November 22, 2024
Home » ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା

0

ଚଳିତ ବର୍ଷ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା -୨୦୨୨ରେ ମାଲକାନଗିରି ଜିଲ୍ଲାରୁ ଛଅ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ କୃତୀ ପ୍ରାର୍ଥୀଙ୍କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶକ୍ରମେ ୫/୧୧/୨୪ ତାରିଖରେ ସମ୍ୱର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଯୋଗ ଦେଇ ସେମାନଙ୍କୁ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସଫଳତାର ଶୀର୍ଷରେ ପହଞ୍ଚି ନିଜ ପରିବାର ଓ ଜିଲ୍ଲା ପାଇଁ ଗୌରବ ଆଣିବା ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ।

ଏହା ଜିଲ୍ଲାର ଯୁବପୀଢ଼ିଙ୍କୁ ଅନୁପ୍ରାଣୀତ କରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ ଆୟୋଜନ ଓ ପରିଚାଳନା କରିଥିଲେ। ସୂଚନା ଥାଉ କି ଖଇରପୁଟର ବଣ୍ଡା ଯୁବତୀ ବିନୀ ମୁଦୁଲି, ପଡ଼ିଆର ମମତା ତାଉଡ଼ିଆ, ମାଥିଲିର ଭାଗ୍ୟଶ୍ରୀ ମିଶ୍ର, ମାଲକାନଗିରିର ପଲ୍ଲବୀ ସରକାର, ପିଲହୋଲିକା ପ୍ରିୟଦର୍ଶିନୀ ଓ କୋରକୁଣ୍ଡାର ଶ୍ୟାମା ମାଢ଼ି ସର୍ବମୋଟ ପାଞ୍ଚ ଜଣ ଝିଅ ଏବଂ ଜଣେ ପୁଅଙ୍କୁ ସମ୍ମାନୀତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି କଲେଜ, ମଡେଲ ଡ଼ିଗ୍ରୀ କଲେଜ ଓ ସରକାରୀ ପଲିଟେକନିକ କଲେଜରୁ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେମାନେ ଉକ୍ତ କୃତୀ ପ୍ରାର୍ଥୀଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ କ୍ୟାରିୟର କାଉନସିଲିଂ କରାଯାଇଥିଲା। ଗ୍ରାଜୁଏସନ୍ ପରେ କିଭଳି ସରକାରୀ ଚାକିରୀ ତଥା ଅନ୍ୟାନ୍ୟ କ୍ଷେତ୍ରରେ ନିଯୁକ୍ତି ପାଇ ପାରିବେ ସେଥି ନିମନ୍ତେ କୃତୀ ପ୍ରାର୍ଥୀ ସମସ୍ତଙ୍କୁ ଅନୁପ୍ରାଣୀତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଉପେନ୍ଦ୍ର ଦୀପ ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *