କଟକ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଜାତୀୟ ସଡକ ସୁରକ୍ଷା ମାସ ଉପଲକ୍ଷେ ଜିଲ୍ଳାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ରୋକିବା ପାଇଁ ଡିଭାଇଡର ସ୍ଥାପନ, ଜେବ୍ରା କ୍ରସିଂ ନିର୍ମାଣ, ଆଲୋକ ବ୍ୟବସ୍ଥା ଉପଲବ୍ଧ କରାଇବା, ବେଆଇନ୍ ପାର୍କିଂ ତଥା ସଡକ ପାଶ୍ୱର୍ରେ ବେଆଇନ୍ ଜବର ଦଖଲ ଉଚ୍ଛେଦ, ଡ୍ରାଇଭରମାନଙ୍କ ଚକ୍ଷୁ ପରୀକ୍ଷା କରାଇବା, ହେଲମେଟବିହୀନ ଓ ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକମାନଙ୍କ ଉପରେ ଅଙ୍କୁଶ ଲଗାଇବା ତଥା ସବୁବର୍ଗର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକରେ ମତପ୍ରକାଶ ପାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଅଧ୍ୟକ୍ଷତା କରି ସଡକ ସୁରକ୍ଷା ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି ଦୁର୍ଘଟଣା ହାର ହ୍ରାସ କରିବା ନିମେନ୍ତ ଦୁର୍ଘଟଣାର କାରଣ ତର୍ଜମା କରିବା ପାଇଁ କମିଟିମାନ ଗଠନ କରି ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସଡକ ସୁରକ୍ଷା ମାସ ପାଳନ ଅବସରରେ ଚଳିତ ମାସ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଶୂନ୍ୟରେ ରଖିବାକୁ ଆହ୍ୱାନ ଦିଆଯାଇଛି ।
ଚଳିତ ମାସ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ମାସ ପାଳନ କରାଯାଉଥିବାରୁ ଜିଲ୍ଳାରେ ବିିଭନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଉପଲକ୍ଷେ ଆଜି ଦୁଇଟି ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ସଡକ ସୁରକ୍ଷା ମାସ ପାଳନ ଅବସରରେ ଡ୍ରାଇଭରମାନଙ୍କ ଚକ୍ଷୁ ପରୀକ୍ଷା କରାଇବା ପାଇଁ ବିଭିନ୍ନ ବସ୍ ରହଣୀ କେନ୍ଦ୍ରଗୁଡିକରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିରର ଆୟୋଜନ କରାଯିବା ସହ, ସଚେତନତା ନାଟକ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିିଭନ୍ନ ପ୍ରତିଯୋଗୀତା ଓ ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନିଆଯିବାକୁ ସ୍ଥିରୀକୃତ ହୋଇଛି । ଗାଡିଚାଳନା ସମୟରେ ହେଲମେଟ ବ୍ୟବହାର, ସିଟ୍ ବେଲ୍ଟ ପରିଧାନ ସମେତ ଗାଡି ଚାଳନା ସମୟରେ ମୋବାଇଲ ଫୋନରେ ବାର୍ତାଳାପ ନ କରିବା, ମଦ୍ୟପାନ କରି ଗାଡି ଚାଳନାରୁ ନିବୃତ ରହିବା, ଦୃତ ଗତିରେ ଗାଡି ନ ଚଲାଇବା, ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ଯାନବାହନ ନ ଦେବା, ଓଭରଟେକ କରିବାରୁ ଯଥାସମ୍ଭବ ନିବୃତ ରହିବା ଆଦି ଉପରେ ଗୁରୁତ୍ୱ ଦେଇ ଚଳିତ ବର୍ଷର ବାର୍ତା ସଡକ ସୁରକ୍ଷା ପରିବାର ରକ୍ଷା କୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି ।
ଗ୍ରାମାଂଚଳ ଏସ ପି ଶ୍ରୀ ପ୍ରତୀକ ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ପଣ୍ଡା, ଏସିପି ଟ୍ରାଫିକଙ୍କ ସମେତ ବରିଷ୍ଠ ପଦାଧିକାରୀ ତଥା ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା, ସଡକ ନିର୍ମାଣ ବିଭାଗର ସମସ୍ତ ପଦାଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । କେନ୍ଦ୍ରାଂଚଳ ପରିବହନ ଉପାୟୁକ୍ତ ତଥା ଭାରପ୍ରାପ୍ତ ଆଂଚଳିକ ପରିବହନ ଅଧିକାରୀ ଇଂ ବିରଂଚି ନାରାୟଣ ଅଧିକାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସଡକ ଦୁର୍ଘଟଣା ହ୍ରାସ କ୍ଷେତ୍ରରେ ସମସ୍ତ ବିଭାଗ ତତ୍ପରତାର ସହ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ ।