କନ୍ଧମାଳ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅନୁଷ୍ଠିତ

ଫୁଲବାଣୀ: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ସହୋଯୋଗ ରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ତା-୧୭.୨.୨୫ ରିଖ ଦିନ ଗାନ୍ଧୀ ସ୍କୃତି ଭବନ ଠାରେ ଆୟୋଜିତ ହୋଇଥିଲା। ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ସାଂସଦ କହିଲେ ଯେ ଶ୍ରମିକ ମାନେ ଦେଶ ବା ରାଷ୍ଟ୍ର ନିର୍ମାଣ ରେ ମୂଖ୍ୟ ଭୁମିକା ଗ୍ରହଣ କରିଥାନ୍ତି। ହେଲେ ଶ୍ରମିକ ମାନେ ସମାଜରେ ଅବହେଳିତ ଓ ଦରିଦ୍ର ସିମାରେଖା ତଳେ ରହୁଥିବା ଦେଖାଯାଏ। ସେମାନଙ୍କୁ ମୂଖ୍ୟ ତ୍ସୋତରେ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ବ୍ୟବସ୍ଥା କରିସାରିଛନ୍ତି।
ଯେପରିକି , ଶ୍ରମିକ ମାନଙ୍କ ପିଲାଙ୍କ ପାଇଁ ଶିକ୍ଷା ସହାୟତା, ମୃତ୍ୟୁକାଳିନ ସହାୟତା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା,ଶ୍ରମିକ ମାନଙ୍କ ପିଲାଙ୍କ ପାଇଁ ବିବାହ ସହାୟତା ଓ ପ୍ରସ୍ତୁତିକାଳୀନ ସହାୟତା, ଏବଂ ଅନ୍ୟାନ୍ୟ ସହାୟତା ମଧ୍ୟ ରହିଛି।ଏହି ସବୁ ବିଷୟ ରେ ଅବଗତ ହୋଇ ଏହାର ଲାଭ ନେବାକୁ ଅନୁରୋଧ କରିବା ସହିତ ପିଲାମାନଙ୍କୁ କାମରେ ନ ଲଗେଇ ପାଠ ପଡେଇ ଭଲ ମଣିଷ କରିବାକୁ ଅନୁରୋଧ କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା କହିଥିଲେ ଯେ ଶ୍ରମିକ ମାନଙ୍କର କେବଳ ରାଜ୍ୟ ବା ଦେଶରେ ନୁହେଁ ବରଂ ସାରା ବିଶ୍ବରେ ବଡ଼ ଅବଦାନ ରହିଛି। ସରକାର ଶ୍ରମିକଙ୍କ ଉନ୍ନତି ପାଇଁ ପ୍ରତିଶୃତିବଦ୍ଦ ଅଛନ୍ତି। ଦାୟିତ୍ୱ ରେ ଥିବା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବିଶ୍ଵ ରଞ୍ଜନ କହଁର ପ୍ରାରମ୍ଭିକ ଭାଷଣରେ ଜିଲ୍ଲା ରେ ଚାଲିଥିବା ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଅଣପଞ୍ଜିକୃତ ଶ୍ରମିକ ଯାହାର ବୟସ ୧୮ ବର୍ଷରୁ ଉର୍ଦ୍ଧ୍ବ ଓ ୬୦ ବର୍ଷରୁ କମ୍,ସେମାନେ ଆବଶ୍ୟକୀୟ କାଗଜପତ୍ର ଦେଇ ପଞ୍ଜିକରଣ କରି ସରକାର ଙ୍କ ଯୋଜନାର ଲାଭ ନେବାକୁ ଅନୁରୋଧ କରିଥିଲେ। ଜିଲ୍ଲା ରେ ୨୦୨୪_୨୫ ଆର୍ଥିକ ବର୍ଷର ଫେବୃୟାରୀ ୧୬ ସୁଦ୍ଧା ୭୪୭ ଜଣ ହିତାଧିକାରୀ ଙ୍କୁ ଭିନ୍ନ ଭିନ୍ନ ସହାୟତା ରାଶି ଆକାରରେ ପ୍ରାୟ ୧ କୋଟି ୯୪ ଲକ୍ଷ ୪୪ ହଜାର ୪୦୦ ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ୨୧୯ ଜଣ ଭିନ୍ନ ଭିନ୍ନ ହିତାଧିକାରୀ ଙ୍କୁ ପ୍ରାୟ ୧ କୋଟି ୨ ଲକ୍ଷ ୭୩ ହଜାର ୬୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା ୨୦୦ ଗୋଟି ନିର୍ମାଣ ଶ୍ରମିକ ଆଇ ଡି କାଡ ଓ ୫୦ ଗୋଟି ଅଣସଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଆଇ ଡି କାଡ ମଧ୍ୟ ପ୍ରଦାନ କରାଯାଇଥିଲା। ଶେଷ ରେ ଡିଭିଜିନାଲ ଶ୍ରମ କମିଶନର ଦାୟିତ୍ୱ ରେ ଥିବା ଶ୍ରୀ ତେଜ କୁମାର ଲାଗେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସମାରୋହ ରେ କନ୍ଧମାଳ ସାଂସଦ ପ୍ରତିନିଧି ଶ୍ରୀ ଜଗନ୍ନାଥ ସାହୁ, ଫୁଲବାଣୀ ବିଧାୟକ ପ୍ରତିନିଧି ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି, ଡେପୁଟି କଲେକ୍ଟର ଶ୍ରୀ ସୁମନ କୁମାର ତୁଙ୍ଗଡୁଙ୍ଗ, ସରକାରୀ କଲେକ୍ଟର ଶ୍ରୀ ବିବେକାନନ୍ଦ ସାମଲ, ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ସଂଗଠିତ ଓ ଅଣସଗଠିତ ଶ୍ରମିକ ସରକାରୀ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ