ଇଥାନଲ କାରଖାନା ରେ ଶ୍ରମିକଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା, କ୍ଷତିପୂରଣ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାଣିମୋରା ଠାରେ ଥିବା ମାସ୍ ବାୟୋ ପ୍ରାଇଭେଟ୍ ଲିମିଟେଡରେ ଘଟିଛି ଅଘଟଣ। ସୂଚନା ଅନୁଯାୟୀ ରବିବାର ଦିନ ସନ୍ଧ୍ୟା ସମୟ ରେ ସେଠାରେ କାମ କରୁଥିବା ସ୍ଥାନୀୟ ଅରଖପଦର୍ ଗ୍ରାମ ର ଅଜୟ ମହାକୁର (26) ଡ୍ରାୟର ରେ ଗଳି ପଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପ୍ଲାଣ୍ଟ ବିରୋଧ ରେ ବ୍ୟାପକ ଅଭିଯୋଗ କରିବା ସହ ମୃତକ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ଦାବୀ କରିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ ପ୍ଲାଣ୍ଟ ଭିତରେ ଶ୍ରମିକ ମାନେ ଅସୁରକ୍ଷିତ ଭାବରେ ବିନା ହେଲମେଟ, ଗ୍ଲୋବ ତଥା ଅନ୍ୟାନ୍ୟ ବିନା ସୁରକ୍ଷା ସାମଗ୍ରୀରେ କାମ କରୁଥିବା ଓ ଆଗରୁ ମଧ୍ଯ ବାହାର ରାଜ୍ୟ ର ଅନେକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣା କୁ ଚପାଇ ଦିଆଯାଇଥିଲା l ଏପରିକି ମରଶରୀରକୁ ଭିତିରି ଭାବରେ ପାର୍ସଲ କରିଦିଆ ଯାଇଥିବା ଅଭିଯୋଗ ହେଉଛି । ଏହି ଘଟଣାପରେ ଏଠାରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପରିବାର ବର୍ଗ ଓ ଗ୍ରାମବାସୀ କମ୍ପାନୀ ସମ୍ମୁଖ ରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ l ପରେ ଖବର ପାଇ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ତରଭା ଅତିରିକ୍ତ ତହସିଲଦାର ଦିପ୍ତିମୟୀ ଭୁଏ,ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ତରଭା ଆଇଆଇସି ଅନିତା କିଡୋ ଓ ଶ୍ରମ ଅଧିକାରୀ ପହଞ୍ଚି ତଦନ୍ତ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ l ଏଥିସହ କମ୍ପାନୀ ପକ୍ଷରୁ ମ୍ୟାନେଜର ଯୋଗେନ୍ଦ୍ର ତୋମାର ମୃତକ ଙ୍କ ପରିବାର ବର୍ଗ ଙ୍କୁ 25 ଲକ୍ଷ ଟଙ୍କା ଅନୁକମ୍ଫା ମୂଳକ ସହାୟତା ଅର୍ଥ ପ୍ରଦାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ l
ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l ଉକ୍ତ ସହାୟତା ଅର୍ଥ ମୃତକଙ୍କ ସ୍ତ୍ରୀ ସମେତ ଶ୍ୱଶୁର ଗଣେଶ୍ୱର କର୍ମୀ, ଶାଶୁ ଗୀତାଞ୍ଜଳି ଓ ଶାଳକ ସତ୍ୟ କର୍ମୀ ଙ୍କ ନାମରେ ଚେକ ମାଧ୍ୟମରେ ବ୍ୟାଙ୍କ ପାସ ବୁକ ରେ ଜମା ହେବ ବୋଲି ସୂଚନା ମିଳିଛି l ସୂଚନା ଅନୁଯାୟୀ ଅରଖପଦର ଗ୍ରାମର ଘନ ମହାକୁର ଙ୍କ ପୁଅ ଅଜୁ ମହାକୁର ( 26) ଇଥାନଲ କାରଖାନା ରେ ଜଣେ ଠିକାଦାର ଙ୍କ ଅଧୀନ ରେ ଗତ ଦୁଇ ବର୍ଷ ହେବ କାମ କରୁଥିଲେ l ରବିବାର ସନ୍ଧ୍ୟା ରେ ସେ କାମ କରୁଥିବାବେଳେ ମେସିନ ଭିତରେ ପଡିଯିବାରୁ ତାଙ୍କର ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିବା ପୋଲିସ ଠାରୁ ସୂଚନା ମିଳିଛି l ସୋମବାର ଦିନ ପୋଲିସ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଡ୍ରାଏ ମେସିନ ରୁ ମୃତକ ଙ୍କ ଖଣ୍ଡ ବିଖଣ୍ଡିତ ଶରୀର କଢ଼ାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଥିଲା l ମୃତକ ଅଜୁ ଗତ ତିନି ବର୍ଷ ହେବ ନିଜ ପରିବାର ସହ ଶ୍ୱଶୁର ଘର ଗରାମହୁଲରେ ରହୁଥିଲେ l ମୃତକ ର ସ୍ତ୍ରୀ ରଶ୍ମୀ ମହାକୁର ଓ ଦେଢ଼ ବର୍ଷ ର ଝିଅ ପ୍ରିୟାଂଶୀ ରହିଛନ୍ତି l ଏ ନେଇ ତରଭା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର