କୁରୁଆଁ ଠାରେ ନିର୍ମିତ ୫୦୦୦ ମେଟ୍ରିକ ଟନ୍ ବିଶିଷ୍ଟ ଶୀତଳ ଭଣ୍ଡାର ଲୋକାର୍ପିତ
ବରଗଡ଼ ଜିଲ୍ଲାର କୃଷିର ବିକାଶ ଦିଗରେ ଯୋଡି ହେଲା ଏକ ନୂତନ ଶକ୍ତି : ବରଗଡ଼ ବିଧାୟକ
ବରଗଡ଼: ମାନ୍ୟବର ବରଗଡ଼ ବିଧାୟକ ତଥା ଜଳ ସମ୍ପଦ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆଁ ଠାରେ ନିର୍ମିତ ୫୦୦୦ ମେଟ୍ରିକ ଟନ ବିଶିଷ୍ଠ ଏମ/ଏସ ଶ୍ରୀ ସାଇ କୋଲ୍ଡ ଷ୍ଟୋରକୁ ଲୋକର୍ପଣ କରିଛନ୍ତି ।ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଏକ ପ୍ରମୁଖ କେନ୍ଦ୍ରୀୟ ଯୋଜନା-ସମନ୍ୱିତ ଉଦ୍ୟାନ କୃଷି ବିକାଶ ମିଶନର ସହାୟତା ଏବଂ ଆନ୍ଧ୍ର ବ୍ୟାଙ୍କ ତଥା ବର୍ତ୍ତମାନର ୟୁନିୟନ ବ୍ୟାଙ୍କର ସହାୟତା ନେଇ ରେ ସ୍ଥାପିତ ଏହି ଶୀତଳ ଭଣ୍ଡାର ୨୦୨୦-୨୧ ମସିହାରେ କୁରୁଆଁ ଗ୍ରାମ ନିବାସୀ ଆର. ଶ୍ରୀଧର ବାବୁ ପ୍ରଥମେ ୨୫୦୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏହି ଶୀତଳ ଭଣ୍ଡାର ମୋଟ ୨୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିଥିଲେ । ଏବଂ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁଗ୍ମ ସହାୟତାରେ ୧୧୦ ଲକ୍ଷ ଟଙ୍କାର ସବସିଡି ପାଇଥିଲେ। ୨୦୨୦-୨୧ ମସିହାରେ ନିର୍ମାଣ ସମାପ୍ତ ହୋଇଥିଲେ ମଧ୍ୟ କରନା ମହାମାରୀ କାରଣରୁ ଏହାର ଚାଲୁ ହେବା ବିଳମ୍ବିତ ହୋଇଥିଲା। ପରେ ୨୦୨୧-୨୨ ମସିହାରେ ଏହା କାର୍ଯ୍ୟକ୍ଷମ ହୋଇଥିବା ସହ ଆଳୁ, ଧାନ ଓ ବୀଜ ଭଳି କୃଷି ଉତ୍ପାଦ ସଂରକ୍ଷଣରେ ବ୍ୟବହୃତ ହେଉଛି, ଯାହା ଫଳରେ ପୋଷ୍ଟ-ହାରଭେଷ୍ଟ କ୍ଷତି କମିବା ସହ କୃଷକମାନେ ଉଚ୍ଚ ମୂଲ୍ୟ ପାଇପାରୁଛନ୍ତି।ଏହାପରେ ଏହି ଇଉନିଟ୍କୁ ଆଉ ୨୫୦୦ ମେଟ୍ରିକ ଟନ୍ କ୍ଷମତାକୁ ବିସ୍ତାର କରାଯାଇଛି। ଏହି ବିସ୍ତାର ପ୍ରକଳ୍ପ ପାଇଁ ମଧ୍ୟ ୧୧୦ ଲକ୍ଷ ଟଙ୍କା ସବସିଡି ମିଳିଛି। ସୂଚନା ଯୋଗ୍ୟ କି, ଗତ ଦୁଇ ବର୍ଷରେ ପ୍ରାୟ ୧୩୦୦ ମେଟ୍ରିକ ଟନ୍ ଆଳୁ ଏଠାରେ ସଂରକ୍ଷିତ ହୋଇଛି। ଏହା ଜିଲ୍ଲାର କୃଷକମାନଙ୍କ ପାଇଁ ଏହି ସୁବିଧାର ବୃଦ୍ଧିଶୀଳ ଗୁରୁତ୍ୱକୁ ପ୍ରକାଶ କରୁଛି। ଏତଦବ୍ୟତୀତ, ଏହି ଇଉନିଟ୍ ରାଜ୍ୟ ରକାରଙ୍କ ବିଦ୍ୟୁତ ଶୁଳ୍କ ସବସିଡି ଯୋଜନାରୁ ୨୦୨୨-୨୩ ଓ ୨୦୨୩-୨୪ ମସିହାରେ ମୋଟ ୬,୧୮,୪୬୯ ଟଙ୍କା ଲାଭ ପାଇଛନ୍ତି ।ଏହି ଅବସରରେ ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଷଡ଼ଙ୍ଗୀ ମହୋଦୟ ସେଠାରେ ଆୟୋଜିତ ଉଦ୍ୟାନକୃଷି ଦକ୍ଷତା ତାଲିମ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ସମସ୍ତ ଚାଷୀଙ୍କୁ ଉତ୍ସାହିତ କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି ଶୀତଳ ଭଣ୍ଡାର ବରଗଡ଼ ଜିଲ୍ଲାର କୃଷି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବ ସହ ଅପଚୟ କମାଇ କୃଷକମାନଙ୍କ ଆୟ ବୃଦ୍ଧିରେ ମୂଳ ଭୂମିକା ନିଭାଇବ। ନୂତନ ଭାବେ ବିସ୍ତାରିତ ଏହି ଶୀତଳ ଭଣ୍ଡାରର ସୁବିଧା କୃଷି ଢାଞ୍ଚାକୁ ସୁଦୃଢ କରିବା ସହ କୃଷକ ଓ ବ୍ୟବସାୟୀମାନଙ୍କୁ ବୃହତ୍ ସହାୟତା ଯୋଗାଇବ ବୋଲି ଆଶା କରୁଛି।ଅତିରିକ୍ତ ଉଦ୍ୟାନକୃଷି ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ଅତିରିକ୍ତ କୃଷି ଅଧିକାରୀ ଅଞ୍ଜନ କୁମାର ନାୟକ, କୃଷି ବିଜ୍ଞାନ କେନ୍ଦ୍ର ର କୃଷି ବୈଜ୍ଞାନିକ ଏବଂ ଉଦ୍ୟାନ କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଅଂଚଳର ଶତାଧିକ ଚାଷୀ ଉପସ୍ଥିତ ଥିଲେ।
