August 27, 2025
Home » ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କ ମଧ୍ୟରେ ଖୁସି ର ଲହରୀ

ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କ ମଧ୍ୟରେ ଖୁସି ର ଲହରୀ

0
images

ଭୁବନେଶ୍ୱର:ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା 3 ଟଙ୍କା ଦେବାକୁ ଦାବି ଶୀର୍ଷକ ଖବର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଆମ ନଜରକୁ ଆସିଛି । ଯେଉଁ ଖବର ପ୍ରକାଶ ପାଇଛି, ତାହା ଭିତ୍ତି ହୀନ, କପୋଳକଳ୍ପିତ ଏବଂ କେତେକ ନ୍ୱେଷସ୍ୱାର୍ଥ ବ୍ୟକ୍ତି ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କୁ ବିଭ୍ରାନ୍ତି କରିବା ସହ ସରକାର ଏବଂ ଓମଫେଡକୁ ବଦନାମ କରିବା ପାଇଁ ହୀନ ଉଦ୍ୟମ ଚଳାଇଛନ୍ତି ।
ଏଠାରେ ଆମେ ସୂଚାଇ ଦେବାକୁ ଚାହୁଁଛୁ କି ଯେଉଁମାନେ ଏହି ବୈଠକରେ ଯୋଗଦେଇଥିଲେ, ସେମାନେ କେହି ଓମଫେଡ୍ ଦୁଗ୍ଧ ଚାଷୀ ନୁହଁନ୍ତି କିମ୍ବା ଓମଫେଡକୁ ଦୁଗ୍ଧ ଦେଉ ନାହାଁନ୍ତ । ଓଡିଶା ଦୁଗ୍ଧଚାଷୀ ମହାସଂଘ ଓମଫେଡର ସ୍ୱୀକୃତି ପ୍ରାପ୍ତ ସମବାୟ ସମିତି କିମ୍ବା ସଂଗଠନ ମଧ୍ୟ ନୁହେଁ ।
ବିଶ୍ୱ ଦୁଗ୍ଧ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଲିଟର ପିଛା 3 ଟଙ୍କା ଲେଖାଏଁ ଦେବା ପାଇଁ ଯେଉଁ ଘୋଷଣା କରିଥିଲେ, ତାହା ଅବିଳମ୍ବେ ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କୁ ପ୍ରଦାନ କରାଯାଉଛି । ଅର୍ଥାତ୍ ଜୁନ୍ 1 ତାରିଖରୁ ଏହି ବର୍ଦ୍ଧିତ ମୂଲ୍ୟ ଚାଷୀମାନଙ୍କୁ ଡିବିଡି ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଉଛି । ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ କିଛି ଭୁଲ ରହିଛି କିମ୍ବା ଲିଙ୍କ ନାହିଁ ସେମାନଙ୍କୁ, ଆକାଉଣ୍ଟ ସଂଶୋଧନ କରିବାକୁ ନିର୍ଦେଶ ଦିଆଯାଇଛି । ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ପ୍ରତି 10 ଦିନରେ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରିଆସୁଛି । ଏଥିରେ କୌଣସି ବ୍ୟତିକ୍ରମ ହୋଇ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଓମଫେଡ୍ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରୁଛି ।
ଅନ୍ୟ ଏକ କଥା ହେଲା 1 ଟଙ୍କା ଲିଟର ପିଛା ବୃଦ୍ଧି କରାଯାଇଛି ଯାହା କୁହାଯାଇଛି, ତାହା ମଧ୍ୟ ମିଥ୍ୟା । ଚାଷୀମାନଙ୍କୁ ଲିଟର ପିଛା 3 ଟଙ୍କା ପ୍ରଦାନ କରାଯାଉଛି । ସେଥିରୁ ରାଜ୍ୟ ସରକାର 2 ଟଙ୍କା ଏବଂ ଓମଫେଡ୍ 1 ଟଙ୍କା ଏପରି ତିନିଟଙ୍କା ପ୍ରଦାନ କରୁଛନ୍ତି । ରାଜ୍ୟ ସରକାର ଖାଉଟିଙ୍କ ଉପରେ ଦୁଗ୍ଧର ବର୍ଦ୍ଧିତ ଦର ଲିଟର ପିଛା 4 ଟଙ୍କା ଲେଖାଏଁ ଲଦିଦେବାକୁ ଚାହୁଁ ନାହାଁନ୍ତି । ତେଣୁ ସେ ରାଜକୋଷରୁ ଲିଟର ପିଛା 2 ଲେଖାଏଁ ଚାଷୀଙ୍କୁ ଦେଉଛନ୍ତି । ଅନ୍ୟପକ୍ଷରେ ଓମଫେଡ୍ ଯେଉଁ 2 ଟଙ୍କା ବୃଦ୍ଧି କରିଛି, ସେଥିରୁ ଚାଷୀଙ୍କୁ 1ଟଙ୍କା ଏବଂ ପରିଚାଳନା ଖର୍ଚ୍ଚ ବାବଦରେ ଏକ ଟଙ୍କା ବ୍ୟୟ କରୁଛି । ଏହାକୁ ସଠିକ ଭାବେ ନ ବୁଝି ତଥାକଥିତ ଓଡିଶା ଦୁଗ୍ଧଚାଷୀ ମହାସଂଘର ସଭାପତି ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାର ଆମେ ତୀବ୍ର ବିରୋଧ କରୁଛୁ । ଚାଷୀଙ୍କ ଖାତାକୁ ସିଧାସଳଖ ଲିଟର ପିଛା 3 ଟଙ୍କା ଲେଖାଏଁ ଯାଉଛି । ଏଥିପାଇଁ ଓମଫେଡ୍ ଦୁଗ୍ଧଚାଷୀମାନେ ବେଶ ଖୁସି ଅଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ଲକ୍ଷ ଲକ୍ଷ ଚାଷୀ ଓ ହଜାର ହଜାର ୟୁନିୟନର କର୍ମକର୍ତ୍ତା ଧନ୍ୟବାଦ ଜଣାଇଛନ୍ତି ।
ଓମଫେଡ୍ ଏକ ସମବାୟ ସଂସ୍ଥା । ରାଜ୍ୟରେ 11 ହଜାରରୁ ଅଧିକ ସମବାୟ ସମିତି ରହିଛି । ସମବାୟ ସମିତି ମାଧ୍ୟମରେ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ ହେଉଛି । ସେମାନଙ୍କର ଜିଲ୍ଲାସ୍ତରୀୟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ମଧ୍ୟ ରହିଛି । ଚାଷୀଙ୍କ ଉନ୍ନତି ପାଇଁ ତଥା ସେମାନଙ୍କର ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର କାମଧେନୁ ଯୋଜନା, ମାଈ ବାଛୁରୀ ପାଳନ ଯୋଜନା, ଘାସ ଚାଷ ପାଇଁ ପ୍ରୋତ୍ସାହନ ଆଦି ବହୁ ଯୋଜନା ଓ ପ୍ରୋତ୍ସାହନ ବା ସବସିଡ୍ ଦେଉଥିବାରୁ ରାଜ୍ୟର ଚାଷୀମାନେ ବେଶ ଉତ୍ସାହିତ ହୋଇ ଗୋପାଳନ ଓ ଦୁଗ୍ଧ ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏପରିକି ହଜାର ହଜାର ଶିକ୍ଷିତ ବେକାର ଯୁବକ ଯୁବତୀ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ କରି ଗୋପାଳନକୁ ଏକ ଶିଳ୍ପରେ ପରିଣତ କରିବା ପାଇଁ ଯୋଜନା କରୁଛନ୍ତି । ଏପରିସ୍ଥିତିରେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ତଥା ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଓ ଓମଫେଡକୁ ବଦନାମ କରିବା ପାଇଁ ହେଉଥିବା ହୀନ ଉଦ୍ୟମକୁ ଓମଫେଡ୍ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି । ସୂଚନା ଯୋଗ୍ୟକି, ରାଜ୍ୟ ସରକାର ଦେଉଥିବା ଦୁଇଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଉଛି ।
ସାତ ଦିନ ଭିତରେ ଆନ୍ଦୋଳନ ପାଇଁ ଯେଉଁ ସଂଗଠନ ଧମକ ଦେଇଛି, ସେ ସଂଗଠନରେ ଓମଫେଡର କୌଣସି ଦୁଗ୍ଧଚାଷୀ ନାହାନ୍ତି । ଓମଫେଡ୍ ଓ ରାଜ୍ୟ ସରକାରଙ୍କ ନାମରେ ଏପରି ଅପପ୍ରଚାର କରି ଖବରର ଶିରୋନାମାରେ ରହିବା ସହ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଘରୋଇ କଂପାନୀଗୁଡିକୁ ଦୁଗ୍ଧ ଦେବାକୁ ଚାଷୀମାନଙ୍କୁ ବିଭ୍ରାନ୍ତି ତଥା ପ୍ରଲୋଭିତ କରାଯାଉଛି । ଦୁଗ୍ଧ ଲିଟର ପିଛା 3 ଟଙ୍କା ବୃଦ୍ଧି କରିଥିବାରୁ ରାଜ୍ୟର ଲକ୍ଷ ଲକ୍ଷ ଓମଫେଡ୍ ଦୁଗ୍ଧ ଚାଷୀ ରାଜ୍ୟ ସରକାର ଓ ଓମଫେଡକୁ ବଧେଇ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *