ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସାମ୍ବାଦିକ ନବୀନାନନ୍ଦ ଗନ୍ତାୟତଙ୍କ ଜୟନ୍ତୀ ଓ ସ୍ମୃତିଚାରଣ ସଭା
ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସଭାଗୃହରେ ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସାମ୍ବାଦିକ ନବୀନାନନ୍ଦ ଗନ୍ତାୟତଙ୍କ ୮୭ତମ ଜୟନ୍ତୀ ପାଳନ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସାମ୍ବାଦିକ ସଂଘର ଗଜପତି ଜିଲ୍ଲା ସଭାପତି ଡ୍ୱିଜେନ୍ଦ୍ର ନାଥ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶଙ୍କର ପ୍ରସାଦ ବକ୍ସି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି(ସ୍ୱୟଂଶାସିତ) ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଡଃ ନାସିର ବେଗ୍, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଗରୁଡଧ୍ୱଜ ଚୌଧୁରୀ, ନବୀନାନନ୍ଦ ଗନ୍ତାୟତଙ୍କ ପୁତ୍ର ବିବେକାନନ୍ଦ ଗନ୍ତାୟତ ଓ ସମ୍ପାଦକ ସରୋଜ ବୀର ମଞ୍ଚାସୀନ ଥିଲେ ।

ସ୍ୱର୍ଗତ ନବୀନୀନନ୍ଦ ଗନ୍ତାୟତ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ବିଶିଷ୍ଠ ବ୍ୟକ୍ତି ସ୍ୱର୍ଗତ ଶ୍ୟାମସୁନ୍ଦର ଗନ୍ତାୟତଙ୍କ ପୁତ୍ର । ନବୀନନନ୍ତ ଗନ୍ତାୟତ ଭାରତୀୟ ସେନାବାହିନୀରେ ୧୨ବର୍ଷ କାର୍ଯ୍ୟ କରି ଅବସର ଗ୍ରହଣ କଲାପରେ ସମ୍ବଲପୁର ଠାରେ ଏକ ଷ୍ଟେସନାରୀ ଦୋକାନ ପରେ ପାରଳାଖେମୁଣ୍ଡିରେ କୁକୁଡା ଫାର୍ମ କରିଥିଲେ । ୧୯୭୪ମସିହାରେ ସେ ନିଜର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । ପ୍ରଥମେ ସେ ପ୍ରଜାତନ୍ତ୍ର ପରେ ମାତୃଭାଷା ଓ ହିନ୍ଦୁସ୍ଥାନ ଟାଇମ୍ସରେ ମୃତ୍ୟୁ ପର୍ଯ୍ୟନ୍ତ କାମ କରିଥିଲେ ବୋଲି ମଞ୍ଚାସୀନ ବ୍ୟକ୍ତିଙ୍କ ସମେତ ବହୁବ୍ୟକ୍ତି ନିଜର ବକ୍ତବ୍ୟରେ କହିଥିଲେ । ସମାଜରେ ଅଧିକାଂଶ ଲୋକ ଅଚନ୍ତି ଯେଉଁମାନେ ନିଜ ପାଇଁ ବଞ୍ଚନ୍ତି । କିନ୍ତୁ ଖୁବ୍ କ୍ୱଚିତ ଲୋକ ଅଛନ୍ତି ଯେଉଁ ମାନେ କି ସମାଜ ପାଇଁ ବଞ୍ଚି ଇତିହାସରେ ନିଜର ନାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥାନ୍ତି । ନବୀନାନନ୍ଦ ଗନ୍ତାୟତ ହେଉଛନ୍ତି ସେହିଭଳି ବ୍ୟକ୍ତିତ୍ୱ । ସେ ଜଣେ ସରଳ, ଅମାୟିକ,ମିଷ୍ଠଭାଷୀ ଓ ସମୟାନୁବର୍ତ୍ତିତା ସମ୍ପର୍ଣ୍ଣ ବ୍ୟକ୍ତି ଥିଲେ । ସେ ସତ୍ୟ ସମ୍ବାଦ ଗୁଡିକ ନିର୍ଭିକତାର ନିଜର ଲେଖା ମାଧ୍ୟମରେ ପ୍ରକାଶ କରୁଥିଲେ । ତାଙ୍କ ସମ୍ବାଦଲେଖନୀ ଶୈଳୀ ଓ ଲେଖା ଗୁଡିକ ଅତ୍ୟନ୍ତ ଉଚ୍ଚକୋଟି ଏବଂ ପ୍ରଭାବଶାଳୀ ରହୁଥୁଲ । ପ୍ରତିକୂଳ ପରିସ୍ଥିତିକୁ କିଭଳି ମୁକାବିଲା କରି ସମାଜର ଜନହିତକର କାର୍ଯ୍ୟ କରାଯାଇପାରିବ ସେ ତାହା ପ୍ରମାଣ କରି ଦେଖାଇଛନ୍ତି । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ସେହି ସ୍ୱତନ୍ତ୍ର ଦକ୍ଷତା ଓ କାର୍ଯ୍ୟଶୈଳୀ ଯୋଗୁଁ ପ୍ରଶାସନିକ ଅଧିକାରୀ ମାନେ ଭୟ କରୁଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କିବଳି ବଞ୍ଚି ରହିବ ସେଥି ସକାଶେ ନିରବଛିନ୍ନ ଭାବେ ଚେଷ୍ଠା ଜାରୀ ରଖିଥିଲେ ।

ଜିଲ୍ଲାରେ ସେ ଏକମାତ୍ର ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଥିଲେ । ସମସ୍ୟା ଗୁଡିକ ପ୍ରଶାସନ ନିକଟରେ କିପରି ଉପସ୍ଥାପନ କରାଯିବ ତାହାର ମାର୍ଗ ଜନସାଧାରଣଙ୍କୁ କହିବାସହ ସ୍ୱର ଉତ୍ତୋଳନ କରିବା ପାଇଁ ପରାମର୍ଶ ଦେଉଥିଲେ ବୋଲି ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ମାନେ ସଭାରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଖବର କାଗଜ ବିତରକ ପ୍ରସାଦ ଗୌଡଙ୍କୁ ମଞ୍ଚାସୀନ ଅତିଥି ମାନେ ସମ୍ବର୍ଦ୍ଦିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଉକ୍ତଳ ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ସୁଜିତ କୁମାର ବିଶୋଇ, ଉପସଭାପତି ସନ୍ତୋଷ କୁମାର ପଟନାୟକ, ବିଭୂତି ଭୂଷଣ ହୋତା, ପ୍ରଭାତ କୁମାର ପାତ୍ର ସୁଜିତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ନାୟକ, ବିଧାନଚନ୍ଦ୍ର ଚୌଧୁରୀ, ବିବେକାନନ୍ଦ ବେହେରା, ରେଣୁବାଳା ବେହେରା ପ୍ରମୁଖ ସେମାନଙ୍କୁ ସହଯୋଗ କରିଥିଲେ ।
ଗଜପତି ଜିଲ୍ଲା ଇପିଏରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
