କାହିଁକି ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ରାଜ୍ୟସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ବିରୋଧୀ ଏହାକୁ ଆଗତ କରିଛି। କଂଗ୍ରେସ ନେତା ଜୟରାମ ରମେଶ ମଙ୍ଗଳବାର କହିଛନ୍ତି ଯେ ରାଜ୍ୟସଭା ମହାସଚିବଙ୍କ ନିକଟରେ ସଂକଳ୍ପ ଦାଖଲ କରାଯାଇଛି।
ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି ଯେ ଧନଖଡ଼ ତାଙ୍କ ପଦକୁ ଦଳୀୟ ଢଙ୍ଗରେ ବ୍ୟବହାର କରୁଛନ୍ତି ଏବଂ ଗୃହ କାର୍ଯ୍ୟରେ ସନ୍ତୁଳନ ରକ୍ଷା କରିବାରେ ବିଫଳ ହେଉଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ଅଚଳାବସ୍ଥା ଲାଗି ରହିଥିବା ବେଳେ ବିରୋଧୀ ମାନେ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି।
ଜୟରାମ ରମେଶ କହିଛନ୍ତି ଯେ ଏହି ନିଷ୍ପତ୍ତି ଦେଶର ଦଳମାନଙ୍କ ପାଇଁ ଗ୍ରହଣୀୟ ନୁହେଁ। କିନ୍ତୁ ସଂସଦୀୟ ଗଣତନ୍ତ୍ରର ସ୍ୱାର୍ଥ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ଦରକାର। ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି ଯେ ଧନଖଡ଼ ସେମାନଙ୍କୁ ଗୃହରେ ସେମାନଙ୍କ ପ୍ରସଙ୍ଗ ଉଠାଇବାକୁ ଦେଇନଥିଲେ ଏବଂ ଶାସକ ଦଳର ସଦସ୍ୟମାନଙ୍କୁ ସେମାନଙ୍କ ବୟାନ ରଖିବାର ପୂର୍ଣ୍ଣ ସୁଯୋଗ କରିଥିଲେ।
ଅଦାନି ଗ୍ରୁପ୍, ମଣିପୁର ହିଂସା ଏବଂ ସମ୍ଭଲ ଭଳି ଗମ୍ଭୀର ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦମାନେ ନାରାବାଜି ଜାରି ରଖିଥିଲେ ମଧ୍ୟ ଅଧ୍ୟକ୍ଷ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ତାଙ୍କ ପ୍ରୟାସକୁ ବିଫଳ କରିଥିଲେ।
ଧନଖଡ ରାଜ୍ୟସଭା ଅଧ୍ୟକ୍ଷ ହେବା ପରେ ୨୦୨୨ରେ ତାଙ୍କୁ ନେଇ ବିରୋଧୀଙ୍କ ଅସନ୍ତୋଷ ଆରମ୍ଭ ହୋଇଥିଲା। ବିରୋଧୀ ଦଳଗୁଡ଼ିକ କହୁଛନ୍ତି ଯେ ସେମାନଙ୍କ ମନୋଭାବ ଶାସକ ଦଳ ସପକ୍ଷରେ ରହିଛି, ଯାହା ଗୃହର ମର୍ଯ୍ୟାଦା ଓ କାର୍ଯ୍ୟଧାରାକୁ ପ୍ରଭାବିତ କରୁଛି। ପୂର୍ବରୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ମାନେ ତାଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ତାଙ୍କ ବିରୋଧରେ ଆନୁଷ୍ଠାନିକ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି। ଜୟରାମ ରମେଶ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଚାହୁଁନାହାଁନ୍ତି ଯେ ସଂସଦରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିତର୍କ ହେଉ ଏବଂ ଏହା ରାଜ୍ୟସଭାର କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଏକ “ଉଦ୍ଦେଶ୍ୟମୂଳକ ପ୍ରୟାସ” ।
ଧନଖଡ଼ଙ୍କ କାର୍ଯ୍ୟଶୈଳୀ ବିରୋଧୀ ନେତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଛି। ଏହାର ଏକ ଉଦାହରଣ ହେଉଛି ୨୦୨୨ ଶୀତ କାଳୀନ ଅଧିବେଶନ, ଯେଉଁଥିରେ ସେ ରାଜ୍ୟସଭାରେ ବିରୋଧୀ ନେତାଙ୍କ ହଙ୍ଗାମା ଓ ପ୍ରତିବାଦକୁ ନକାରାତ୍ମକ ବୋଲି କହିଥିଲେ। ଏହାପରେ ଚଳିତ ବର୍ଷ ଅଗଷ୍ଟ ମାସରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଯୁକ୍ତିତର୍କ ହୋଇଥିଲା।
ବିରୋଧୀ ଦଳ ନେତା ଜୟରାମ ରମେଶ ମଧ୍ୟ ଅଭିଯୋଗ କରିଛନ୍ତି ଯେ ସଂସଦ ଭିତରେ ବିରୋଧୀ ଦଳ ନେତାଙ୍କ ପ୍ରତି ଅସମ୍ମାନ କରାଯାଉଛି ।ସେଥିପାଇଁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଜୟରାମ ରମେଶ କହିଛନ୍ତି ଯେ ଏହି ପଦକ୍ଷେପ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ନୁହେଁ ବରଂ ସଂସଦୀୟ ଗଣତନ୍ତ୍ର ପାଇଁ । ଏହି ପ୍ରସ୍ତାବରେ ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ, ଶିବସେନା (ୟୁବିଟି), ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବଂ ଡିଏମକେ ଭଳି ପ୍ରମୁଖ ଦଳର ସଦସ୍ୟଙ୍କ ସମେତ ୬୦ ଜଣ ସାଂସଦ ଦସ୍ତଖତ କରିଛନ୍ତି।
ସମ୍ବିଧାନର ଧାରା ୬୭(ବି), ୯୨ ଓ ୧୦୦ ଅନୁଯାୟୀ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଇବା ପାଇଁ ପ୍ରସ୍ତାବ ଦିଆଯାଇଛି, ଯେଉଁଥିପାଇଁ ରାଜ୍ୟସଭାରେ ଅତି କମରେ ୫୦% ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଏହାପରେ ଏହି ପ୍ରସ୍ତାବ ଲୋକସଭାରେ ପାରିତ ହେବା ଦରକାର। ଏବେ ଦେଖିବାକୁ ବାକି ରହିଲା ସଂସଦରେ ଏହି ପ୍ରସ୍ତାବର ପ୍ରତିକ୍ରିୟା କିପରି ଦେଖିବାକୁ ମିଳୁଛି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର