July 1, 2025
Home » ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ୍‌ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ୫ ଦଫା ପ୍ରମୁଖ ଦାବି

ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ୍‌ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ୫ ଦଫା ପ୍ରମୁଖ ଦାବି

0
WhatsApp Image 2025-05-11 at 7.40.51 PM

ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ୍‌ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ୫ ଦଫା ପ୍ରମୁଖ ଦାବି ନେଇ ଆଜି ୟୁନିଟ-୨ ସ୍ଥିତ କର୍ମଚାରୀ ଭବନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ନାଗରିକଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିରେ ଭାରତୀୟ ଯବାନମାନଙ୍କ ସାହସିକ ପଦକ୍ଷେପ ପାଇଁ ନିଜକୁ ଗର୍ବ ମନେକରିବା ଓ ଏହି କଠିନ ସମୟରେ ଆମେ ରାଜ୍ୟର ପାଞ୍ଚ ଲକ୍ଷ ସରକାରୀ କର୍ମଚାରୀ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବ ବୋଲି ସମିତି ତରଫରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇଥିଲା ।

ସରକାରୀ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଲାଗୁ, ୧୯୯୦ ମସିହାର ପୁରୁଣା ଥଇଥାନ ନୀତି ପ୍ରଚଳନ, ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଦରମା ନିର୍ଦ୍ଧାରଣ, ପୁରୁଣା ପେନ୍‌ସନ୍‌ ଲାଗୁ ଓ ସମସ୍ତ ଠିକା କର୍ମଚାରୀମାନଙ୍କୁ ନିୟମିତ କରିବା ପ୍ରମୁଖ ୫ ଦଫା ଦାବି ପୂରଣ ପାଇଁ ସରକାରଙ୍କୁ ରାଜ୍ୟର ଏହି ସର୍ବବୃହତ ଓ ପୁରାତନ କର୍ମଚାରୀ ସଂଗଠନ ଦାବି ଜଣାଇଛି। ସମନ୍ୱୟ ସମିତିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରବିନ୍ଦ୍ରନାଥ ପ୍ରଧାନ ଦାବି ଉପସ୍ଥାପନ କରି କହିଛନ୍ତି ଯେ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିଛନ୍ତି, ଯାହାଦ୍ୱାରା ଓଡ଼ିଶାର ୩.୪୬ କୋଟି ଲୋକ ସ୍ୱାସ୍ଥ୍ୟବୀମା ପାଇଁ ବିଶେଷ ଉପକୃତ ହେବେଯାହା ଅତି ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ପାଞ୍ଚ ଲକ୍ଷ ସରକାରୀ କର୍ମଚାରୀମାନେ ଦୁରାରୋଗ୍ୟର ଶିକାର ହୋଇ ଅର୍ଥାଭାବରୁ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ତେଣୁ ସରକାରୀ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ସହ ସୁସ୍ଥ ବାତାବରଣ ବଜାୟ ରଖିବା ପାଇଁ ସମସ୍ତ ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ ତଥା ସେମାନଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଚଳନ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି । ପୂର୍ବ ସରକାର ପ୍ରଚଳନ କରିଥିବା ୨୦୨୦ ମସିହା ବେସାମରିକ ସେବା (ଥଇଥାନ ସହାୟତା) ନିୟମକୁ ବାତିଲ କରି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଓଡ଼ିଶା ସିଭିଲ ସର୍ଭିସ (ଥଇଥାନ ସହାୟତା) ନିୟମକୁ ବାତିଲ କରି ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଥଇଥାନ ସହାୟତା) ନିୟମ ୧୯୯୦ ଅନୁଯାୟୀ ନିଯୁକ୍ତି ପ୍ରଦାନ ପାଇଁ ସମନ୍ୱୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ତତ୍‌କାଳୀନ ସରକାର ପ୍ରଚଳନ କରିଥିବା ନୂତନ ଥଇଥାନ ନୀତି ୨୦୨୦ର ବିଭିନ୍ନ ସର୍ତ୍ତାବଳୀ ତଥା ମାର୍କିଙ୍ଗ୍‌ ସିଷ୍ଟମ୍‌ ଦ୍ୱାରା ସରକାରୀ କର୍ମଚାରୀଙ୍କ ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାରୀ ଗ୍ରୁପ୍‌ ଡି ଚାକିରି ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । କର୍ମଚାରୀ ବିରୋଧୀ ୨୦୨୦ ମସିହାର ଥଇଥାନ ନୀତିକୁ ତୁରନ୍ତ ପ୍ରତ୍ୟାହାର କରି ୧୯୯୦ ମସିହାର ପୁରୁଣା ଥଇଥାନ ନୀତି ପ୍ରଚଳନ ପାଇଁ ସମନ୍ୱୟ ସମିତିର କର୍ମକର୍ତ୍ତାମାନେ ଦାବି ଉପସ୍ଥାପନ କରିଥିଲେ । ବିଭିନ୍ନ ବର୍ଗର କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଦରମା ପ୍ରଦାନ ଓ ପୁରୁଣା ପେନ୍‌ସନ୍‌ ଲାଗୁ କରିବା ଓ ଠିକା ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ସହ ସମସ୍ତ ବିଭାଗରେ ଠିକାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ସମନ୍ୱୟ ସମିତି ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଛି ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଅଣ ଗେଜେଟେଡ୍‌ କର୍ମଚାରୀମାନଙ୍କ ଉପରୋକ୍ତ ପ୍ରମୁଖ ଦାବି ପୂରଣ ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସମନ୍ୱୟ ସମିତିର କର୍ମଚାରୀମାନେ ଦୃଢ଼ ଆଶାପୋଷଣ କରିଛନ୍ତି । ଦାବି ପୂରଣ ନ ହେଲେ ଏକ ବୃହତ୍‌ ଆନ୍ଦୋଳନର ସମ୍ଭାବନାକୁ ଏଡ଼େଇ ହେବ ନାହିଁ ବୋଲି କର୍ମଚାରୀ ନେତାମାନେ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ୍‌ କର୍ମଚାରୀ ସମନ୍ୱୟ ସମିତିର ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ପାତ୍ର, ମାର୍ଗଦର୍ଶକ ପ୍ରସନ୍ନ କୁମାର ତ୍ରିପାଠୀ, ଅଧ୍ୟକ୍ଷ ସୁନନ୍ଦ କାନୁନଗୋ, ସଭାପତି ନାରାୟଣ ଦାଶ, କାର୍ଯ୍ୟକାରୀ ସଭାପତି ଜ୍ଞାନରଞ୍ଜନ ଦାସ, ସାଧାରଣ ସମ୍ପାଦକ ରବିନ୍ଦ୍ରନାଥ ପ୍ରଧାନ, ବରିଷ୍ଠ ଉପସଭାପତି ତଥା ଓଡ଼ିଶା ଫାର୍ମାସିଷ୍ଟ ସଂଘର ସଭାପତି ଚିନ୍ମୟ ଚିହ୍ନା, ଓଡ଼ିଶା ଅମଲା ସଂଘର ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ତରାସିଆ, ମାଳି ସଂଘର ସାଧାରଣ ସମ୍ପାଦକ ହାଡ଼ିବନ୍ଧୁ ଦାସ, ଉପସଭାପତି ଶଶିଭୂଷଣ ଦାସ, ସଦର ମହକୁମାର ସମ୍ପାଦକ ପ୍ରଶାନ୍ତ ସାମନ୍ତରାୟ, ମିଡ଼ିଆ ସମ୍ପାଦକ ସୁଶାନ୍ତ କୁମାର କଣ୍ଡୁ, କୋଷାଧ୍ୟକ୍ଷ କିରଣ କୁମାର ପାଢ଼ୀ, ସଂଗଠନ ସମ୍ପାଦକ ଏମ୍‌. ପର୍ଶୁରାମ ପାତ୍ର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *