October 24, 2025
Home » କଟକ ଜିଲ୍ଲା ପରିଷଦର ଏକାଦଶତମ ବୈଠକ ଅନୁଷ୍ଠିତ

କଟକ ଜିଲ୍ଲା ପରିଷଦର ଏକାଦଶତମ ବୈଠକ ଅନୁଷ୍ଠିତ

0
WhatsApp Image 2025-09-07 at 2.14.58 PM (1)

କଟକ:  ଏକାଦଶତମ କଟକ ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦଶମ ଜିଲ୍ଲା ପରିଷଦ ବୈଠକର କାର୍ଯ୍ୟସୂଚୀ ଟିପ୍ପଣୀ ଅନୁଯାୟୀ ଅନୁମୋଦିତ ହୋଇଥିବା କାର୍ଯ୍ୟ ଓ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଥିବା କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ଗ୍ରାମ୍ୟ ନିର୍ମାଣ ବିଭାଜନ ଆଦି ବିଭାଗ ଅଧୀନସ୍ଥ ସମସ୍ତ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଏଥିସହିତ ଜଳ ନିଷ୍କସାନ ନିମନ୍ତେ ପ୍ରସ୍ତାବିତ ଡ୍ରେନେଜ ନବୀକରଣ, ସର୍ଭେ ତଥା ନୂତନ ନଳକୂପ ଖନନ ଓ ସ୍ଥାନାନ୍ତର ସହ ବଡ଼ମ୍ବା, ନରସିଂହପୁର, ଆଠଗଡ଼ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରଯାଇଥିଲା। ଖଣି ଖାଦାନରୁ ନିର୍ଦ୍ଧିଷ୍ଟ ଟିକସ ବ୍ୟବସ୍ଥା, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳର ବିକାଶ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସହ ସ୍ବାସ୍ଥ୍ୟ ବିଭାଗ ଅଧିନସ୍ଥ ସମଗ୍ର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଉଥିବା ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବୀ ଡ଼ାକ୍ତର ଓ ଚିକିତ୍ସା ଜନିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ଓ ପ୍ରସ୍ତାବିତ କାର୍ଯ୍ୟର ସ୍ଥିତି ଅଗ୍ରଗତି ଉପରେ ଉପସ୍ଥିତ ବିଧାୟକ ଓ ଅନ୍ୟାନ୍ୟ ଜନ ପ୍ରତିନିଧିମାନେ ସମୀକ୍ଷା କରି ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବୈଠକରେ ମତ ରଖିଥିଲେ।
ବିଶେଷ କରି ନିର୍ଦ୍ଦିଷ୍ଟ ସମୟରେ ଟେଣ୍ଡର ପ୍ରକିୟା ସହ ସମସ୍ତ କାର୍ଯ୍ୟ ଶେଷ କରିବା, ନୂତନ ରାସ୍ତା ନିର୍ମାଣ ଓ ମରାମତି, ବିଭିନ୍ନ ଅଞ୍ଚଳରେ ଆବଶ୍ୟକ ଅନୁଯାୟୀ ବିଭିନ୍ନ କାର୍ଯ୍ୟ ନିମନ୍ତେ ବିଧାୟକ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା ମାଧ୍ୟମରେ ପ୍ରସ୍ତାବ ଉପସ୍ଥାପନା କରିବା ଉପରେ ଗୁରୁତ୍ୱ ଦେଇ ପଞ୍ଚାୟତ ଓ ବ୍ଲକ ମାନଙ୍କରେ ଚାଲୁ ରହିଥିବା ସମସ୍ତ କାର୍ଯ୍ୟର ସ୍ଥିତି ପରଖି କାର୍ଯ୍ୟାନୁଷ୍ଠନ ଗ୍ରହଣ ଉପରେ ଆଠଗଡ଼ ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମତବ୍ୟକ୍ତ କରିଥିଲେ। ନିର୍ଦ୍ଦେଶମତେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସମ୍ପର୍କରେ ଯଥାକ୍ରମେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକରେ ଆଲୋଚନା ପୂର୍ବକ ବିସ୍ତ୍ରୁତ ତଥ୍ୟ ଉପସ୍ଥାପନା କରିଥିଲେ।
ବୈଠକରେ ଆଠଗଡ଼ ବିଧାୟକ,ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା, କଟକ-ସଦର ବିଧାୟକ, ଇଂ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବଡମ୍ବା ବିଧାୟକ ଶ୍ରୀ ବିଜୟ ଦଳବେହେରା, ପ୍ରମୁଖ ଉପସ୍ଥିତ ରହି ଉପରୋକ୍ତ ସମସ୍ତ ବିଷୟରେ ଆଲୋଚନା ପୂର୍ବକ ସମୀକ୍ଷା ସହ ସମଗ୍ର ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟ ଓ ବିଭିନ୍ନ ଯୋଜନା ଅନ୍ତର୍ଗତ ନିଜ ନିଜ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାକୁ ସମୀକ୍ଷା ମଧ୍ୟ କରିଥିଲେ ଏଵଂ ଆବଶ୍ୟକୀୟ ଥିବା ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ପ୍ରୟାସ ଜାରି ରଖାଯିବା ନେଇ ମତ ରଖିଥିଲେ ।

ଆଜିର ବୈଠକର ଚଳିତ କାର୍ଯ୍ୟସୂଚୀ ଅନୁଯାୟୀ ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଇଡକୋ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।
ମିଶନ ଶକ୍ତି ଅନ୍ତର୍ଗତ ଆଇ ସି ଡି ଏସ ପ୍ରକଳ୍ପ, ୠଣ ପ୍ରଦାନ ବ୍ୟବସ୍ଥାରେ ସୁଧାର, ଲଖପତି ଦିଦି, ସୁଭଦ୍ରା ଯୋଜନା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ହିତାଧିକାରୀ ଓ ୠଣ ପ୍ରଦାନ ବ୍ୟବସ୍ଥା ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏଥି ସହ ଜିଲ୍ଲାରେ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ସାର କ୍ରୟ ଓ ଉପଲବ୍ଧତା ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଜିଲ୍ଲାପାଳ ଏବଂ ଜିଲ୍ଳା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସଂଯୋଜନାରେ ଆଜିର ଅନୁଷ୍ଠିତ ବୈଠକରେ ଆଲୋଚିତ ସମସ୍ତ ବିଷୟକୁ ଦୃଷ୍ଟିଦେଇ ତଥା ବିଧାୟକଗଣ ଓ ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟାମାନେ ଉତ୍‌ଥାପନ କରିଥିବା ପ୍ରସ୍ତାବ ଓ ସେମାନଙ୍କ ଅଂଚଳର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏହାର ତ୍ୱରିତ ସମାଧାନ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ କଟକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଶ୍ରୀ ପ୍ରଶାନ୍ତ କୁମାର ନାୟକ ଆଜିର ଏହି ବୈଠକରେ ସହ ସଂଯୋଜନା କରିଥିବାବେଳେ ଆଠଗଡ଼ ଉପଜିଲ୍ଲାପାଳ,ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ବାଙ୍କୀ ଉପଜିଲ୍ଲାପାଳ,ଶ୍ରୀ ପ୍ରଣବ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା, ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ, ବିଭିନ୍ନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ବିଡିଓ, ବ୍ଲକ୍ ପ୍ରତିନିଧି, ଜିଲ୍ଳା ପରିଷଦ ସଦସ୍ୟ/ସଦସ୍ୟା, ପଂଚାୟତ ସମିତି ସଭ୍ୟ/ ସଭ୍ୟା ବୃନ୍ଦ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟତମ ଜନ ପ୍ରତିନିଧି ଶ୍ରୀ ରାମନାରାୟଣ ମହାନ୍ତି, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ଶ୍ରୀ ଆଶିଷ କୁମାର ସାହୁ ବୈଠକରେ ବିଭିନ୍ନ ବିଷୟରେ ମଧ୍ୟ ଉପସ୍ଥାପନା କରିଥିଲେ। ଏହି ଅବସରରେ ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ଉପସ୍ଥିତ ଥିଲେ। ବୈଠକ ଶେଷରେ ଜିଲ୍ଲା ପରିଷଦ ଉପସଭାପତି ଶ୍ରୀମତି ସୁଭଦ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

 

cuttack ru lalita das nka report epa news

Leave a Reply

Your email address will not be published. Required fields are marked *