November 13, 2025
Home » କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ଘଟଣା; ଅଭିଯୁକ୍ତମାନଙ୍କୁ ଗିରଫ ଓ ସୁରକ୍ଷା ବ୍ୟବସ୍ଥା ଦାବିରେ ବ୍ଲକ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ l

କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ଘଟଣା; ଅଭିଯୁକ୍ତମାନଙ୍କୁ ଗିରଫ ଓ ସୁରକ୍ଷା ବ୍ୟବସ୍ଥା ଦାବିରେ ବ୍ଲକ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ l

0
WhatsApp Image 2025-05-13 at 4.25.24 PM

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ବିନିକା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭୋଜରାଜ ମେହେରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ନ୍ୟାୟ ମିଳୁନଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା କରୁନଥିବା ପ୍ରତିବାଦ କରାଯାଇଛି। ଏନେଇ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ଧାରଣାରେ ବସିଛନ୍ତି । ଜିଲ୍ଲାପାଳ ଏବଂ ବିଡ଼ିଓଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।ପ୍ରକାଶ ଥାଉକି, ଗତ ୯ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ମାନ୍ୟବର ଵୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ। ବିଡ଼ିଓ ଏବଂ ଏଇଇଙ୍କ ଉପସ୍ଥିତିରେ ମହାଦେବପାଲି ପଞ୍ଚାୟତର କୌଣସି ଏକ କାର୍ଯ୍ୟର ଲେଆଉଟ ଦିଆଯାଉନଥିବା ଘଟଣାକୁ ନେଇ ବିଧାୟକ ଉକ୍ତ ଜେଇ ଉପରେ ବିରକ୍ତି ହୋଇଥିଲେ। ପରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତାଙ୍କ ସମର୍ଥକଙ୍କୁ ପିଟିବାକୁ ନିର୍ଦ୍ଦେଶ ଦେଇଥିବା ବିନିକା ଥାନାରେ ଅଭିଯୋଗ ହୋଇଛି। ପରେ ବିଧାୟକ,ବିଡ଼ିଓ, ଏବଂ ଏଇଇଙ୍କ ଉପସ୍ଥିତିରେ ବିଜେପି ନେତା ଆକାଶ ନାଏକ, ଭୁବନେଶ୍ୱର ପାତ୍ର ଏବଂ ଅନ୍ୟ ୩ ଜଣ ବ୍ୟକ୍ତି ଜେଇ ଶ୍ରୀ ମେହେରଙ୍କୁ ଅତର୍କିତ ଭାବରେ ଆକ୍ରମଣ କରି ମାଡ଼ ମାରିଥିବା ବିନିକା ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ୪ ଦିନ ବିତିଗଲାଣି ହେଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ କୌଣସି ମାମଲା ରୁଜୁ କରିନାହିଁ। କାହା ଚାପରେ ପୁଲିସ ମାମଲା ରୁଜୁ କରୁନାହିଁ ବୋଲି ବ୍ଲକ କର୍ମଚାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏପଟେ ଅନୁସନ୍ଧାନ ଜାରି ରହିଥିବା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଜେଇ ଶ୍ରୀ ମେହେରଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏବଂ ବ୍ଲକରେ ହେଉଥିବା ଦାଦାଗିରି ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ଉପରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନନେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ବ୍ଲକ କର୍ମଚାରୀଙ୍କ ପକ୍ଷରୁ ସୂଚନା ମିଳିଛି l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *