February 9, 2026
Home » କବିତା ବହି ‘ସାରା ଆକାଶ ତୁମର’ ଲୋକାର୍ପିତ

କବିତା ବହି ‘ସାରା ଆକାଶ ତୁମର’ ଲୋକାର୍ପିତ

0
WhatsApp Image 2026-01-11 at 4.16.08 PM

ସୁବର୍ଣ୍ଣପୁର: ମହାନଦୀ ଓ ତେଲ ନଦୀର ପବିତ୍ର ସଂଗମସ୍ଥଳୀ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ କବି ବିରଞ୍ଚି ନାରାୟଣ ଦରୱାନଙ୍କ ନବ ପ୍ରକାଶିତ କବିତା ବହି ‘ସାରା ଆକାଶ ତୁମର’ ର ଲୋକାର୍ପଣ ଉତ୍ସବ ଏକ ମନୋରମ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରକୃତିର ମାଧୁର୍ଯ୍ୟ ଓ କବିତାର ଆତ୍ମିକତା ମଧ୍ୟରେ ଏହି ସାହିତ୍ୟିକ କାର୍ଯ୍ୟକ୍ରମ ଶ୍ରୋତାଙ୍କୁ ଗଭୀର ଭାବନାରେ ମୁଗ୍ଧ କରିଥିଲା। କବି ବେଣୁଧର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ମୁକ୍ତାକାଶ କବିତା ଆସରରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୨ଜଣ କବି ‘ସାରା ଆକାଶ ତୁମର’ କବିତା ସଂଗ୍ରହରୁ ଚୟନିତ କବିତା ଆବୃତ୍ତି କରି ସାହିତ୍ୟ ପ୍ରେମୀଙ୍କୁ ଆନନ୍ଦିତ କରିଥିଲେ। କବିତା ଆବୃତ୍ତିରେ ପ୍ରେମ, ପ୍ରକୃତି, ବିରହ ଓ ଅନ୍ତର୍ନିହିତ ଅନୁଭୂତିର ସ୍ପଷ୍ଟ ପ୍ରତିବିମ୍ବ ଦେଖିବାକୁ ମିଳିଥିଲା। ଉତ୍ସବରେ ନାଟ୍ୟଶ୍ରୀ ଗଦାଧର ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତାରେ ପ୍ରେମ, ପ୍ରକୃତି ଓ ଶୂନ୍ୟତା ମଧ୍ୟରେ ଥିବା ପୂର୍ଣ୍ଣତାର ସୂକ୍ଷ୍ମ ଦର୍ଶନ ଦେଖାଯାଏ। ତାଙ୍କ କବିତା ସାଧାରଣ ଜୀବନ ଅନୁଭୂତିକୁ ଦାର୍ଶନିକ ଭାବରେ ପ୍ରକାଶ କରି ପାଠକଙ୍କୁ ଆତ୍ମସନ୍ଧାନର ପଥରେ ନେଇଯାଏ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ନିଆରା ସାରସ୍ୱତ ଆସରରେ କବି ରଞ୍ଜିତା ପଣ୍ଡା,ସସ୍ମିତା ମେହେର,ଆରତୀ ଖମାରୀ,ଶ୍ୟାମଓଁ ପ୍ରସାଦ ମିଶ୍ର,ପ୍ରଭୁଦତ୍ତ ରଥ,ଅମ୍ବୁଜ ବିହାରୀ ଶତପଥୀ,ଲକ୍ଷ୍ମୀ ନାରାୟଣ ସାହୁ,ପ୍ରଦ୍ୟୁମ୍ନ ସାହୁ କବିତା ଆବୃତ୍ତି କରିଥିଲେ । କବି ବିରଞ୍ଚି ନାରାୟଣ ଦରୱାନ ନିଜ ସୃଜନ ଜୀବନ ସଂପର୍କରେ କହିଥିବାବେଳେ ସାହିତ୍ୟିକ ଡ଼.ସୌରଭ ରଞ୍ଜନ ଖମାରୀ ଓ ଡ଼.ଦେବାଶିଷ ପାଣ୍ଡିଆ ସାରା ଆକାଶ ତୁମର କବିତା ବହିର ସମୀକ୍ଷା କରି ସମସାମୟିକ ଓଡ଼ିଆ କାବ୍ୟ ସାହିତ୍ୟକୁ ଏ ବହି ସମୃଦ୍ଧ କରିବ ବୋଲି କହିଥିବାବେଳେ କବିତା ସବୁରେ ସରଳ ଓ ତରଳ ଭାବ ଓ ରାବ ରହିଛି ବୋଲି ସମୀକ୍ଷାତ୍ମକ ଆଲୋଚନା କରିଥିଲେ । ପ୍ରକୃତିର କୋଳରେ ଅନୁଷ୍ଠିତ ଏହି କବିତା ଉତ୍ସବ ସୁବର୍ଣ୍ଣପୁର ଜିଲ୍ଲାର ସାହିତ୍ୟିକ ପରିବେଶକୁ ଆହୁରି ସମୃଦ୍ଧ କରିଥିବା ସହ କବିତା ପ୍ରେମୀମାନଙ୍କ ମଧ୍ୟରେ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *