କର୍କଟ ସଚେତନତା ଶୋଭାଯାତ୍ରା
ବର୍ତ୍ତମାନ ସମାଜରେ ଯେଉଁ ତିନୋଟି କାରଣ ଯୋଗୁଁ ବହୁ ଲୋକଙ୍କ ଅକାଳ ବିୟୋଗ ଘଟୁଛି, ତନ୍ମଧ୍ୟରୁ କର୍କଟ ରୋଗ ହେଉଛି ଗୋଟିଏ । ଏହି ରୋଗର ଚିକିତ୍ସା ବ୍ୟୟବହୁଳ ତଥା ଚିକିତ୍ସାରୁ ସୁସ୍ଥ ହେବା କଷ୍ଟସାପେକ୍ଷ । ତେଣୁ ଏହି ରୋଗର ପ୍ରତିକାର ପାଇଁ ସଚେତନତା ନିତାନ୍ତ ଜରୁରୀ । ଏହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ପାକ୍ଷିକପତ୍ରିକା କୋଶଲଟାଇମ ଏବଂ ମହୀୟସି ଇଲା ପଣ୍ଡା ମହିଳା ସମିତିର ମିଳିତ ଆନୁକୂଲ୍ୟରେ ବିଶ୍ୱ କର୍କଟ ଦିବସ ଅବସରରେ ଅତାବିରା ଠାରେ ଏକ ବିଶାଳ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା ଅତାବିରା କଲେଜ ଠାରୁ ଆରମ୍ଭ ହୋଇ ସ୍ଥାନୀୟ ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ପ୍ଲାକାର୍ଡ ଓ ସ୍ଲୋଗାନ ସହ ରାଜପଥ ପରିକ୍ରମା କରିଥିଲା । ରାଲିର ଆରମ୍ଭରେ ସ୍ବାମୀ ତେଜୋମୟାନନ୍ଦ ସରସ୍ବତୀ ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ମନ୍ତ୍ରପାଠ କରିଥିଲେ ଏବଂ ସ୍ୱାମୀ ନିତ୍ୟବୋଧାନନ୍ଦଜୀ ମଧ୍ୟ ଉପସ୍ଥିତ ରହିଥିଲେ l ରେଲିର ପ୍ରାରମ୍ଭରେ ମା ଦୁର୍ଗାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରିବା ସହିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସ୍ୱରୂପ କୁମାର ପାଣିଗ୍ରାହୀ ସମସ୍ତ ଛାତ୍ରଛାତ୍ରୀଙ୍କୁ କର୍କଟ ରୋଗର ନିରାକରଣ ବିଷୟରେ ସଚେତନ କରିଥିଲେ ।

କର୍କଟ କବଳିତ ହୋଇ କଠିନ ସଂଘର୍ଷ କରି ରୋଗରୁ ମୁକ୍ତି ପାଇଥିବା କୃଷକ ସଂଗଠକ ବୀରେନ୍ କର ଲୋତକପୂର୍ଣ ନୟନରେ ଛାତ୍ରଛାତ୍ରୀମାନଙ୍କୁ କର୍କଟ ରୋଗର ଭୟାବହତା ସମ୍ପର୍କରେ ସଚେତନ କରାଇଥିଲେ । ବିଶିଷ୍ଟ ଗବେଷକ ତଥା ସ୍ତମ୍ଭକାର ରାଜେଶ ଅଗ୍ରୱାଲ ଛାତ୍ରଛାତ୍ରୀମାନଙ୍କୁ ରାଲିରେ ଉତ୍ସାହିତ କରିଥିଲେ । ବରଗଡ ଜିଲ୍ଲାରେ କର୍କଟ ରୋଗରେ ପୀଡ଼ିତ ହୋଇ ପ୍ରାଣତ୍ଯାଗ କରିଥିବା ବ୍ୟକ୍ତିଙ୍କର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା । ଏତଦ୍ ବ୍ୟତୀତ କର୍କଟ ରୋଗ ଉପରେ ପୂର୍ବ ଅନୁଷ୍ଠିତ ଏକ ପ୍ରବନ୍ଧ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ୩୪ଜଣ କୃତି ଛାତ୍ରଛାତ୍ରୀଙ୍କୁ କୋଶଲ ଟାଇମ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା। ରାଲି ପ୍ରାରମ୍ଭରେ ସରସ୍ବତୀ ଶିଶୁ ବିଦ୍ଯାମନ୍ଦିରର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସଭାର ଉଦ୍ଦେଶ୍ୟଜ୍ଞାପନ କରିଥିଲେ କୋଶଲଟାଇମର ସମ୍ପାଦକ ସଞ୍ଜୀବ କୁମାର ମହାପାତ୍ର ଓ ଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ଶୋଭାଯାତ୍ରାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ଘରକୁ ଯାଇ ନିଜ ନିଜ ପରିବାରର ସଦସ୍ୟଙ୍କୁ ସଚେତନ କରିବା ପାଇଁ ନିଵେଧନ କରିଥିଲେ । ମହୀୟସି ଇଲା ପଣ୍ଡା ମହିଳା ସମିତିର ଉପଦେଷ୍ଟା ବୈଷ୍ଣବ ଭୋଇ ଅତାବିରା ବିଧାୟକ ନିହାର ମହାନନ୍ଦଙ୍କ ବାର୍ତ୍ତା ପଠନ କରିଥିଲେ । ଏହି ଶୋଭାଯାତ୍ରାରେ ଅତାବିରା ମହାବିଦ୍ୟାଳୟ , ପିଏମ୍ ଶ୍ରୀ ଲାଦରପାଲି ସେବାଶ୍ରମ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ହୋଲି ହାର୍ଟ ପବ୍ଲିକ ସ୍କୁଲ ଓ ସରକାରୀ ନୋଡାଲ ୟୁପି ସ୍କୁଲର ସହସ୍ରାଧିକ ଛାତ୍ରଛାତ୍ରୀଙ୍କ ସମେତ ପ୍ରଜାପିତା ବ୍ରହ୍ମକୁମାରୀ , ଓଡ଼ିଶା ରାଜ୍ୟ କୃଷକ ସଂଗଠନ,ମାର୍ଚେଣ୍ଟ ଆସୋସିଏସନ୍,ଆନ୍ଧ୍ର ଓଡ଼ିଆ ସମାଜ, ଜନକଲ୍ୟାଣ କୁଲିତା ସମାଜ, ଅଗ୍ରସେନ ସେବା ସମିତି ଓ ବରିଷ୍ଠ ନାଗରିକ ସଂଘ ମଧ୍ୟ ଯୋଗଦାନ କରିଥିଲେ । ଏ ସମସ୍ତଙ୍କ ସହଯୋଗ ଏବଂ ଯୋଗଦାନ ପାଇଁ କୋଶଲଟାଇମ ପତ୍ରିକାର7 ସମ୍ପାଦକ ଓ ମହୀୟସି ଇଲା ପଣ୍ଡା ମହିଳା ସମିତିର ସଦସ୍ଯାମାନେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
