ଏକ ନମ୍ବର ମାର୍କେଟରେ ବିଏମ୍ ସିର ତ୍ୱରିତ ପଦକ୍ଷେପ
ଭୁବନେଶ୍ୱର: 1 ନମ୍ବର ହାଟରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଓ କମିଶନର ଶ୍ରୀ ଚଞ୍ଚଳ ରାଣା । ମାନନୀୟା ମେୟର ଓ କମିଶର ଘଟଣାସ୍ଥଳ ପରିଦର୍ଶନ କରିବା ସହ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଦୋକାନୀମାନେ ନିଜ ନିଜ ଦୋକାନ ଆଗକୁ ଜବର ଦଖଲ କରିବା, ପଲିଥିନ ପାଲ ଟାଣିବା, ଦୋକାନରେ ବିକ୍ରି ପାଇଁ ପଲିଥିନି ରଖିଥିବା ହେତୁ ଅଗ୍ନିକାଣ୍ଡକୁ ଆୟତ୍ତ କରିହେଲା ନାହିଁ । ଦୋକାନୀମାନେ ସେଠାରେ ଗୋଦାମ ଘର କରିଥିବାରୁ ଏପରି ପରିସ୍ଥିତି ଉପୁଜିଲା । ପୂର୍ବରୁ ଏ ସଂପର୍କରେ ବାରମ୍ବାର ଏକ ନମ୍ବର ବ୍ୟବସାୟୀ ସଂଘକୁ ଅବଗତ କରାଯାଇଥିଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ୱର ସହ ନେଇନଥିଲେ । ଏକ ନମ୍ବର ହାଟକୁ ବ୍ୟବସ୍ଥିତ କରିବା ପାଇଁ ବିଏମ୍ ସି ପକ୍ଷରୁ ଏବେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ।
ଏକ ନମ୍ୱର ହାଟରେ ଆଉ କୌଣସି ଦୋକାନୀ ପଲିଥିନି ରଖିବେ ନାହିଁ କିମ୍ବା ଦୋକାନ ଆଗରେ ଟାଣିବେ ନାହିଁ । ମାର୍କେଟ ମଧ୍ୟରେ କୌଣସି ହୋଟେଲ ରହିବ ନାହିଁ । ଗତକାଲି ପ୍ରାୟ 50ଟି ଉଠା ଦୋକାନ ପୋଡିଯାଇଛି । କ୍ୟାପିଟାଲ ଥାନାର ମଧ୍ୟ କିଛି ଅଂଶ କ୍ଷତି ହୋଇଛି । ଏହି ଘଟଣା ପରେ ସଂଯୁକ୍ତ ବିଭାଗ ସହଯୋଗରେ ବିଏମ୍ ସି ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ମେୟର, କମିଶନର, ଅତିରିକ୍ତ କମିଶନର, ସ୍ଥାନୀୟ କର୍ପୋରେଟର, କ୍ୟାପିଟାଲ ଥାନା ଅଧିକାରୀ ଓ କର୍ମଚାରୀ, ବିଏମ୍ ସି ଏନଫୋର୍ସମେଣ୍ଟ ଓ ସାଇନ୍ ଟିମ୍, ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ସାମିଲ ହୋଇଛନ୍ତି ।

ଜବର ଦଖଲରେ ଥିବା କ୍ୟାପିଟାଲ ଥାନା ପଛପାର୍ଶ୍ୱକୁ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି । ଫଳରେ ମାର୍କେଟକୁ ଯିବା ପାଇଁ 25 ଫୁଟର ଏକ ରାସ୍ତା ବାହାରି ପାରିଛି । ଯଦ୍ୱାରା ମାର୍କେଟ ଭିତରକୁ ସାଧାରଣ ଲୋକେ ଯିବା ଆସିବା ପାଇଁ ଏବେ ସହଜ ହୋଇପାରିଛି । ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ବିଦ୍ୟୁତ୍ ଉପବିଭାଗ, ପରିମଳ, ଯାନବାହନ, ପରିବେଶ ଉପବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଏହି କାର୍ଯ୍ୟରେ ସହାୟତା କରିଥିଲେ । ଉଚ୍ଛେଦ କାର୍ଯ୍ୟରେ 8ଟି ଜେସିବି, 15ଟି ହାଇଓ୍ୱା, 8ଟି ଟ୍ରାକ୍ଟର ଦିନ ତମାମ ଲାଗିଛନ୍ତି । ସଂଗେ ସଂଗେ ବର୍ଜ୍ୟଗୁଡିକୁ ସ୍ଥାନାନ୍ତର କରାଯାଉଛି । ପୋଡିଯାଇଥିବା ବଡ ଗଛଟିର ଡାଳଗୁଡିକୁ ମଧ୍ୟ କାଟି ଦିଆଯାଇଛି । ସେଗୁଡିକୁ ମଧ୍ୟ ସ୍ଥାନାନ୍ତର କରାଯାଉଛି । ସେହିପରି ମାର୍କେଟ ଭିତରେ ଯେଉଁମାନେ ରାସ୍ତାକୁ ଜବର ଦଖଲ କରିଛନ୍ତି କିମ୍ବା ନିଜ ଦୋକାନ ଆଗକୁ ମଡାଇ ଦେଇଛନ୍ତି, ସେ ସମସ୍ତ ଜବର ଦଖଲ ଉଚ୍ଛେଦ କରାଯିବ । ଏଣିକି କୌଣସି ଦୋକାନୀ ଦୋକାନ ଆଗରେ ପଲିଥିନି ଟାଣି ପାରିବେ ନାହିଁ କିମ୍ବା ବିକ୍ରି କରିପାରିବେ ନାହିଁ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ନିୟମ ଅନୁଯାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ । ମାର୍କେଟ ମଧ୍ୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା ( Fire safety audit) କରାଯିବ । ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ମାର୍କେଟ ପରିସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ଅର୍ଥ ମଂଜୁର କରାଯାଇଛି । ତାହାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କମିଶନର । ମାର୍କେଟ ଭିତରେ ଜବରଦଖଲ ଉଚ୍ଛେଦ କରାଗଲେ, ସାଧାରଣ ଲୋକଙ୍କ ଯାତୟାତ ଏବଂ କୌଣସି ଦୁର୍ଘଟଣା ସମୟରେ ଗାଡି ପ୍ରବେଶ ପାଇଁ ସହଜ ହୋଇପାରିବ । ଏକ ନମ୍ବର ମାର୍କେଟର ଦୋକାନୀ ଓ ସର୍ବସାଧାରଣଙ୍କ ଧନ ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମ୍ ସି ପକ୍ଷରୁ ଏହି ସବୁ ପଦକ୍ଷେପ ନିଆଯାଉଛି । ଏହି କାର୍ଯ୍ୟରେ ମାର୍କେଟ ବ୍ୟବସାୟୀ ସଂଘ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ମେୟର ଓ କମିଶନର । ମେୟର ଓ କମିଶନରଙ୍କ ନିର୍ଦେଶ କ୍ରମେ ଆଜି ଦିନ ତମାମ ବିଏମ୍ ସି ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ଏହି ସମସ୍ତ କାର୍ଯ୍ୟର ସଂଚାଳନ କରୁଛନ୍ତି । ସମସ୍ତ ଉପବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ସହ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛନ୍ତି ।
