July 16, 2025
Home » କୁଜଙ୍ଗ ଅଞ୍ଚଳରୁ ୫ ଜଣ ମାନସିକ ଭିନ୍ନକ୍ଷମ ଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ

କୁଜଙ୍ଗ ଅଞ୍ଚଳରୁ ୫ ଜଣ ମାନସିକ ଭିନ୍ନକ୍ଷମ ଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ

0
WhatsApp Image 2025-07-15 at 7.52.58 PM

ଜିଲ୍ଲା ରେ ଅସହାୟ କେନ୍ଦ୍ର ପ୍ରତିଷ୍ଠା ଦାବୀ

ପାରାଦୀପ – ଜଗତସିଂହପୁର ଜିଲ୍ଲାର ଏକ ମାତ୍ର ସାମାଜିକ ଓ ଆଧ୍ୟାତ୍ମିକ ସଂଗଠନ ବ୍ୟାସ ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ତାର ଉଦାର ପଣ ଓ ନିଃସ୍ଵାର୍ଥପର ସମାଜ କଲ୍ୟାଣ କାର୍ଯ୍ୟ ନିମନ୍ତେ ଜିଲ୍ଲାରେ ନିଜର ପରିଚୟ କୁ ସୁଦୃଢ କରି ପାରିଛି । ବିଶେଷ କରି ସଂଗଠନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟଙ୍କର ରାସ୍ତା ପତିତ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କ ପ୍ରତି ଏକ ସ୍ବତନ୍ତ୍ର ଅନୁକମ୍ପା ଓ ଆନ୍ତରିକତା ରହିଛି । ଦୀର୍ଘ ଦିନ ହେବ ପାରାଦୀପ ରୁ କଟକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ସମସ୍ତଙ୍କ ପାଇଁ ଅବାଞ୍ଛିତ ଓ ଅଲୋଡ଼ା ଏହି ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ନିଜସ୍ଵ ଉଦ୍ୟମ ଓ ଖର୍ଚ୍ଚରେ ଉଦ୍ଧାର ଏବଂ ଚିକିତ୍ସା କରି ନୀଳାଚଳ ସେବା ପ୍ରତିଷ୍ଠାନ ପୁରୀର କଣାସ ଠାରେ ଥଇଥାନ କରି ଆସୁଛନ୍ତି । ଜିଲ୍ଲା ପ୍ରଶାସନ ବିଶେଷ କରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପ୍ରଶାସନିକ ସାହାଯ୍ୟକୁ ସମ୍ବଳ କରି ଏଭଳି କାର୍ଯ୍ୟରେ ଅପୂରନ୍ତ ଆନନ୍ଦ ପାଇଛନ୍ତି ଶ୍ରୀମତୀ ଆଚାର୍ଯ୍ୟ । ନାନା ବାଧା ପ୍ରତିବନ୍ଧକ ମଧ୍ୟରେ ନିଜ ସଙ୍କଳ୍ପରୁ ଓହରି ନାହାନ୍ତି ସଂଗଠନର ଅଧ୍ୟକ୍ଷା । ଗତ ସୋମବାର ଦିନ କୁଜଙ୍ଗ ଓ ତତ୍ ସଂଲଗ୍ନ ଅଞ୍ଚଳରୁ ମାତ୍ରାଧିକ ମାନସିକ ସ୍ଥିତି ବିଗିଡି ଯାଇଥିବା , ବିଭିନ୍ନ ସମୟରେ ସେହି ଅଞ୍ଚଳରେ ନାନା ଅପ୍ରୀତିକର ଘଟଣା ଘଟାଉଥିବା ୫ଜଣ ମାନସିକ ଭିନ୍ନକ୍ଷମଙ୍କୁ ଉଦ୍ଧାର କରି ସାମୟିକ ଚିକିତ୍ସା ପରେ ସଂଗଠନର ସଭାପତି ଡ. ସିଦ୍ଧେଶ୍ଵର ପଣ୍ଡାଙ୍କ ସହାୟତାରେ ନୀଳାଚଳ ସେବା ପ୍ରତିଷ୍ଠାନ କଣାସ ଠାରେ ଥଇଥାନ କରାଯାଇଥିଲା ।
ଏଠାରେ ସ୍ମରଣ ଯୋଗ୍ୟ ଆମ ଜିଲ୍ଲାରେ ଏକ ଅସହାୟ କେନ୍ଦ୍ର ନଥିବାରୁ ପ୍ରଶାସନ ଆଗୋଚରରେ ଅନେକ ଅସହାୟ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ମାତ୍ର ସ୍ଵତଃ ଏକ ସଂଗଠନ ନିଜସ୍ଵ ଉଦ୍ୟମ ଓ ଖର୍ଚ୍ଚରେ ଦୈନଦିନ ଏପରି କାର୍ଯ୍ୟ କରୁଥିଲେ ମଧ୍ୟ ପ୍ରଶାସନ ଅସହଯୋଗ କରିବା ଅନେକଙ୍କୁ ବିସ୍ମୟ କରିଛି । ତେବେ ଏଠାରେ ପ୍ରଶ୍ନ ଉଠେ ଏପରି ସ୍ପର୍ଶ କାତର ଘଟଣାକୁ ପ୍ରଶାସନର ବିମୁଖତାର ରହସ୍ୟ କଣ ? ତେବେ ଶ୍ରୀମତୀ ଆଚାର୍ଯ୍ୟ ଜିଲ୍ଲା ପ୍ରଶାସନକୁ ଏଭଳି ବ୍ୟକ୍ତି ବିଶେଷଙ୍କ ପାଇଁ ସହାୟତାର ହାତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି , ଅନ୍ୟଥା ପ୍ରଶାସନର ଅଜାଣତରେ ଅନେକ ଅସହାୟ ମାନସିକ ଭିନ୍ନକ୍ଷମ ବ୍ୟକ୍ତିମାନେ ଗାଡ଼ି ଚକତଳେ ମରିବା ସଙ୍ଗେ ସଙ୍ଗେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ଥିବା ପରିବାର ଯେ କେତେବେଳେ ନିଃସ୍ଵ ହେଇଯିବେ ତାହା ସମୟ ହିଁ କହିବ।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *