ଓବିସିସି ର ଖାମଖିଆଲି ମନୋଭାବ ଯୋଗୁ ପୁନରୁଦ୍ଧାର ହୋଇପାରୁ ନାହିଁ ପୁରୀର ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀ।

ଓଡ଼ିଶା ସେତୁ ନିର୍ମାଣ ନିଗମ ତଥା ଓବିସିସି ର ଖାମଖିଆଲି ମନୋଭାବ ଯୋଗୁ ପୁନରୁଦ୍ଧାର ହୋଇପାରୁ ନାହିଁ ପୁରୀର ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀ। ଅବଢ଼ା ଯୋଜନାରେ ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ତତ୍କାଳୀନ ସରକାର ଅର୍ଥ ବରାଦ କରିଥିବା ବେଳେ ଏହା ଖର୍ଚ୍ଚ ହୋଇପାରୁ ନାହିଁ। ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଓବିସିସି କୁ ଦାୟିତ୍ଵ ଦିଆଯାଇଥିବା ବେଳେ ଓବିସିସି ଏନେଇ କୌଣସି ପଦକ୍ଷେପ ନେଉ ନଥିବାରୁ ଏହାକୁ ନେଇ ଭକ୍ତ ଓ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀ ପରିସରରେ ପଡ଼ି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା। ସଫେଇ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସେହିପରି ଶ୍ବେତଗଙ୍ଗା ପୁଷ୍କରିଣୀର ଜଳକୁ ବିଶୋଧନ କରାଯାଉନଥିବାରୁ ଭକ୍ତମାନେ ସ୍ନାନ କରିବା ପରେ ଦେହ ହାତ କୁଣ୍ଡାଇ ହେଉଛି। ପାହାଚରେ ଶିଉଳି ଜମି ରହିଥିବାରୁ ଭକ୍ତ ପାଣିରେ ପଡିଯାଇ ଆହତ ହେଉଛନ୍ତି। ପଞ୍ଚତୀର୍ଥ ପୁଷ୍କରିଣୀ ମଧ୍ୟରୁ ଅନ୍ୟତମ ହେଉଛି ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀ। ଏଠାକୁ ଭକ୍ତମାନେ ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଏବଂ ପିଣ୍ଡଦାନ ସହ ତୀଳ ତର୍ପଣ କରିବାକୁ ଆସିଥାନ୍ତି। କେବଳ ସେତିକି ନୁହେଁ ପର୍ଯ୍ୟାପ୍ତ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ନ ଥିବାରୁ ସନ୍ଧ୍ୟା ହେଲେ ନିଶା ଖୋର୍ ଙ୍କ ଆଡା ସ୍ଥଳି ପାଲଟିଛି ତୀର୍ଥ ପୁଷ୍କରିଣୀ। ଫଳରେ ସନ୍ଧ୍ୟା ହେଲେ ଭକ୍ତ ଓ ପର୍ଯ୍ୟଟକ ତୀର୍ଥ ପୁଷ୍କରିଣୀ କୁ ଯିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ଆବଶ୍ୟକତା ଅନୁଯାୟୀ ଶୌଚାଳୟ ନାହିଁ।
ତେବେ ଏଭଳି ଏକ ପବିତ୍ର ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ପୁରୀ ଜିଲ୍ଲା ଏବଂ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଭକ୍ତ ଓ ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅବଢ଼ା ଯୋଜନାରେ ପୁରୀରେ ଥିବା ସମସ୍ତ ପୁଷ୍କରିଣୀର ଉନ୍ନତିକରଣ ଓ ପୁନରୁଦ୍ଧାର ପାଇଁ ତତ୍କାଳିନ ସରକାର ଅର୍ଥ ବରାଦ କରିଥିଲେ। ତେବେ ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡ ଏବଂ ନରେନ୍ଦ୍ର ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ପର୍ଯ୍ୟନ୍ତ କିନ୍ତୁ ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ। ଯାହାକୁ ନେଇ ଭକ୍ତ, ସେବାୟତ ପ୍ରଶାସନିକ କଳର ଅପାରଗତାକୁ କଡ଼ା ସମାଲୋଚନା କରିଛନ୍ତି।
ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଅର୍ଥ ବ୍ୟୟବରାଦ କରୁଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ପୁରୀ ପ୍ରଶାସନିକ କଳରେ କେତେକ ଦୁର୍ନୀତିଗ୍ରସ୍ତ ଏବଂ ଅପାରଗ ଅଧିକାରୀଙ୍କ ଯୋଗୁ ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ। ତେବେ ଓଡ଼ିଶାରେ ନୂଆ ସରକାର ଗଠନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜେ ସମଗ୍ର ଘଟଣାକୁ ସମୀକ୍ଷା କରି ଅପାରଗ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଭକ୍ତ ଓ ସେବାୟତ ଦାବି କରିଛନ୍ତି।
ସ୍ୱେତଗଙ୍ଗ ତୀର୍ଥ ପୁଷକରିଣୀ କୁ ଆସିଥିବା ଜଣେ ଭକ୍ତ ରଞ୍ଜୁଲତା କିସାନ କହିଛନ୍ତି, ପୁରୀ କୁ ଆମେ ତୀର୍ଥ କରିବା ପାଈଁ ଆସିଥିଲୁ। ମୋ ଝିଅ ର ଚୁଟି ଆମେ ପକାଇଲୁ। ଶ୍ଵେତଗଙ୍ଗା ପୁଷ୍କରିଣୀ ରେ ମୋ ଝିଅ ସହ ମୋ ପରିବାର ଲୋକେ ବୁଡ ପକାଇଲୁ। ସ୍ଵେତଗଙ୍ଗା ପୁଷ୍କରିଣୀ ଏକ ପବିତ୍ର ପୁଷ୍କରିଣୀ। ଏଠାରେ ବୁଡ ପକାଇବା ଯାହା ପବିତ୍ର ଗଙ୍ଗା ନଦୀରେ ବୁଡ ପକାଇବା ଭଳି ସମଫଳ ଲାଭ ହୋଇଥାଏ ବୋଲି ପୁରାଣ ରେ ଉଲ୍ଲେଖ ରହିଛି। ହେଲେ ଦୁଃଖ ର ବିଷୟ ଏହି ପବିତ୍ର ପୁଷ୍କରିଣୀ ଚାରିପାଖ ରେ ଅଳିଆ ଆବର୍ଜନା ଜମି ରହିଚି। ପାହାଚ ରେ ସିଉଳି ରହିଚି। ଏହାକୁ ପ୍ରଶାସନ ଧ୍ୟାନ ଦେବା ଉଚିତ୍। ପୁଷ୍କରିଣୀ ର ଜଳ କୁ ସ୍ୱଚ୍ଛ ରଖାଯିବା ଉଚିତ୍। ଏହା ଦ୍ଵାରା ଭକ୍ତ ମାନେ ଭଲ ରେ ସ୍ନାନ କରି ଯାଇପାରିବେ। ସ୍ଵେତଗଙ୍ଗା ତୀର୍ଥ ପୁଷ୍କରିଣୀ କୁ ହଜାର ହଜାର ଭକ୍ତ ଆସୁଛନ୍ତି। ଏଣୁ ଏଠାରେ ସବୁ ପ୍ରକାର ସୁବିଧା ହୋଇ ପାରିଲେ ଭକ୍ତ ମାନେ ଉପକୃତ ହୋଇପାରିବେ।
ଆଉ ଜଣେ ଭକ୍ତ ଧନେଶ୍ଵର କିସାନ୍ ନିଜ ପ୍ରତିକ୍ରିୟାରେ ରେ କହିଛନ୍ତି ଆମେ ପୁରୀ ବୁଲିବାକୁ ଆସିଥିଲୁ। ବିଭିନ୍ନ ସ୍ଥାନ ବୁଲିବା ପରେ ପବିତ୍ର ତୀର୍ଥ ପୁଷ୍କରିଣୀ ସ୍ୱେତଗଙ୍ଗା କୁ ଆସିଚୁ। ହେଲେ ଦୁଃଖ ର କଥା ଏହି ପବିତ୍ର ପୁଷ୍କରିଣୀ କୁ ପରିଷ୍କାର ପରିଚ୍ଛନ୍ନ ରଖାଯାଉନାହିଁ। ସବୁଆଡେ ଅଳିଆ ଆବର୍ଜନା ପଡ଼ିରହିଛି। ପୁଷ୍କରିଣୀ ର ଜଳ ଅପରିଷ୍କାର ଥିବା ବେଳେ ପାହାଚ ଗୁଡ଼ିକ ରେ ଶିଉଳି ରହିଚି। ଫଳରେ ଭକ୍ତ ମାନେ ପଡ଼ି ଆହତ ହେଉଛନ୍ତି। ବୁଢ଼ା ବୁଢ଼ୀ ମାନେ ଗାଧୋଇବା ବିପଦ ଜନକ ରହିଚି।ଶୌଚାଳୟ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ପରିଷ୍କାର ପରିଚ୍ଛନ୍ନ ରଖାଯାଉନଥିବାରୁ ଏହା ବ୍ୟବହାର କରିବା ସମ୍ଭବ ନୁହେଁ। ତେବେ ପୁରୀ ଜିଲା ପ୍ରଶାସନ ଅଧିକାରୀ ଙ୍କୁ ମୁଁ ନିବେଦନ କରୁଛି ପବିତ୍ର ଶ୍ୱେତଗଙ୍ଗା ପୁଷ୍କରିଣୀ ର ଉନ୍ନତି କରଣ କରାଯାଉ। ଏହା ଦ୍ଵାରା ଭକ୍ତ ଉପକୃତ ହୋଇ ପାରିବେ।
ଶ୍ରୀ ମନ୍ଦିର ର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ଶ୍ରୀକ୍ଷେତ୍ର ରେ ଥିବା ପଞ୍ଚ ତୀର୍ଥ ପୁଷ୍କରିଣୀ ମଧ୍ୟରୁ ଅନ୍ୟତମ ହେଉଚି ଶ୍ୱେତଗଙ୍ଗା ପୁଷ୍କରିଣୀ। ପୁରାଣ ରେ ବର୍ଣ୍ଣନା ଅନୁଯାୟୀ ଗଙ୍ଗା ରେ ସ୍ନାନ କରିବା ଯାହା ଶ୍ୱେତଗଙ୍ଗା ରେ ସ୍ନାନ କଲେ ସମାନ ଫଳ ମିଳିଥାଏ। ସାରା ଦେଶରୁ ହଜାର ହଜାର ଭକ୍ତ ଏହି ଶ୍ୱେତଗଙ୍ଗା ପୁଷ୍କରିଣୀ ରେ ନିଜ ପିତୃପୁରୁଷାଙ୍କୁ ଶ୍ରାଦ୍ଧ, ପିଣ୍ଡ ଦେବା ପାଇଁ ଆସିଥାନ୍ତି। ଏଠାରେ ବୁଡ ପକାଇଥାନ୍ତି। ଆମେ ସେବାୟତ ମାନେ ମଧ୍ୟ ଆମର ସବୁ ଶ୍ରାଦ୍ଧ କର୍ମ ଏହି ଶ୍ୱେତଗଙ୍ଗା ପୁଷ୍କରିଣୀ ରେ କରିଥାଉ। ଏହା ଏକ ପବିତ୍ର ପୁଷ୍କରିଣୀ। ଏହାର ସଠିକ୍ ଢଙ୍ଗ ରେ ଉନ୍ନତି କରଣ ହୋଇ ପାରିନାହିଁ। ଏହାର ପୁନରୁଦ୍ଧାର ପାଈଁ ପୂର୍ବ ସରକାର ଆର୍ଥିକ ଅନୁଦାନ ଦେଇଥିଲେ। ହେଲେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ। ଦିନକୁ ଦିନ ଭକ୍ତ ଙ୍କ ଆଗମନ ବଢୁଥିବା ବେଳେ ଏହାର ଉନ୍ନତି କରଣ ଦିଗରେ ସରକାର ପଦକ୍ଷେପ ନେବା ଉଚିତ୍। ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀ ର ଉନ୍ନତି କରଣ ହୋଇ ପାରିଲେ ଭକ୍ତ ଉପକୃତ ହୋଇ ପାରିବେ।
ଶ୍ଵେତଗଙ୍ଗା ତୀର୍ଥ ପୁଷ୍କରିଣୀ ର ଅବ୍ୟବସ୍ଥା ନେଇ ନିଜ ପ୍ରତିକ୍ରିୟାରେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ନିଶ୍ଚିତ ଭାବରେ ଶ୍ୱେତଗଙ୍ଗା ପୁଷ୍କରିଣୀ ର ସ୍ବତନ୍ତ୍ର ପରିଚୟ ରହିଚି। ତେବେ ଶ୍ୱେତଗଙ୍ଗା ପୁଷ୍କରିଣୀ ରେ ଥିବା ଅବ୍ୟବସ୍ଥା ନେଇ ମୋ ପାଖରେ ଅଭିଯୋଗ ଆସିଚି। ତେବେ ପ୍ରଶାସନିକ କଳ ରେ କେତେକ ସମନ୍ଵୟ ଅଭାବ ଯୋଗୁ ଶ୍ୱେତଗଙ୍ଗା ପୁଷ୍କରିଣୀ ର ପୁନରୁଦ୍ଧାର କାର୍ଯ୍ୟ ଆରଂଭ ହୋଇପାରିନାହିଁ। ତେବେ ଏହି ସମସ୍ୟା ସମାଧାନ ପାଇଁ ଏକ ବୈଠକ ମୁଁ ଡାକିଛି। ସେଠାରେ ସବୁ ବିଭାଗୀୟ ଅଧିକାରୀ ଙ୍କୁ ନେଇ ସମୀକ୍ଷା ହେବ। ଯାହା କିଛି ସମସ୍ୟା ରହିଚି ତାହା କିଭଳି ଶୀଘ୍ର ସମାଧାନ କରାଯାଇ ଶ୍ୱେତଗଙ୍ଗା ପୁଷ୍କରିଣୀ ର ଉନ୍ନତି କରଣ କାର୍ଯ୍ୟ ଆରମ୍ଭ ହେବ ସେ ନେଇ ପଦକ୍ଷେପ ନିଆଯିବ।