April 2, 2026
Home » କଟକରେ ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳିତ

କଟକରେ ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳିତ

0
WhatsApp Image 2026-04-01 at 11.06.38 PM

ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଫଟୋ ଚିତ୍ର ପ୍ରଦର୍ଶନୀ ଆୟୋଜିତ।

କଟକ: କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଓଡିଶା ଦିଵସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷରୁ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଏକ ଯାନ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାନ ସହର ପରିକ୍ରମା କରିଥିଲା ।ପରେ ପରେ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଗୋରା କବର ଠାରେ ଅବସ୍ଥିତ ଉତ୍କଳ ଗୌରବ ମଧୁବାବୁଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥି ସହ ବିଜୁ ପଟ୍ଟନାୟକ ଛକଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି, କ୍ୟାଣ୍ଟନମେଣ୍ଟ ରାସ୍ତାରେ ଅବସ୍ଥିତ ଗୋପବନ୍ଧୁ ଓ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମେତ ସହିଦ ପାର୍କଠାରେ ଅବସ୍ଥିତ ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍,ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ, କଟକ ମହାନଗର ନିଗମ ଆୟୁକ୍ତ, ସୁଶ୍ରୀ କିରନଦୀପ କୌର ସହୋତା, ସୂଚନା ଓ ଲୋକସମ୍ପର୍କ ବିଭାଗ କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ଭବାନୀ ଶଙ୍କର ଭୂୟାଁ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଏହି ସ୍ଥାନମାନଙ୍କରେ ଉପସ୍ଥିତ ରହି ପୁଷ୍ପମାଲ୍ୟ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ସହରର ଅନ୍ୟ ସମସ୍ତ ସ୍ଥାନ ମାନଙ୍କରେ ଅବସ୍ଥିତ ପ୍ରତିମୂର୍ତ୍ତି ମାନଙ୍କରେ ମଧ୍ୟ ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବରିଷ୍ଠ ସାହିତ୍ୟିକ, ଆଇନଜୀବୀ ତଥା ବିଭିନ୍ନ ଅନୁଷ୍ଠାନର ସଦସ୍ୟ ମାନେ ସହରର ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।


ଏହି ଅବସରରେ ବରପୁତ୍ର ମାନଙ୍କର ଏବଂ ଓଡିଶାର ଐତିହ୍ୟକୁ ନେଇ ନେତାଜୀ ସଂସ୍କୃତି ଭବନଠାରେ ଫଟୋଚିତ୍ର ପ୍ରଦର୍ଶନୀ ଅୟୋଜନ କରାଯାଇଛି।ସଂଧ୍ୟାରେ ଏକ ସଭା ଅୟୋଜନ କରାଯାଇ ସେଠାରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ପରେ ପରେ କଟକ ଐତିହାସିକ ବାଲିଯାତ୍ରା ସାଂସ୍କୃତିକ ପରଂପରାକୁ ସୁରକ୍ଷା ଓ ପ୍ରସାର ତଥା ୟୁନେସ୍କୋ ମାନ୍ୟତା ନିମନ୍ତେ ସମ୍ମତି ପତ୍ର ପ୍ରଦାନ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ପ୍ରଶାସନ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସନ୍ଧ୍ୟା କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସମବାୟ,ବୟାନ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ,ଶ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ କହିଥିଲେ ଯେ କଟକ ସହର ଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରାଣକେନ୍ଦ୍ର ।

ଦିବସ ହେଉ ସଚେତନତା ଓ ସଂକଳ୍ପର ଦିବସ । ଆମେ ଆମ ରାଜ୍ୟ ବିଷୟରେ ଅଧିକ ସଚେତନ ହେବା ଓ ଏହାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବାର ସ୍ବପ୍ନକୁ ସଫଳ କରିବା । “ବିକଶିତ ଓଡ଼ିଶା ଓ ବିକଶିତ ଭାରତ” ଗଠନର ସଂକଳ୍ପ ବର୍ତ୍ତମାନର ସର୍ବୋତ୍ତମ ଆବଶ୍ୟକତା । ପ୍ରତ୍ୟେକ ଓଡ଼ିଆଙ୍କ ଭାଗୀଦାରି ରେ ଏକ ବିକଶିତ ଓଡ଼ିଶାର ସ୍ବପ୍ନ ବାସ୍ତବରେ ରୂପାୟିତ ହୋଇପାରିବ। ସେଥ‌ିପାଇଁ ଆଜିର ପବିତ୍ର ଦିବସ ହେଉ ସଂକଳ୍ପ ଓ ନବନିର୍ମାଣ ପାଇଁ ପ୍ରତିବଦ୍ଧତାର ମହାପର୍ବ ବୋଲି ମନ୍ତ୍ରୀ କହିଥିଲେ।

ସମ୍ମାନିତ ଅତିଥିଭାବେ କଟକ-ସଦର ବିଧାୟକ, ଇଂ ପ୍ରକାଶ ଚନ୍ଦ୍ର ସେଠୀ, ଚୌଦ୍ଵାର-କଟକ ବିଧାୟକ, ସୌଭିକ ବିଶ୍ଵାଳ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ଭାଷା ଓ ପ୍ରଗତିର ଗାଥା ବର୍ଣ୍ଣନା କରିଥିଲେ। ଜିଲ୍ଲାପାଳ ଶ୍ରୀ ଭାଉ ସାହେବ ଶିନ୍ଦେ ସ୍ବାଗତ ଅଭିଭାଷଣ ଦେଇ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ,ପ୍ରଗତି ତଥା ଯୁବପିଢ଼ିଙ୍କ ଉଦ୍ୟମ ସଂପର୍କରେ ମତ ପ୍ରକାଶ ଥିବା ବେଳେ ସୁଶ୍ରୀ କିରନଦୀପ ସହୋତା ଧନ୍ୟବାଦ ଅର୍ପଣ କରିଥିଲେ।ଉପ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ସୂଚନା ଓ ଲୋକସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ,ଶ୍ରୀ ଭବାନୀ ଶଙ୍କର ଭୂୟାଁ ପ୍ରମୁଖ ସଭାରେ ଉପସ୍ଥିତ ଥିବାବେଳେ ଜିଲ୍ଲା କାର୍ଯ୍ୟଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ।ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 

cuttack ru lalita dash nka report

Leave a Reply

Your email address will not be published. Required fields are marked *