କାଶିଆ(କ) ୟୁପି ସ୍କୁଲରେ ଜିନ୍ଦଲ ସୁବିଧା କେନ୍ଦ୍ରର ଉଦଘାଟନ

*
ବଡ଼ବିଲ – ଯୋଡ଼ା ବ୍ଲକ ଅନ୍ତର୍ଗତ ସେରେଣ୍ଡା ପଞ୍ଚାୟତ କାଶିଆ(କ) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ଜିନ୍ଦଲ ସୁବିଧା କେନ୍ଦ୍ରର ଉଦଘାଟନ ହୋଇଯାଇଛି। ଜିନ୍ଦଲ ଷ୍ଟିଲର ଇଭିପି ତଥା ବିକେଟି କ୍ଲଷ୍ଟର ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ରଙ୍କ ଉପସ୍ଥିତିରେ ଚମ୍ପୁଆ ଉପ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ପରିଡ଼ା ଏହାକୁ ଉଦଘାଟନ କରିଛନ୍ତି।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବଡ଼ବିଲ ଏସଡିପିଓ ଶ୍ରୀ ଦେବେନ୍ଦ୍ରନାଥ ପିଙ୍ଗୁଆ, ବଡ଼ବିଲ ତହସିଲଦାର ଶ୍ରୀ ରାକେଶ କୁମାର ପଣ୍ଡା, ଯୋଡ଼ା ବିଇଓ ଶ୍ରୀ କ୍ଷେତ୍ରମୋହନ ହାଁସଦା, ସେରେଣ୍ଡା ସରପଞ୍ଚ ଇଞ୍ଜିନିୟର ସୁସ୍ମିତା ସିଦ୍ଦୁ, ସିଏଏସଆର ମୁଖ୍ୟ ଶ୍ରୀ ଭର୍ଜିଲ ଲାକ୍ରାଙ୍କ ସମେତ ଜିନ୍ଦଲ ଷ୍ଟିଲ୍ ଓ ଜିନ୍ଦଲ ଫାଉଣ୍ଡେସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପାରିପାର୍ଶ୍ୱିକ ଅଞ୍ଚଳରେ ଶିକ୍ଷା ଭିତ୍ତିଭୂମି ମଜଭୁତ କରିବା ସହ ଶିଶୁଙ୍କ ପାଇଁ ଅନୁକୁଳ ଶିକ୍ଷଣ ପରିବେଶ ପ୍ରସ୍ତୁତି ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରିଆସୁଛନ୍ତି। ସ୍କୁଲକୁ ଆସିବା ପାଇଁ ଶିଶୁମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବାକୁ ଏହି ସୁବିଧା କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ରୋଷେଇ ଘର ତଥା ଭୋଜନାଳୟ ଦ୍ୱାରା ୨୨୦ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱଚ୍ଛ ଓ ପରିଚ୍ଛନ୍ନ ପରିବେଶ ମଧ୍ୟରେ ଖାଇବାର ସୁବିଧା ମିଳିବ। ଏହା ସହିତ ଜିନ୍ଦଲ ଫାଉଣ୍ଡେସନ ନିରାପଦ ପାନୀୟ ଜଳ ବ୍ୟବସ୍ଥା, ଉନ୍ନତ ପରିମଳ ବ୍ୟବସ୍ଥା ଏବଂ ଖେଳିବା ପାଇଁ ଭିତ୍ତିଭୂମିର ବିକାଶ କରିଛି। କାଶିଆ (ଖ) ପ୍ରାଥମିକ ବିଦ୍ୟାଳୟ, ଭୁଷୁଗାଁ ପ୍ରାଥମିକ ବିଦ୍ୟାଳୟ ଓ ଝାଡ଼ଗାଁ ଉଚ୍ଚ ପ୍ରାଥମିକ ସ୍କୁଲରେ ମଧ୍ୟ ସମାନ ସୁବିଧା କେନ୍ଦ୍ର ନିର୍ମାଣ ଚାଲିଛି। ଆସନ୍ତା ମାସରେ ଏହାର ହସ୍ତାନ୍ତର କରାଯିବ।
ଉଦଘାଟନୀ ଉତ୍ସବରେ ଏହି ଅଭିଯାନକୁ ଉପ ଜିଲ୍ଲାପାଳ ଶ୍ରୀ ପରିଡ଼ା ପ୍ରଶଂସା କରିବା ସହ ଗ୍ରାମାଞ୍ଚଳର ଶିଶୁମାନଙ୍କ ବିକାଶ ଏବଂ ସରକାରଙ୍କ ସମାବେଶୀ ଶିକ୍ଷା କାର୍ଯ୍ୟକ୍ରମରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।
‘ଶିକ୍ଷା’ ପ୍ରକଳ୍ପ, ସ୍କୁଲ ଶିକ୍ଷା ପରବର୍ତ୍ତୀ ଶିକ୍ଷଣ କାର୍ଯ୍ୟକ୍ରମ, ପରିବହନ ପାଇଁ ସ୍କୁଲ ବସର ସୁବିଧା, ଶିକ୍ଷକ ନିଯୁକ୍ତି ଓ ଶିକ୍ଷଣ ସାମଗ୍ରୀ ବଣ୍ଟନ ଦ୍ୱାରା ଜିନ୍ଦଲ ଫାଉଣ୍ଡେସନ ଶିକ୍ଷାର ମାନ ବୃଦ୍ଧି ସହ ପ୍ରତ୍ୟକ ଶିଶୁର ବିକାଶ ଓ ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରିଆସୁଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।