July 31, 2025
Home » ଓଡ଼ିଶାରେ ନଟ୍ ଆଉଟ୍ ପ୍ଲାନରେ ବିଜେପି; ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ହଜାଇଲା ବିରୋଧୀଙ୍କ ନିଦ!

ଓଡ଼ିଶାରେ ନଟ୍ ଆଉଟ୍ ପ୍ଲାନରେ ବିଜେପି; ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ହଜାଇଲା ବିରୋଧୀଙ୍କ ନିଦ!

0
WhatsApp Image 2024-11-30 at 8.39.07 AM

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ପ୍ରଧାନମନ୍ତ୍ରୀ ଏଯାବତ ତିନି ଥର ଓଡ଼ିଶାକୁ ଆସିଛନ୍ତି। ଆଉ ଦେଶର ସର୍ବୋଚ୍ଚ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ରାଜନୀତିକୁ ଦେଇଛି ବଡ଼ ବାର୍ତ୍ତା। ଆଉ ମୋଦୀଙ୍କ ଗସ୍ତ ଓଡ଼ିଶାକୁ କେନ୍ଦ୍ର ସରକାର ଅତି ନିକଟରୁ ଦେଖୁଛି ବୋଲି ଗୋଟିଏ ବାର୍ତ୍ତା ରହୁଛି। ଯାହାକି କେନ୍ଦ୍ରରେ କଂଗ୍ରେସ ସରକାରରେ ଥିବା ବେଳେ ଦେଖିବାକୁ ମିଳୁନଥିଲା।

ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ଭୁବନେଶ୍ୱର ବିମାନବନ୍ଦର ନିକଟରେ ଅଭିଭାଷଣ ଜରିଆରେ ସାରା ଓଡ଼ିଶାକୁ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ବିରୋଧୀ ଶିବିରକୁ ଚିନ୍ତାରେ ପକାଇଛି। ଆଉ ଡବଲ ଇଞ୍ଜିନ ସରକାର ରାଜ୍ୟରେ ବିକାଶ କରିବାକୁ ଆସିଛି ବୋଲି ମୋଦୀ କହିଛନ୍ତି।

ମୋଦୀ କହିଛନ୍ତି, ବିଜେପି ସରକାର ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପ୍ରାଥମିକତା ଦେଉଛି। ସରକାର ଏହି ଐତିହାସିକ ବାଲିଯାତ୍ରାକୁ ସଫଳତାର ସହ ଆୟୋଜନ କରିଛନ୍ତି । ନିଜେ ଡିଜି-ଆଇଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର କହିଛନ୍ତି।

ବ୍ରିଟିଶ ଶାସନ କାଳରୁ ଏହି ସମ୍ମିଳନୀ ଆୟୋଜନ କରାଯାଉଥିଲେ ହେଁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ସାରା ଦେଶର ବରିଷ୍ଠ ପୁଲିସ ଅଧିକାରୀ ଫେରିବେ ବୋଲି ସେ କହିଛନ୍ତି।

ପୁରୀରେ ମଧ୍ୟ ନୌସେନା ଦିବସ ପାଳନ କରାଯିବ। ସମଗ୍ର ଓଡ଼ିଶା ବିଶ୍ୱର କେନ୍ଦ୍ରସ୍ଥଳରେ ରହିବ। ୨୦୨୫ ଜାନୁଆରିରେ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ। ରାଜ୍ୟର ଜନତା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କୁ ସ୍ୱାଗତ କରିବାର ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଆଗାମୀ ଦିନରେ ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ଆମେ ଓଡ଼ିଶାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଚାହୁଁଛୁ। ଏଭଳି କାର୍ଯ୍ୟକ୍ରମ ଏହାର ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଜି-୨୦ କାର୍ଯ୍ୟକ୍ରମ ଠାରୁ ଅଧିକ ସଫଳ କରିବାକୁ ଅନୁରୋଧ କରିଛନ୍ତି। ସେହିପରି ପୂର୍ବ ସରକାର ତୁଳନାରେ ତାଙ୍କ ସରକାର ଓଡ଼ିଆଙ୍କୁ ଅଧିକ ଅଗ୍ରାଧିକାର ଦିଅନ୍ତି ବୋଲି କହିଛନ୍ତି।

ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ସରକାର ବାଛିବା, ଆରବିଆଇ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସ, ଜମ୍ମୁ କଶ୍ନୀରର ପୂର୍ବତନ ରାଜ୍ୟପାଳ ଭାବେ ଗିରିଶ ଚନ୍ଦ୍ର ମୁର୍ମୁ, କେନ୍ଦ୍ରରେ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ନବ ଆଦି ରହିବା କଥାକୁ ପରେକ୍ଷରେ ମନେ ପକାଇ ଦେଇଛନ୍ତି।

ବଡ଼କଥା ହେଉଛି ନିର୍ବାଚନ ପରେ ବିଜେପି ଓଡ଼ିଶାରେ ନିଜର ସ୍ଥିତି ମଜବୁତ କରିବାକୁ ଚାହୁଁଛି। କିନ୍ତୁ ଏବେ ବି ବିଜେଡିର ସଂଗଠନ ରାଜ୍ୟରେ ସକ୍ରିୟ ରହିଛି। ହେଲେ ଦଳରେ ଅନେକ ଅସନ୍ତୋଷ ରହିଥିବା ସାମ୍ନାକୁ ଆସିସାରିଛି। ଯାହାର ଫାଇଦା ନେବାକୁ ଲକ୍ଷ୍ୟ ରଖିଛି ବିଜେପି। ତେଣୁ ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କୁ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସହ କାମ କରିବା ଏବଂ ନିଜର ବାରମ୍ବାର ଗସ୍ତ ଜରିଆରେ ଦଳୀୟ କର୍ମୀଙ୍କୁ ଓ ରାଜ୍ୟବାସୀଙ୍କୁ ବଡ଼ବାର୍ତ୍ତା ଦେବାକୁ ପ୍ରୟାସ କରୁଛନ୍ତି।

ତେଣୁ ବିରୋଧୀ ବିଜେଡି ଯଦି ଏବେ ନିଜ ଭୁଲକୁ ନସୁଧାରିବ ଏବଂ ଦଳରେ ଥିବା କନ୍ଦଳକୁ ପ୍ରଶମିତ ନକରିବ ତାହେଲେ ପରୋକ୍ଷରେ ବିଜେପି ମଜବୁତ ହେବାକୁ ରାସ୍ତା ଫିଟାଇବ ବୋଲି କୁହାଯାଉଛି। ଅନ୍ୟପଟେ କଂଗ୍ରେସ ଯେଉଁଭଳି ଦୁର୍ବଳ ହୋଇ ଚାଲିଛି ଏବଂ ନେତାମାନେ ଦଳୀୟ ନେତୃତ୍ୱ ପ୍ରତି ବିମୁଖ ହେଉଛନ୍ତି ତାହା ପରୋକ୍ଷରେ ରାଜ୍ୟର ଶାସକ ଦଳକୁ ସୁହାଉଛି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *