧ୍ୟରେ ଥିବା ଏକ ଆଦିବାସୀ ଗାଁ ରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି | ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡା ଅଭୟାରଣ୍ୟର ଆଭ୍ୟନ୍ତରୀଣ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଆଦିବାସୀ ଗାଁ ନୂଆକୁଅରେ ପରିଷଦର କର୍ମକର୍ତ୍ତାମାନେ ପହଞ୍ଚି ଶୀତବସ୍ତ୍ର ପ୍ରଦାନ କରିଥିଲେ | କିଛି ଦିନ ହେବ ଅନୁଭୂତ ହେଉଥିବା ହାଡଭଙ୍ଗା ଶୀତରେ ଏହି ଅସହାୟ ନିରୀହ ଆଦିବାସୀ ଶ୍ରେଣୀୟ ଲୋକମାନଙ୍କ ପାଖରେ ନା ଥିଲା ଭଲ ଘର ଖଣ୍ଡେ ନା ଭଲ ଶୀତବସ୍ତ୍ରଟିଏ | ସ୍ଥାନୀୟ ଶିକ୍ଷାବିତ୍ ସନ୍ତୋଷ ସାହୁଙ୍କ ଠାରୁ ଏବିଷୟରେ ସୂଚନା ପାଇଁ ଜନମଙ୍ଗଳ ପରିଷଦ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା | ଗତ 8 ବର୍ଷ ଧରି ଶୀତ ଦିନରେ ଅସହାୟ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିଆସୁଥିବା ଜନମଙ୍ଗଳ ପରିଷଦ ଏବର୍ଷ ମଧ୍ୟ ଗତ ଡିସେମ୍ବର ମାସରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ କରିଆସୁଅଛି | ସେହି କ୍ରମରେ ଆଜି ଚନ୍ଦକା ଜଙ୍ଗଲ ମଧ୍ୟରେ ଥିବା ଆଦିବାସୀ ଗାଁ ନୂଆକୁଅ ପ୍ରାୟ 40 ଗୋଟି ପରିବାରରେ ଆଦିବାସୀ ଶ୍ରେଣୀୟ ଲୋକମାନଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା, ସମ୍ପାଦକ ନିରଞ୍ଜନ ସାହୁ, ଲକ୍ଷ୍ମଣ ଦାଶ , ସମାଜସେବୀ ମୁକେଶ ରାଉତ, ରକ୍ତଦାତା ସର୍ବେଶ୍ଵର ସାହୁ, ସଞ୍ଜୟ ସାହୁ, ଶିକ୍ଷକ ଧନୁଧର ନାଏକ ପ୍ରମୁଖ ଉପସ୍ଥିତ ରହି କମ୍ବଳ ପ୍ରଦାନ କରିବା ସହ ଲୋକମାନଙ୍କ ସହ ଭାବ ବିନିମୟ କରିଥିଲେ | ଗାଁ ର ଲୋକମାନଙ୍କ ସହ କଥା ହୋଇ ଜଣାପଡିଲା ଯେ, ଏହି ଗାଁ ରେ ଏବେବି ଇଲେକ୍ଟ୍ରି ନାହଁ | ମୋବାଇଲ ନେଟୱର୍କ ଆସୁନଥିବାରୁ ପିଲାମାନେ ପାଠପଢ଼ାରୁ ବଂଚିତ | ପିଇବା ପାଣି କଥା ନକହିଲେ ଭଲ | ରାଜଧାନୀରୁ ମାତ୍ର 15 କିଲୋମିଟର ଦୂରରେ ଥିବା ଏହି ଗାଁ ପ୍ରତି ପ୍ରଶାସନର ଦୃଷ୍ଟି ନରହିବା ସ୍ଥାନୀୟ ସରକାରୀ ବ୍ୟବସ୍ଥାର ଅପାରଗତାକୁ ଆଙ୍ଗୁଳି ନିର୍ଦେଶ କରୁଛି | ପରିଷଦ ପକ୍ଷରୁ ଗାଁ ଲୋକଙ୍କ ସହ ଆଲୋଚନା କରାଯାଇ ଏବିଷୟରେ ସ୍ଥାନୀୟ ପ୍ରଶାସନର ତୁରନ୍ତ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା |
