February 13, 2026
Home » କେନ୍ଦୁଝର ଓ ବାଲେଶ୍ୱର ପରେ କଳାହାଣ୍ଡିର ସ୍ଥାନନାମ ସଂଶୋଧନ ପାଇଁ ଆହ୍ୱାନ

କେନ୍ଦୁଝର ଓ ବାଲେଶ୍ୱର ପରେ କଳାହାଣ୍ଡିର ସ୍ଥାନନାମ ସଂଶୋଧନ ପାଇଁ ଆହ୍ୱାନ

0
WhatsApp Image 2026-02-13 at 2.17.33 PM

 

ଭବାନୀପାଟଣା: ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟର ଐତିହାସିକ ଓଡ଼ିଆ ସ୍ଥାନନାମ ପୁନରୁଦ୍ଧାର ପାଇଁ ଗୃହୀତ ପଦକ୍ଷେପ ଚାଲିଥିବା ପରିପ୍ରେକ୍ଷିରେ ଗବେଷକ ଡ଼.ଲୋକେଶ ଦୁର୍ଗା କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନନାମକୁ ସଂଶୋଧନ କରିବା ପାଇଁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କୁ ଅନୁରୋଧ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ନାମଗୁଡ଼ିକ ଔପନିବେଶିକ କିମ୍ବା ଅଣ-ଓଡ଼ିଆ ରୂପାନ୍ତରଣର ପରିଣାମ। ବିଭାଗର ଅତିରିକ୍ତ ସଚିବଙ୍କୁ ଦାଖଲ କରାଯାଇଥିବା ଏକ ବିସ୍ତୃତ ପ୍ରତିନିଧିତ୍ୱରେ ଡ଼. ଦୁର୍ଗା ଇଂରାଜୀରେ ବ୍ୟବହୃତ “Junagarh” ପରିବର୍ତ୍ତେ “ଜୁନାଗଡ଼” (Junagad) କୁ ସରକାରୀଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି। ସେ କହିଛନ୍ତି ଯେ ଜୁନାଗଡ଼ ପୂର୍ବେ କଳାହାଣ୍ଡିର ପୂର୍ବତନ ରାଜ୍ୟର ପୁରୁଣା ରାଜଧାନୀ ଥିଲା ଏବଂ ପରେ ରାଜଧାନୀ ଭବାନୀପାଟଣାକୁ ସ୍ଥାନାନ୍ତରିତ ହୋଇଥିଲା।
ନାମର ଐତିହାସିକ ଅର୍ଥ ବ୍ୟାଖ୍ୟା କରି ଡ଼. ଦୁର୍ଗା କହିଛନ୍ତି, ଓଡ଼ିଆରେ “ଜୁନା”ର ଅର୍ଥ ପୁରୁଣା ଏବଂ “ଗଡ଼”ର ଅର୍ଥ ଦୁର୍ଗ । “ଜୁନାଗଡ଼” ଅର୍ଥାତ୍ ‘ପୁରୁଣା ଗଡ଼’—ଏହି ନାମଟି ଗୋଟିଏ ସୁସଂରକ୍ଷିତ ଦୁର୍ଗକୁ କେନ୍ଦ୍ର କରି ଗଢ଼ିଉଠିଥିବା ଏହି ସହରର ରାଜନୈତିକ, ପ୍ରଶାସନିକ ଓ ଧାର୍ମିକ ଭୂମିକାକୁ ସଠିକ୍ ଭାବେ ପ୍ରତିବିମ୍ବିତ କରେ। ଡ଼. ଦୁର୍ଗାଙ୍କ ମତାନୁସାରେ, ଜୁନାଗଡ଼ର ପୁରାତନତା ପ୍ରାଚୀନ ଐତିହାସିକ ଯୁଗ ପର୍ଯ୍ୟନ୍ତ ଯାଏ ଏବଂ ସୋମବଂଶୀ ଓ ଗଙ୍ଗବଂଶୀ ଶାସନକାଳରେ ଏହାର ଗୁରୁତ୍ୱ ଅବ୍ୟାହତ ରହିଥିଲା। ସହର ଓ ତାହାର ଆସପାସ ଅଞ୍ଚଳରେ ଓଡ଼ିଆ ଶିଳାଲେଖ ସହିତ ମନ୍ଦିର, ମୂର୍ତ୍ତିଖଣ୍ଡ, ପବିତ୍ର ପୋଖରୀ, ଗଡ଼ର ଅବଶେଷ, ବୀରଶିଳା ଓ ସତୀସ୍ତମ୍ଭ ଭଳି ଅନେକ ପୁରାତତ୍ତ୍ୱିକ ସାକ୍ଷ୍ୟ ମିଳିଥାଏ। ଦାଧିବାମନ ମନ୍ଦିରର ୧୬ଶତାବ୍ଦୀର ଏକ ଶିଳାଲେଖ ସହରର ମଧ୍ୟଯୁଗୀନ ଧାର୍ମିକ ଗୁରୁତ୍ୱକୁ ପ୍ରମାଣ କରେ। ଆଜି ମଧ୍ୟ ଜୁନାଗଡ଼ କଳାହାଣ୍ଡିର ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ କେନ୍ଦ୍ର ଭାବେ ପରିଚିତ। ରଥଯାତ୍ରା, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା ସହିତ କଳାହାଣ୍ଡି ରାଜବଂଶର ଇଷ୍ଟଦେବୀ ମାଁ ଲଙ୍କେଶ୍ୱରୀଙ୍କ ସହ ଜଡିତ ରାଜକୀୟ ‘ଖଣ୍ଡାବାସ’ ପରମ୍ପରା ଏଠାର ସାଂସ୍କୃତିକ ଜୀବନକୁ ଆଜି ମଧ୍ୟ ସଜୀବ ରଖିଛି।

ଡ଼. ଦୁର୍ଗା କହିଛନ୍ତି ଯେ “Junagarh” ନାମଟି ପାର୍ସିକ ପ୍ରଭାବିତ “garh” ପରି ଶବ୍ଦ ଆଧାରିତ ଏକ ଔପନିବେଶିକ ରୂପାନ୍ତରଣ, ଯାହା ଓଡ଼ିଆ ଧ୍ୱନିତତ୍ତ୍ୱ ସହ ସମନ୍ୱୟ ରଖେନାହିଁ। ତଥାପି, ଲୋକମନସରେ “ଜୁନାଗଡ଼” ନାମଟି ଆଜି ମଧ୍ୟ ସଜୀବ ରହିଛି, ଯାହା “ଜୁନାଗଡ଼ିଆ” ଭଳି ଲୋକନାମରେ ପ୍ରତିଫଳିତ ହୁଏ।କେନ୍ଦୁଝର, ବାଲେଶ୍ୱର, ଦେବଗଡ଼ ଓ ନୟାଗଡ଼ ଭଳି ସ୍ଥାନନାମ ସଂଶୋଧନକୁ ଉଲ୍ଲେଖ କରି ଡ଼. ଦୁର୍ଗା କହିଛନ୍ତି ଯେ ଜୁନାଗଡ଼ ସଂଶୋଧନ ଓଡ଼ିଶା ସରକାରଙ୍କ ଭାଷାଗତ ସ୍ୱତନ୍ତ୍ରତା ଓ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ନୀତି ସହ ସମ୍ପୂର୍ଣ୍ଣ ସମନ୍ୱୟ ରଖେ। ଏହା ସହିତ ସେ କଳାହାଣ୍ଡି ଜିଲ୍ଲାର ଅନ୍ୟାନ୍ୟ ସ୍ଥାନନାମ—ଧର୍ମଗଡ଼, ଭବାନୀପାଟଣା, ଜୟପାଟଣା ଓ ଲାଞ୍ଜିଗଡ଼—କୁ କ୍ରମଶଃ Dharamgarh, Bhawanipatna, Jaipatna ଓ Lanjigarh ପରିବର୍ତ୍ତେ ଓଡ଼ିଆ ଭାଷାଗତ ନିୟମ ଅନୁଯାୟୀ ସଂଶୋଧନ କରିବା ପ୍ରସ୍ତାବ ମଧ୍ୟ ରଖିଛନ୍ତି। ଇଂରାଜୀରେ ଆମେ ଭୱାନୀପାଟଣା (Bhawanipatna) ଲେଖିଥାଉ ଏବଂ ଓଡ଼ିଆରେ ଆମେ ଭବାନୀପାଟଣା ଲେଖିଥାଉ। Dharamgarh କୁ Dharamgad, Lanjigarh କୁ Lanjigad, Jaipatna କୁ Jayapatna ଏବଂ Bhawanipatna କୁ Bhabanipatna କରାଯାଉ ବୋଳି ଗବେଷକ ଦୁର୍ଗା ଦାବୀ କରିଛନ୍ତି। ସରକାର ବିଚାରାଧୀନ ଥିବା ସ୍ଥାନନାମ ସଂଶୋଧନ ତାଲିକାରେ ଏହି ନାମଗୁଡ଼ିକୁ ସାମିଲ କରିବାକୁ ସେ ଅନୁରୋଧ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *