ଓଡିଆ ପକ୍ଷ ନେଇ ପାଳନ ହେଲା ଆସ ବହିଟିଏ କିଣିବା ଦିବସ
ଓଡ଼ିଆ ପକ୍ଷ – ୨୦୨୫ ପାଳନର ନବମ ଦିନରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସ ବହିଟିଏ କିଣିବା ଦିବସ ପାଳନ କରାଯାଇଛି। ବହି ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଦିନଟିକୁ ଆମ ଓଡ଼ିଶାର ସାହିତ୍ୟ ଓ ସାରସ୍ୱତ ଜଗତ ପାଇଁ ଉତ୍ସର୍ଗୀକୃତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ କରିଛନ୍ତି । ଆଜିର ଦିନରେ ସେ ଓଡ଼ିଆ ବା ଅନ୍ୟ କୌଣସି ବି ଓଡ଼ିଶାର ଭାଷାରେ ଲିଖିତ ବହିଟିଏ କିଣିବା, ପଢ଼ିବା ଓ ଅନ୍ୟମାନଙ୍କୁ ଉପହାର ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥି ସହିତ ଆମ ଯୁଗସ୍ରଷ୍ଟା ସାରସ୍ୱତ ସାଧକମାନଙ୍କୁ ସ୍ମରଣ କରି ଆମ ସାହିତ୍ୟ ଜଗତକୁ ଆହୁରି ସମୃଦ୍ଧ ଓ ପ୍ରସାରିତ କରିବାର ସଂକଳ୍ପ ନେବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଅନୁପ୍ରାଣୀତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ଵୀ ସେଠୀ, ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟାପକ ଡ଼ା ରଞ୍ଜନ ସ୍ବାଇଁ, ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପଦ୍ମନାଭ ପୁଆଲ, ଅଧ୍ୟାପିକା ନିକିତା ସିଂ ଉପସ୍ଥିତ ରହି ପୁସ୍ତକ କିଣିବା ଏବଂ ପଠନର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ମହାବିଦ୍ୟାଳୟ ସ୍ତରରେ ଆଜି ଏହି ଦିବସ ପାଳନ କରିବା ସହ ପୁସ୍ତକ କିଣାଯାଇଛି।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
