କଟକ ଜିଲ୍ଲାସ୍ତରୀୟ ୧୨୬ତମ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ଜୟନ୍ତୀ ପାଳିତ
ଆଚରଣ ଓ ଉଚ୍ଚାରଣରେ ସତ୍ୟନିଷ୍ଠତା ଥିଲା ଉତ୍କଳକେଶରୀଙ୍କର ବ୍ରତ: ସାଂସଦ ଶ୍ରୀ ଭର୍ତ୍ତୃହରି
କଟକ : କଟକ ଜିଲ୍ଲାସ୍ତରୀୟ ୧୨୬ତମ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବ ଜୟନ୍ତୀ ଆଜି ପ୍ରେସଛକସ୍ଥିତ ମହତାବଙ୍କ ପ୍ରତିମୂର୍ତି ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ମାନ୍ୟବର ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ କାର୍ଯ୍ୟକ୍ରମରେ ଯୋଗ ଦେଇ ହରେକୃଷ୍ଣ ମହତାବଙ୍କ ଜୀବନର ବହୁବିଧ ସମାଜ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ସମାଜରେ ସମାନତା ଆଣିବା ପାଇଁ ହରେକୃଷ୍ଣ ମହତାବ ୯୦ ବର୍ଷ ତଳେ ଉଦ୍ୟମ ଆରମ୍ଭ କରିଥିଲେ । ୧୯୪୮ ମସିହାରେ ଅହିଂସାତ୍ମକ ମାଧ୍ୟମରେ ଅସବର୍ଣ୍ଣମାନଙ୍କୁ ଜଗନ୍ନାଥ ମନ୍ଦିରର ପ୍ରବେଶ କରାଇବାର ଉଦ୍ୟମ କରି ସଫଳ ହୋଇଥିଲେ । ସେ କହିଥିଲେ, କ୍ଷମତା ଜରିଆରେ ଯାହା କରାଯାଏ ତାହା ଚିରସ୍ଥାୟୀ ନୁହେଁ । ଲୋକଙ୍କ ମନକୁ ପରିବର୍ତନ କରି ଯେଉଁ କାର୍ଯ୍ୟ କରାଯିବ ତାହା ଚିରିସ୍ଥାୟୀ ହୋଇ ରହିବ । ଲୋକ ପ୍ରତିନଧି ହିସାବରେ ସାମାଜିକ କାର୍ଯ୍ୟକ୍ରମଗୁଡିକୁ ହାତକୁ ନେବା ଆବଶ୍ୟକ ଓ ପ୍ରତ୍ୟକ୍ଷ ଭାବେ ଆଚରଣ ଓ ଉଚ୍ଚାରଣରେ ସତ୍ୟନିଷ୍ଠ ହୋଇ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ରାଜ୍ୟର ସୀମାକୁ ବଢେଇଥିବା, ଦକ୍ଷିଣରୁ ସୁନା ଆଣି ଜଗନ୍ନାଥଙ୍କର ସୁନାବେଶ କରିଥିବା ତଥା ଓଡ଼ିଆ ହିସାବରେ ଗର୍ବ କରୁଥିବା ଉତ୍କଳର ଗଜପତି କପିଳେନ୍ଦ୍ର ଦେବଙ୍କର ଅବଦାନ ଅତୁଳନୀୟ । ସେହି କପିଳେନ୍ଦ୍ରଦେବଙ୍କର ବିଶାଳ ପ୍ରତିମୂର୍ତି ଉପର ବାଲିଯାତ୍ରା ପଡିଆରେ ସ୍ଥାପନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଶ୍ରୀ ମହତାବ ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଅସ୍ମିତାକୁ ବଂଚେଇ ରଖିବା ପାଇଁ ଏହା ହେବ ଏକ ପ୍ରକୃଷ୍ଟ ପଦକ୍ଷେପ । ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଳା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ସଭାପତି ଶ୍ରୀ ସମୀର ମହାନ୍ତି, କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ, କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ କଟକ ବିଧାୟିକା ଇଂ ସୋଫିଆ ଫିରଦୋସ, ବିଶିଷ୍ଟ ସମାଜସେବୀ ଶ୍ରୀ ନୟନ କିଶୋର ମହାନ୍ତି, ସାଧାରଣ ସମ୍ପାଦକ, କଟକ ମହାନଗର ପୂଜା କମିଟି ତଥା ମାନ୍ୟବର ପୂର୍ବତନ ବିଧାୟକ ଏବଂ ଡଃ ହରେକୃଷ୍ଣ ମହତାବ ଜୟନ୍ତୀ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ, ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉଦ୍ବୋଧନ ଦେଇ ଡଃ ମହତାବଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ ।

କାର୍ଯକ୍ରମରେ ଜିଲ୍ଲାପାଳ ଏବଂ ଜିଲ୍ଳା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଉପ-ଆୟୁକ୍ତ ପୋଲିସ୍ କମିଶନରେଟ୍, ଶ୍ରୀ ଖିଲାରୀ ଋଷିକେଷ ଦ୍ୟାନଦେଓ, ଆୟୁକ୍ତ, କଟକ ମହାନଗର ନିଗମ ତଥା ଉପାଧ୍ୟକ୍ଷା କଟକ ଉନ୍ନୟନ କର୍ତୃପକ୍ଷ, ସୁଶ୍ରୀ କିରନଦୀପ କୌର ସହୋତା, ଉପଜିଲ୍ଳାପାଳ କଟକ ସଦର ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଳା ସୂଚନା ଓ ଲୋକସର୍ମ୍ପ କାର୍ଯ୍ୟାଳୟ, କଟକ ଉନ୍ନୟନ କର୍ତୃପକ୍ଷ ଓ କଟକ ମହାନଗର ନିଗମର ମିଳିତ ଆୟୋଜନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ହରେକୃଷ୍ଣ ମହତାବ ଜୟନ୍ତୀ କମିଟିର ଉପସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିବାବେଳେ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ସ୍ୱାଗତ ସମ୍ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ଏହି ଅବସରରେ ଡଃ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ମହତାବ ଜୟନ୍ତୀ କମିଟିର ସଦସ୍ୟବୃନ୍ଦ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା, ଖାନନଗର ହାଇସ୍କୁଲର ଶିକ୍ଷକ ଶିୟୟିତ୍ରୀ, ଛାତ୍ରଛାତ୍ରୀ ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
